ହିଞ୍ଜିଳିକାଟୁ ରିପୋର୍ଟ , ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ ) ଏଣିକି ଗାଁ’ରେ ମୁଲ ଲାଗିବୁ ପଛେ ଦାଦନ ଖଟିବୁନି, ୨୫ ଏପ୍ରିଲ, ଶନିବାର :- କରୋନାକୁ ନେଇ ଲକ ଡ଼ାଇନ ଘୋଷଣା ପରେ ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ଶ୍ରେଣୀର ଓଡ଼ିଆଙ୍କ ଦୁର୍ଦ୍ଦଶା କହିଲେ ନ ସରେ । କାମ ଧନ୍ଦା ବନ୍ଦ ହେବାରୁ ହାତରେ ଥିବା ଅର୍ଥ ସରିଗଲା । ସେଠାର ସ୍ଥାନୀୟ ଲୋକ ଶ୍ରମିକ ମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିଲେ । କମ୍ପାନୀ ମାଲିକ ଓ ମଧ୍ୟସ୍ଥି ଜରିଆରେ କାମ କରୁଥିବା ଏଜେଂଟ ଅସମୟରେ ଧରାଛୁଆଁ ଦେଲେନି । ଫଳରେ ଚେନାଇରେ କାମ କରୁଥିବା ୩ଜଣ ଶ୍ରମିକ ପାଦରେ ଚାଲି ୮ଦିନ ପରେ ଗୁରୁବାର ଗ୍ରାମକୁ ଫେରିଛନ୍ତି । ହିଂଜିଳିକାଟୁ ବ୍ଳକର ବୁରୁପୋଡ଼ା, ପାଟପୁର ନିକଟ ସାବା ଓ ଲେଙ୍କାଖାଲି ଗ୍ରାମର ଏହି ୩ଜଣ ଅଟନ୍ତି । ହିଂଜିଳିକାଟୁ ବ୍ଲକ ବୁରୁପୋଡାର ପାଣ୍ଡା ଦଳାଇ(୨୫) ଓ ପାଟପୁର ନିକଟ ସାବା ଗ୍ରାମର ସନ୍ତୋଷ ସ୍ୱାଇଁ (୩୦) ଓ ଅନ୍ୟଜଣକ ଳେଙ୍କାଖାଲି ଅଂଚଳର ତାଙ୍କର ପରିଚୟ ମିଳି ପାରିନାହିଁ ।
ପାଣ୍ଡା ଓ ସନ୍ତୋଷଙ୍କୁ ଗୁରୁବାର ବୁରୁପୋଡ଼ା ଠାରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଆଇସୋଲେସନ ଗୃହରେ ରଖା ଯାଇଥିବା ବେଳେ ଅନ୍ୟ ଜଣେ ସାନଖେମୁଣ୍ଡି ବ୍ଳକ ଅଂଚଳରେ ଆଇସୋଲେସନ ସେଂଟରରେ କ୍ୱାରାଂଟାଇନରେ ରହିଛନ୍ତି । ସାବା ଗ୍ରାମର ସନ୍ତୋଷ ବୁରୁପୋଡ଼ା ଗ୍ରାମରେ ବିବାହ କରିଥିବାରୁ ସେ ବୁରୁପୋଡ଼ାରେ ରହିବାକୁ ପସନ୍ଦ କରିଥିଲେ । ଚେନାଇରୁ ସେମାନେ ୧୦ ପ୍ୟାକେଟ ଲେଖାଏଁ ବିସ୍କୁଟ କିଣି ବ୍ୟାଗରେ ନେଇ ପାଦରେ ଚାଲି ୮ଦିନ ପରେ ଓଡ଼ିଶା ଆସିଛନ୍ତିି । ବାଟରେ ତାମିଲନାଡ଼ୁର ଗୋଟିଏ ସ୍ଥାନରେ କିଛି ସ୍ୱେଚ୍ଛାସେବୀ ଖାଇବାକୁ ପ୍ରଦାନ କରିଥିଲେ । ଆନ୍ଧ୍ରା ପ୍ରଦେଶର ଆଉ ଗୋଟିଏ ସ୍ଥାନରେ ଭାତ, ଚାରୁ ଓ ଚଟନି ଖାଇଥିବା ପ୍ରକାଶ କରିଛନ୍ତି । ରାସ୍ତା କଡ଼ ଟ୍ୟୁବୱେଲ ପାଣି ଓ ଧରିଥିବା ବିସ୍କୁଟ ଖାଇ ଓଡ଼ିଶା ଫେରିବା ପାଇଁ ସାହାସ ଜୁଟାଇଥିଲେ । ସେମାନଙ୍କ ସହ ଜିଲାର ଅନ୍ୟ ସ୍ଥାନର ମୋଟ ୬ଜଣ ମଧ୍ୟ ପାଦରେ ଚାଲି ଆସିଥିବା ସନ୍ତୋଷ ଓ ପାଣ୍ଡା ପ୍ରକାଶ କରିଛନ୍ତି । ବାଟରେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ପୋଲିସ ଯାଂଚ କରଥିଲେ ମଧ୍ୟ ଅଟକାଇ ନ’ଥିବା କହିଛନ୍ତି ।
ପାଦ ବ୍ୟଥା ହେଉଥିବା ଏବଂ ବହୁ କଷ୍ଟ ସ୍ୱୀକାର କରି ସେମାନେ ୮ଦିନ ଓ ରାତି ବାଟ ଚାଲିଥିବା ପ୍ରକାଶ କରିଛନ୍ତି । ଖୁବ କମ ସମୟ ରାସ୍ତା କଡ଼ରେ ସୁବିଧା ଦେଖି ଶୋଇବା ସହ ରାସ୍ତା କଡ଼ ଟ୍ୟୁବୱେଲରୁ ପାଣି ପିଇଥିବା ଓ ଖୋଲାରେ ଶୌଚ ହୋଇଥିବା ପ୍ରକାଶ କରିଛନ୍ତି । ୮ଦିନ ଅନବରତ ଚାଲିବା ମଧ୍ୟରେ ବିଭିନ୍ନ ଘଟଣା ଓ ରୋମାଂଚକର ପରିସ୍ଥିତର ସାମ୍ନା କରିଛନ୍ତି । ଶୁକ୍ରବାର ବୁରୁପୋଡ଼ା ଆଇସୋଲେସନ ଗୃହରେ ଥିବା ସନ୍ତୋଷ ଓ ପାଣ୍ଡାଙ୍କ ସ୍ୱାବ ପରୀକ୍ଷା ପାଇଁ ଲାବୋରେଟାରୀକୁ ପଠାଯାଇଛି । ସୁବିଧା ଦୃଷ୍ଟିରୁ ଶୁକ୍ରବାର ଠାରୁ ସେମାନଙ୍କୁ ବୁରୁପୋଡ଼ା ଠାରୁ ପୋଡ଼ିଙ୍ଗୀ ଆଇସୋଲେସନ ସେଂଟରକୁ ପଠାଯାଇଥିବା ବିଡ଼ିଓ ପ୍ରସନ୍ନ କୁମାର ପାତ୍ର କହିଛନ୍ତି । ଅନ୍ୟ ପକ୍ଷରେ ଚେନାଇରେ ଏବେ ସୁଦ୍ଧା ବହୁ ଶ୍ରମିକ ଭୟ ଓ ଅନିଶ୍ଚିତତା ମଧ୍ୟରେ ବଂଚୁଥିବା ସେମାନେ କହିଛନ୍ତି । ନିଜ ଅନୁଭୂତିରୁ ସେମାନେ ଚେନାଇରୁ ଗ୍ରାମକୁ ଫେରିବା କହିଛନ୍ତି । ବାପା,ମାଆ, ସ୍ତ୍ରୀ, ଛୁଆଙ୍କୁ ଛାଡ଼ି ଅନ୍ୟ ରାଜ୍ୟକୁ ଶ୍ରମିକ ଭାବେ ଯାଇଥିଲୁ କଷ୍ଟ ପଡ଼ି ପରିବାରକୁ ଭଲରେ ଚଳାଇବା ଆଶା ନେଇ ।
ହେଲେ ଲକ ଡ଼ାଉନ ପରେ କଂମ୍ପାନୀ ବନ୍ଦ ହେଲା । ମିଳିବାକୁ ଥିବା ଟଙ୍କା ମିଳିଲା ନାର୍ହି । ହାତରେ ଥିବା ଟଙ୍କା ସରିଗଲା । ଅନ୍ୟ ପକ୍ଷରେ ୨ୟ ପର୍ଯ୍ୟାୟ ଲକ ଡ଼ାଉନ ବୃର୍ଦ୍ଧି ଅବଧି ସେମାନଙ୍କୁ ଆଉରି ବିଚଳିତ କରିଥିଲା । ଚଳିବୁ କେମିତି ? ଖାଇବୁ କଣ ? ସେ ନେଇ ଚିନ୍ତା ଘାରିଲା । ଗୋଟିଏ ପଟେ ପରିବାରର ମୋହ ଏତେବାଟକୁ ପାଦରେ ଚାଲି ଆସିବା ପାଇଁ ସାହାସ ଦେଇଥିଲା । ପାଦରେ ଏତେ କଷ୍ଟ ଥିବା ସତ୍ୱେ ଗାଁ’ରେ ପହଂଚିବା ପରେ ମନ ଭିତରେ ଆନନ୍ଦ ହୋଇଥିଲା । ଏଣିକି ନିଜ ଅଂଚଳରେ ମୂଲ କାମ କରିବୁ ପଛେ ଅନ୍ୟ ରାଜ୍ୟକୁ ଶ୍ରମିକ ହୋଇ ଯିବୁ ନାହିଁ ବୋଲି ଆଖିରେ ଲୁହ ଓ ଛାତିରେ କୋହ ଧରି ଅସରନ୍ତି ବେଦନାରେ କହିଛନ୍ତି ସନ୍ତୋଷ ଓ ପାଣ୍ଡା ।