No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ସେପ୍ଟେମ୍ୱର ମଙ୍ଗଳବାର ) ଭୁବନେଶ୍ୱର/ପିପିଲି :- ୨୦୨୦ ମସିହା ଅକ୍ଟୋବର ୨୦ ତାରିଖରେ କରୋନା ଯୋଗୁଁ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଛି । ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଆନୁଷ୍ଠାନିକ ଭାବେ ସୋମବାର ଅପରାହ୍ନରେ ଶେଷ ହୋଇଛି । କାର୍ଯ୍ୟସୂଚୀ ଅନୁସାରେ ସେପ୍ଟେମ୍ବର ୩୦ ତାରିଖରେ ପିପିଲିରେ ଭୋଟ ଗ୍ରହଣ କରାଯିବ ଓ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି କରାଯାଇ ଫଳ ପ୍ରକାଶ ପାଇବ । ପିପିଲିରେ ବିଗତ କିଛି ଦିନ ଧରି ବିଜେପି, ବିଜେଡି ଏବଂ କଂଗ୍ରେସ ଦଳ ପକ୍ଷରୁ ଘମାଘୋଟ ପ୍ରଚାର ଚାଲିଥିଲା । କୋଭିଡ କଟକଣା ଭିତରେ ବି ଦଳୀୟ ପ୍ରାର୍ଥୀ ଏବଂ କର୍ମୀମାନେ ରାତି ଦିନ ଏକାକାର କରିଦେଇଥିଲେ । ଏଥିରୁ ପିପିଲି ଉପନିର୍ବାଚନର ଗୁରୁତ୍ୱକୁ ବୁଝିହେବ ।
ତିନି ଦଳର ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିବାବେଳେ ଲୋକେ କାହାକୁ ପ୍ରକୃତରେ ପସନ୍ଦ କରିଛନ୍ତି ତାହା ୩ରେ ହିଁ ଜଣାପଡ଼ିବ । ଏଥି ପୂର୍ବରୁ ପିପିଲିରେ ଦୁଇ ଦୁଇଥର ନିର୍ବାଚନ ଘୁଞ୍ଚା ଯାଇଥିଲା । ପ୍ରଥମେ ଏପ୍ରିଲ ୧୭ରେ ଏହି ନିର୍ବାଚନ ଅନୁଷ୍ଠିତ ହେବାର ଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ବିଶ୍ଵକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯିବା ପରେ ଉପନିର୍ବାଚନ ମେ’ ୪ ରେ ହେବ ବୋଲି ଘୋଷଣା କରିଥିଲେ ନିର୍ବାଚନ କମିସନ । କିନ୍ତୁ କରୋନା ମାମଲା ବୃଦ୍ଧି ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିବାରୁ ନିର୍ବାଚନ ତାରିଖକୁ ପୁଣି ଘୁଞ୍ଚାଇ ଦିଆଯାଇଥିଲା । ପିପିଲି ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ସ୍ଵର୍ଗତ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରା ଯାଇଥିବାବେଳେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ।
ଆଶ୍ରିତ ପଟ୍ଟନାୟକ ୨୦୧୯ରେ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମହାରଥୀଙ୍କ ବିରୁଦ୍ଧରେ ଲଢ଼ିଥିଲେ । କଂଗ୍ରେସର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ବ୍ୟତୀତ ଆଉ ୭ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ କୁହାଯାଉଥିବା ପିପିଲି ନିର୍ବାଚନ ମଣ୍ଡଳୀ ହେଉଛି ଶାସକ ବିଜେଡିର ଦୁର୍ଗ । ବିଜେଡ଼ି ଓ ମହାରଥୀ ପରିବାରର ପତିଆରା ଏଠି ଖୁବ ଅଧିକ । ଅତୀତରେ ଏହି ଆସନରୁ ବିଜେପି କେବେ ବି ଜିତି ନାହିଁ । ପ୍ରଦୀପ ମହାରଥୀ ଏହି ଆସନରୁ ୭ ଥର ଜିତି ବିଧାନସଭାକୁ ଯାଇଥିଲେ ଓ ମନ୍ତ୍ରୀ ମଧ୍ୟ ହୋଇଥିଲେ । ୨୦୨୧ ପିପିଲି ଉପନିର୍ବାଚନ ସବୁ ଦଳ ପାଇଁ ଏଥି ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ନିର୍ବାଚନ ।
ବିଜେଡ଼ିର ରୁଦ୍ର ମହାରଥୀ ଯଦି ଏଠାରୁ ବିଜୟ ଲାଭ କରନ୍ତି, ତେବେ ଧରି ନିଆଯିବ ଯେ ଏବେବି ବିଜେଡିର ଲୋକପ୍ରିୟତା ପିପିଲିରେ ଅତୁଟ ରହିଛି । ଯଦି ବିଜେପିର ପ୍ରାର୍ଥୀ ଜିତନ୍ତି ଏହା ବୁଝାଯିବ ଯେ, ଉପକୂଳ ଓଡ଼ିଶାରେ ବିଜେପିର ଲୋକପ୍ରିୟତା ବୃଦ୍ଧି ପାଇଛି । ବିଜେପି ପାଇଁ ଏହି ନିର୍ବାଚନ ଆଗକୁ ଭଲ ସମୟ ଆଣିବ କି ନା ତାହା ବି ଉପନିର୍ବାଚନରୁ ଜଣାପଡ଼ିବ । ପିପିଲି ବିଧାନସଭା ଉପନିର୍ବାଚନରେ ଲଢ଼େଇଟି କେବଳ ବିଜେପି ଓ ବିଜେଡି ମଧ୍ୟରେ ସୀମିତ ରହିଛି । ଯଦିଓ ପୂର୍ବରୁ ଥରେ ଦୁଇଥର କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି, ଏବେ କିନ୍ତୁ କଂଗ୍ରେସ ଦଳର ପ୍ରଦର୍ଶନ ଏତେଟା ଭଲ ନଥିବା ସାଧାରଣରେ ମତ ପ୍ରକାଶ ପାଉଛି । ତେଣୁ ଚଳିତ ଥର ମଧ୍ୟ କଂଗେସ ଦଳ ତୃତୀୟ ସ୍ଥାନରେ ରହିପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।
No Result
View All Result