ଜିଲ୍ଲା କୃଷି ଅଧିକାରୀଙ୍କୁ ନିୟମିତ ଦରମା ପ୍ରଦାନ ନିମନ୍ତେ ଏକ ଦାବିପତ୍ର ଦେଇ ଛୁଟିରେ ଗଲେ ସମୂହ ଆତ୍ମା କର୍ମଚାରୀ – ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ସେପ୍ଟେମ୍ବର ମଙ୍ଗଳବାରଢେଙ୍କାନାଳ :- ଜିଲ୍ଲା କୃଷି ବିଭାଗ ଅଧିନରେ କାର୍ଯ୍ୟରତ ଥିବା ଆତ୍ମାର କର୍ମଚାରୀମାନେ ତାଙ୍କର ନିୟମିତ ଦରମା ଏବଂ ବାର୍ଷିକ ଦରମା ବୃଦ୍ଧି ଦାବି କରି ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟରୁ ଛୁଟି ନେବା ପାଇଁ ଘୋଷଣା କରିଛନ୍ତି । ଏ ନେଇ ସକାଳେ ଆତ୍ମାର କର୍ମଚାରୀମାନେ ରାଜ୍ୟ ନୋଡାଲ ଅଧିକାରୀ, କୃଷି ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ” ଆତ୍ମା “, ଢେଙ୍କାନାଳ ଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।

ସମସ୍ତ କର୍ମଚାରୀ ଆଜିଠାରୁ ସମୂହ ଛୁଟିରେ ରହିବା ନେଇ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଢେଙ୍କାନାଳ ଜିଲ୍ଲାର ଆଠଟି ବ୍ଲକରେ କାର୍ଯ୍ୟରତ ସମୁଦାୟ ୩୨ ଜଣ କର୍ମଚାରୀ ପାଞ୍ଚ ମାସ ଧରି ନିଜ ଦରମାରୁ ବଞ୍ଚିତ ଅଛନ୍ତି। ଦୀର୍ଘ ମାସ ଧରି ଦରମା ମିଳିନଥିବାରୁ କରୋନା ମହାମାରୀ ସମୟରେ ପରିବାର ପ୍ରତିପୋଷଣ କଷ୍ଟସାଧ୍ୟ ହେବା ସଙ୍ଗେ ବିଶେଷ କରି କାର୍ଯ୍ୟାଳୟକୁ ଯିବା ଆସିବାପାଇଁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଯଥା ପିଏମ୍ କିଷାନ, କାଳିଆ, ବଳରାମ, ପ୍ରଧାନମନ୍ତ୍ରୀ ଫସଲ ବୀମା, ମୃତ୍ତିକା ସ୍ଵାସ୍ଥ୍ୟ କାର୍ଡ, କୃଷି ଓଡ଼ିଶା ଡାଟା ବେସ୍ ଓ ଇ-ପେଷ୍ଟ୍ ପ୍ରଣାଳୀ ଏପରି ଅନେକ କ୍ଷେତ୍ରରେ କାର୍ଯ୍ୟ କରି ଆସୁଛନ୍ତି ।

କିନ୍ତୁ ନିୟମିତ ଭାବରେ ଦରମା ନ ପାଇ ସମସ୍ତ କର୍ମଚାରୀ ମାନେ କରୋନା ମହାମାରୀ ସମୟରେ ହନ୍ତସନ୍ତ ହେଉଛନ୍ତି। ଏ ନେଇ କର୍ମଚାରୀ ମାନେ ନିୟମିତ ପ୍ରତି ମାସରେ ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି।ଏଥିସହ ୨୦୧୮ ମସିହା ନୂତନ ଗାଇଡଲାଇନ୍ ଅନୁଯାୟୀ ପ୍ରତିବର୍ଷ ଦଶ ପ୍ରତିଶତ ବାର୍ଷିକ ବୃଦ୍ଧି ସହ ତୁରନ୍ତ ପ୍ରଦାନ କରିବାକୁ ଦାବିପତ୍ରରେ ଜଣାଇଛନ୍ତି । (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।