No Result
View All Result
ପବିତ୍ର ଅନନ୍ତ ବ୍ରତ ଉପଲକ୍ଷେ ସମସ୍ତଙ୍କୁ ଶୁଭକାମନା । ବଡ଼ଠାକୁର ଶ୍ରୀ ଅନନ୍ତଙ୍କ କୃପା ସମସ୍ତଙ୍କୁ ମିଳୁଥାଉ । ଜୟ ଶ୍ରୀ ଅନନ୍ତ ବାସୁଦେବାୟ ନମଃ
ଓଡ଼ିଶା ତାଜା ନ୍ୟୁଜ୍ (୧୯ ସେପ୍ଟେମ୍ବର ରବିବାର ) ଭୁବନେଶ୍ୱର :- ଶ୍ରୀ ଶେଷନାଗ ଅନନ୍ତଙ୍କୁ ସମର୍ପିତ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି । ଏହା ଅନନ୍ତ ଚତୁର୍ଦ୍ଦଶୀ ନାମରେ ଖ୍ୟାତ । ସବୁ ଅବତାରରେ ଭଗବାନ ବିଷ୍ଣୁଙ୍କ ସହଚର ଭାବେ ଅନନ୍ତ ଦେବ ଜନ୍ମ ଗ୍ରହଣ କରିଥାନ୍ତି । ତେଣୁ ତାଙ୍କର ମହତ୍ତ୍ୱ ତ୍ରିଦେବଙ୍କ ପରି ଗୁରୁତ୍ୱପୂର୍ଣ୍ଣ ମନେ ହୁଏ । ମହାମୁନି କଶ୍ୟପଙ୍କ ଔରସରୁ ଏବଂ ତାଙ୍କର ଅନ୍ୟତମ ପତ୍ନୀ କଦ୍ରୁଙ୍କ ଗର୍ଭରୁ ଅଷ୍ଟ କୂଳ ନାଗ ସହିତେ ଶେଷଦେବ ଅନନ୍ତ ଜନ୍ମ ଗ୍ରହଣ କରିଥିଲେ । ବ୍ରହ୍ମାଙ୍କୁ ତପସ୍ୟା କରି ସେ
ଅଭୟ ଆଶିର୍ବାଦ ପ୍ରାପ୍ତ କରିଥିଲେ ଓ ତାହ ସହ ସେ ବିଚଳିତ ଧରଣୀକୁ ଧାରଣ କରି ଭୂମଣ୍ଡଳକୁ ସ୍ଥିର କରିବା ପାଇଁ ଆଦେଶ ପାଇଥିଲେ । ସହସ୍ର ଫଣାରେ ଦେବୀ ପୃଥିବୀଙ୍କୁ ସେ ଧାରଣ କରି ମହା ବିପତ୍ତିରୁ ଉଦ୍ଧାର କରିଥିଲେ ।
ଅନନ୍ତ ହେଉଛନ୍ତି ସ୍ୱୟଂ ନାରାୟଣଙ୍କ ସ୍ୱରୂପ ଏବଂ ପରମବ୍ରହ୍ମ ଓ ପରମ ତତ୍ତ୍ୱର ପରିଚୟ ଅଟନ୍ତି । ଅନନ୍ତ ବ୍ରତ କଥା ମାତା କୁନ୍ତି ନବବିବାହିତା ଦ୍ରୌପଦୀଙ୍କୁ ବୁଝାଉଛନ୍ତି । ଏହି ବ୍ରତ କରି ପୁତ୍ର ପୋୖତ୍ରଙ୍କ ମଙ୍ଗଳ ସହିତେ ପରିବାରର ଉନ୍ନତି ବିଷୟରେ ବର୍ଣ୍ଣନା କରୁଅଛନ୍ତି । କିଛି ଗ୍ରନ୍ଥ ଅନୁସାରେ ଭଗବାନ କୃଷ୍ଣ ଯୁଧିଷ୍ଠିରଙ୍କୁ ଏହି ବ୍ରତ କଥା ବୁଝାଉଅଛନ୍ତି । ଏହି ବ୍ରତ ପିଢ଼ି ପରେ ପିଢ଼ି ଏହା ବଂଶାନୁକ୍ରମେ ପାଳିତ ହୋଇଥାଏ । ଶାଶୁ କରିଥିଲେ ତା ବୋହୂ କରେ, ତା ପରେ ତା ବୋହୂ କରିଥାନ୍ତି । କିଛି ସ୍ଥାନରେ ପୁରୁଷ ନାରୀ ଉଭୟେ ଏ ବ୍ରତ କରିଥାନ୍ତି । ଏହିଦିନ ପ୍ରତ୍ୟୁଷରୁ ନଦୀ କିମ୍ବା ତୀର୍ଥ ଜଳେ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରି ଶାଳଗ୍ରାମ ଶିଳା ବା ଧାତୁ ନିର୍ମିତ ଅନନ୍ତଙ୍କ ପ୍ରତିମାକୁ ପୂଜା କରାଯାଏ ।
ଏହି ସମୟରେ ଅଷ୍ଟକୁଳା ନାଗଙ୍କୁ ମଧ୍ୟ ପୂଜା କରାଯାଇଥାଏ । ପୁରୁଣାବ୍ରତକୁ ଫିଟାଇ କଞ୍ଚା କ୍ଷୀରରେ ପକାଇ ବିସର୍ଜନ କରିବା ପରେ ନୂଆ ବ୍ରତକୁ ଧାରଣ କରାଯାଏ । ପୁରୁଷମାନେ ଦକ୍ଷିଣ ହସ୍ତ ବାହୁମୂଳ ଓ ସ୍ତ୍ରୀ ଲୋକମାନେ ବାମହସ୍ତ ବାହୁମୂଳରେ ଏହି ବ୍ରତକୁ ଧାରଣ କରନ୍ତି । ବ୍ରତଧାରୀମାନେ କୁଶାଗ୍ରରେ ଚନ୍ଦନଦ୍ୱାରା ସର୍ପାକୃତି ଅନନ୍ତଙ୍କ ପ୍ରତିମା ନିର୍ମାଣ କରି ଏହା ଧୋଇ ସେହି ଉଦକ ପାନ କରନ୍ତି । ଏହି ବ୍ରତ ଅତୀବ ପୁଣ୍ୟପ୍ରଦ ଅଟେ । ପାପାଚରଣ ନକରି ଧାର୍ମିକ ଜୀବନ ଚର୍ଯ୍ୟା ପାଇଁ ମଧ୍ୟ ଏହି ଅନନ୍ତବ୍ରତରୁ ଉପଦେଶ ମିଳେ । ଯେହେତୁ ଏହି ବ୍ରତର ଇଷ୍ଟ ହେଲେ ଶ୍ରୀ ଅନନ୍ତ ଦେବ ତେଣୁ ଭୁବନେଶ୍ୱରର ଶ୍ରୀ ଅନନ୍ତ ବାସୁଦେବଙ୍କ ଦେଉଳରେ ବ୍ରତ ପାଈଁ ମା’ ମାନଙ୍କ ବହୁ ଭିଡ଼ ଲାଗିଥାଏ। ଶ୍ରୀ ଅନନ୍ତ ବାସୁଦେବଙ୍କ ଦର୍ଶନ, ପୂଜନ ଓ ତାଙ୍କ ବ୍ରତ ଆଚରଣ କରିବା ଦ୍ୱାରା ଅଶେଷ କୃପା ଲାଭ ମିଳିଥାଏ ।
ଶ୍ରୀ କ୍ଷେତ୍ରରେ ବଡ଼ ଦେଉଳ ରେ ଥିବା ଅନନ୍ତ ନାରାୟଣ ଦେଉଳରେ ଏହା ମଧ୍ୟ ପାଳିତ ହୋଇ ଥାଏ । ସେହିଭଳି କଟକ ଜିଲ୍ଲା ପ୍ରସିଦ୍ଧ ନେମାଳ ଗ୍ରାମ ନିକଟବର୍ତ୍ତୀ ଲେଣ୍ଡୁରା ଭଗବାନପୁର ଠାରେ ବିଜେ ଶ୍ରୀ ଅନନ୍ତେଶ୍ବର ମହାଦେବଙ୍କ ପାଖେ ମଧ୍ୟ ଏହି ବ୍ରତ ପାଈଁ ବହୁ ଗହଳି ଲାଗିଥାଏ । ଦିନେ ଏହି ଦେଉଳ ସପ୍ତମ ଶତାବ୍ଦୀର ପାଶୁପତ ସମ୍ପ୍ରଦାୟର ଶୈବ ଉପାସନା କେନ୍ଦ୍ରଥିଲା । ଏହି ସ୍ଥାନେ ଯେ କେହିବି ଗଲେ ଅନନ୍ତେଶ୍ବରଙ୍କ ମହିମା ବିଷୟରେ ନିଶ୍ଚୟ ଅନୁଭବ କରିପାରେ । ସୁଦୃଶ୍ୟ ଶିବଲିଙ୍ଗ ସାଙ୍ଗକୁ ଅନନ୍ତେଶ୍ବରଙ୍କ ଇଚ୍ଛାରେ ଅର୍ଦ୍ଧଭଗ୍ନ ଦେଉଳ ଓ ଏହା ପଛେ ଥିବା ଗାଥା ଶୁଣି ମନେ ଅସୀମ ଭକ୍ତି ଉଦ୍ରେକ ହୋଇଥାଏ ।
No Result
View All Result