No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୯ ସେପ୍ଟେମ୍ବର ରବିବାର ) ସମ୍ବଲପୁର :- ସମ୍ବଲପୁର ପରିବହନ ବିଭାଗ ପକ୍ଷରୁ ଦିଆଯାଉଥିବା ଗାଡି ଚାଳନା ଲାଇସେନ୍ସ, ପଞ୍ଜିକରଣ, ରିନ୍ୟୁ, ଟିକସ ପଇଠ କରିବା ପାଇଁ ଦଲାଲ ମାନଙ୍କ ମାଧ୍ୟମରେ ଗଲେ ଯାଇ ହିଁ କାମ ହେଉଥିବାର ଅଭିଯୋଗ ହୋଇ ଆସୁଥିଲା । ସମ୍ବଲପୁରରେ ଦିନକୁ ଦିନ ବିଭିନ୍ନ ପ୍ରକାରର ଅପରାଧିକ ଓ ଅନୈତିକ କାରବାର ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଅଙ୍କୁଶ ଲଗାଇବାରେ ପ୍ରଶାସନ ଓ ପୁଲିସ ସଫଳ ହେଉ ନାହାନ୍ତି । ଫଳରେ ପୁଲିସ ବାଧ୍ୟ ହୋଇ ଜିଲାପାଳ ଙ୍କ ଆବାସ ସନ୍ନିକଟରେ ରହିଥିବା ପୁରୁଣା ଆଞ୍ଚଳକି ପରିବହନ କାର୍ଯ୍ୟାଳୟ ନିକଟରେ ରହିଥିବା ଏକ ଜେରକ୍ସ ଦୋକାନରେ ଶନିବାର ପୂର୍ବାହ୍ନରେ ଚଢ଼ଉ କରିଥିଲା ।
ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ରହିଥିବା ଏହି ଜେରକ୍ସ ଦୋକାନ ଜରିଆରେ ପରିବହନ ବିଭାଗର ଦଲାଲ ରୂପେ କାର୍ଯ୍ୟରତ ବିନାଖଣ୍ଡି ନିବାସୀ ଜନ୍ମଜେୟ କଠାର (୪୫) ଓ ଦୋକାନ ମାଲିକ ଶୁଭ୍ରାଂଶୁ ବନଛୋର (୩୪) ଙ୍କୁ ଧରିବାରେ ସଫଳ ହୋଇଥିଲା । ଉଭୟ ଙ୍କ ଠାରୁ ଏକ ଲାପଟଫ କମ୍ପ୍ୟୁଟର ସମେତ ବିଭିନ୍ନ ବ୍ୟକ୍ତି ଙ୍କ ଗାଡି ଚାଳନା ଲାଇସେନ୍ସ, ପଞ୍ଜିକରଣ, ରିନ୍ୟୁ, ଟିକସ ପଇଠ, ଫିଟନେସ, ଆଧାର କାର୍ଡ ଇତ୍ୟାଦି ସମୁଦାୟ ୧୫୦ଟି କାଗଜପତ୍ର ଜବତ କରିଛି । ଏ ସର୍ମ୍ପକରେ ଟାଉନ ପୁଲିସ ମାମଲା ସଂଖ୍ୟା ୩୭୮/୨୦୨୧ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ମିଳିଥିବା ସାମଗ୍ରୀ ଗୁଡିକୁ ଜବତ କରିଛି ।
ସମ୍ବଲପୁର ପୁଲିସ ବେଆଇନ ଦଲାଲି କାରବାର ଉପରେ କଡା ନଜର ରଖି ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଅଭିଯାନ ଆରମ୍ଭ କରିଛି ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର ସୂଚନା ପ୍ରଦାନ କରିଛନ୍ତି । ୨୦୧୯ ସେପ୍ଟେମ୍ବର ମାସରେ ସଂଶୋଧିତ ନୂତନ ମୋଟର ଯାନ ଆଇନ ୨୦୧୯ ଲାଗୁ ହେବା ପରେ ଜନତାଙ୍କ ମନରେ ଛନକା ପଶି ଯାଇଛି । ପ୍ରଥମେ କିଛି ମାସ ରାଜ୍ୟ ସରକାର ଏହି ଆଇନ ଲାଗୁ କରିବାରେ କୋହଳ କରିଥିବା ବେଳେ ଏବେ ପୁଲିସ ନିୟମିତ ରାଜସ୍ୱ ବିଭାଗ ପରି ବିଭିନ୍ନ ସ୍ଥାନରେ ବ୍ଲକିଂ କରି ମୋଟା ଅଙ୍କରରେ ଜରିମାନା ଆଦାୟ କରୁଛି । ଏଣୁ ଯାନବାହାନ ମାଲିକ ଓ ଚାଳକ ମାନେ ସେମାନଙ୍କର ପରିବହନ ସର୍ମ୍ପକୀତ କାଗଜ ଗୁଡିକୁ ଠିକ କରି ନେବା ପାଇଁ ନିୟମିତ ଭିଡ ଲଗାଉଛନ୍ତି ।
ଏହାର ସୁଯୋଗ ନେଇ କିଛି ଅସାଧୁ କର୍ମଚାରୀ ଙ୍କ ସମେତ କିଛି ଦଲାଲ ଜନତାଙ୍କୁ ହରିଲୁଟ ଚଳାଇ ଆସି ପରିବହନ ବିଭାଗରେ କାର୍ଯ୍ୟ କରାଇବା ନାମରେ ମୋଟା ଅଙ୍କରର ଟଙ୍କା ଠକେଇ କରୁଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଗତ ବର୍ଷ ମଧ୍ୟ ଏଭଳି ଚଢ଼ଉ ପୁଲିସ ପକ୍ଷରୁ କରାଯାଇ କିଛିଟା ତଳିଆ ଦଲାଲ ମାନଙ୍କୁ ଗିରଫ କରାଯାଇଥିବା ବେଳେ ବଡ ଦଲାଲ ମାନଙ୍କ ଉପରେ ହାତ ପକାଇବାକୁ ସେ ସମୟରେ ପଛଘୁଞ୍ଚା ଦେଇଥିଲା । ଗତ ବର୍ଷ ୬ ଜଣ ଦଲାଲ ଙ୍କୁ ଧରିଥିବା ବେଳେ ଫେବୃଆରୀ ୨୭ ତାରିଖରେ ସମ୍ବଲପୁର ପୁଲିସ ନକ୍ସପାଲି ଅଞ୍ଚଳରୁ ଜଣେ ଦଲାଲ ଙ୍କୁ ଧରିବା ପରେ ଏହି ଅଭିଯାନ ଥଣ୍ଡା ପଡି ଯାଇଥିଲା । (ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result