No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ସେପ୍ଟେମ୍ବର ଶନିବାର) ପୁରୀ :- ମାହାମ୍ୟ ବ୍ରହ୍ମବୈବର୍ତ୍ତ ପୁରାଣରେ ଯୁଧିଷ୍ଠିର – ଶ୍ରୀକୃଷ୍ଣ ସମ୍ବାଦରେ ଏହିପରିଭାବେ ବର୍ଣ୍ଣିତ ହୋଇଅଛି । ତାହା ବିଶେଷଭାବରେ ଉଦ୍ଧୃତ କରାଯାଇଛି । ମହାରାଜା ଯୁଧିଷ୍ଠିର ଜିଜ୍ଞାସା କଲେ ହେ କୃଷ୍ଣ ! ଭାଦ୍ରବ ମାସର ଶୁକ୍ଳପକ୍ଷୀୟା ଏକାଦଶୀର ନାମ କ’ଣ , ବ୍ରତପାଳନର ବିଧି କ’ଣ ଏବଂ ଏଥିରେ କି ପୁଣ୍ୟ ଲାଭ ହୁଏ..? ଏହାର ଉତ୍ତରରେ ଶ୍ରୀକୃଷ୍ଣ କହିଲେ ହେ ରାଜା ! ଏହି ଏକାଦଶୀ ମହାପୁଣ୍ୟପ୍ରଦା , ସ୍ଵର୍ଗମୋକ୍ଷଦାୟିନୀ , ସର୍ବପାପହରା ଏବଂ ବାଜପେୟ ଯଜ୍ଞ ଅପେକ୍ଷା ଅଧିକ ଫଳଦାତ୍ରୀ । ଯେ ଏହି ତିଥିରେ ଭକ୍ତିପୂର୍ବକ ଶ୍ରୀବାମନ ଦେବଙ୍କର ପୂଜା କରେ , ସେ ତ୍ରିଲୋକ ପୂଜିତ ହୁଅନ୍ତି । ଯେ ପଦ୍ମ ପୁଷ୍ପ ଦ୍ଵାରା ଶ୍ରୀ ପଦ୍ମଲୋଚନ ବିଷ୍ଣୁଙ୍କର ଅର୍ଜନ କରନ୍ତି , ସେ ବିଷ୍ଣୁଲୋକ ପ୍ରାପ୍ତ ହୁଏ ।
ଏଇ ତିଥିରେ ଶାୟିତ ଭଗବାନ୍ ପାର୍ଶ୍ୱ ପରିବର୍ତ୍ତନ କରନ୍ତି ବୋଲି ଏହାର ନାମ ପାର୍ଶ୍ୱ ଏକାଦଶୀ ବା ପରିବର୍ତ୍ତନୀ ଏକାଦଶୀ । ଯୁଧିଷ୍ଠିର କହିଲେ – ହେ ଜନାର୍ଦ୍ଦନ ! ଆପଣଙ୍କର କଥା ଶ୍ରବଣ କରି ମଧ୍ୟ ମୋର ସନ୍ଦେହ ସଂପୂର୍ଣ୍ଣ ଦୂରୀଭୂତ ହେଲା ନାହିଁ । ହେ ଦେଦଦେବ ! ଆପଣ କିପରି ଶୟନ କରନ୍ତି , କିପରିଭାବେ ଅବା ପାର୍ଶ୍ୱ ପରିବର୍ତ୍ତନ କରନ୍ତି , ଚାତୁର୍ମାସ୍ୟା ବ୍ରତପାଳନକାରୀର କର୍ତ୍ତବ୍ୟ କ’ଣ ଏବଂ ଆପଣଙ୍କ ଶୟନାବସ୍ଥାରେ ମନୁଷ୍ୟପକ୍ଷେ କ’ଣ କରଣୀୟ , ତାହା ସ୍ପଷ୍ଟଭାବେ କୁହନ୍ତୁ । ଆଉ ବଳି ରାଜାଙ୍କୁ କାହିଁକି ବନ୍ଧନରେ ଆବଦ୍ଧ ରଖିଲେ । ଏ ସମସ୍ତକୁ ବିସ୍ତୃତ ଭାବେ କହି ମୋର ସମସ୍ତ ସନ୍ଦେହ କୃପାପୂର୍ବକ ଦୂର କରନ୍ତୁ । ଶ୍ରୀକୃଷ୍ଣ କହିଲେ – ହେ ନୃପଶ୍ରେଷ୍ଠ ! ତ୍ରେତାଯୁଗରେ ପ୍ରହ୍ଲାଦ ମହାରାଜଙ୍କ ପୌତ୍ର ବଳି ନାମକ ଏକ ଦୈତ୍ୟ ମୋର ବଡ଼ ପ୍ରିୟ ଥିଲା ।
ସେ ବିଭିନ୍ନ ସୂତ୍ରରେ ମୋର ପୂଜା କରୁଥିଲା । ବ୍ରାହ୍ମଣଗଣଙ୍କୁ ପୂଜା ଓ ଯଜ୍ଞାଦି ବ୍ରତକରି ମୋର ସନ୍ତୋଷ ବିଧାନ କରୁଥିଲା । ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ । କିନ୍ତୁ ସ୍ଵର୍ଗରରାଜା ଇନ୍ଦ୍ରଙ୍କ ପ୍ରତି ଅସୂୟାପୂର୍ବକ ସମସ୍ତ ଦେବତାଙ୍କୁ ଜୟ କରିଥିଲା । ସେଥିପାଇଁ ଦେବତାଗଣଙ୍କ ସହ ଇନ୍ଦ୍ର ମୋର ଶରଣାପନ୍ନ ହେବାରୁ ତାହାର ପ୍ରାର୍ଥନାରେ ମୁଁ ବ୍ରାହ୍ମଣ ବାଳକ ବେଶରେ ବାମନ ରୂପେ ବଳି ମହାରାଜଙ୍କ ଯଜ୍ଞସ୍ଥଳରେ ଉପସ୍ଥିତ ହେଲି । ତାହାଙ୍କ ନିକଟରେ ତ୍ରିପାଦ ଭୂମି ମାତ୍ର ଦାନ କରିବାପାଇଁ ପ୍ରାର୍ଥନା କରିଥିଲି । ଏହି ତୁଚ୍ଛ ବସ୍ତୁ ଅପେକ୍ଷା ଆଉ କିଛି ଶ୍ରେଷ୍ଠ ପଦାର୍ଥ ପ୍ରାର୍ଥନା ନିମିତ୍ତ ବିଶେଷ ଅନୁରୋଧ କଲେ ମଧ୍ୟ ମୁଁ ପୂର୍ବୋକ୍ତଦାନ ନିମିତ୍ତ ଜିଦ୍ ଧରିଲି। ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ ମୋତେ ଭଗବାନ୍ ବୋଲି ଜାଣିପାରି ଏ ଦାନ ପାଇଁ ନିଷେଧାଜ୍ଞା କଲା କିନ୍ତୁ ସତ୍ୟାଶ୍ରୟୀ ବଳିରାଜା ଗୁରୁଙ୍କ ନିଷେଧ ଉଲ୍ଲଙ୍ଘନ କରି ମୋତେ ଦାନ ଦେବାକୁ ଉଦ୍ୟତ ହେଲା ।
ସେତେବେଳେ ଗୋଟିଏ ପାଦଦ୍ୱାରା ସପ୍ତ ନିମ୍ନଲୋକ ବା ତଳଦେଶ, ଅପର ପାଦରେ ଉର୍ଦ୍ଧ୍ଵ ସପ୍ତ ଭୁବନ ଅଧିକାର କରି ନେଇଗଲି । ପୁନରାୟ ତୃତୀୟ ପାଦ ପାଇଁ ସ୍ଥାନ ପ୍ରାର୍ଥନା କରିବାରୁ ତାହାଙ୍କର ମସ୍ତକ ଦେଖାଇଦେଲେ । ମୁଁ ସେଥିରେ ମୋର ପାଦ ସ୍ଥାପନା କଲି । ତାହାଙ୍କର ବ୍ୟବହାରରେ ସନ୍ତୁଷ୍ଟ ହୋଇ ମୁଁ ତାହାଙ୍କୁ କହିଲି ,ମୁଁ ସର୍ବଦା ତୁମ ନିକଟରେ ବାସ କରିବି । ଭାଦ୍ର ଶୁକ୍ଳ ପକ୍ଷୀୟ ଏକାଦଶୀରେ ଭଗବାନ ଶ୍ରୀ ଶ୍ରୀବାମନଦେବଙ୍କର ଏକ ମୂର୍ତ୍ତି ବଳିରାଜାଙ୍କ ଆଶ୍ରମରେ ସ୍ଥାପିତ ହୁଏ । ଦ୍ବିତୀୟ ମୂର୍ତ୍ତି କ୍ଷୀର ସମୁଦ୍ରରେ ଅନନ୍ତଦେବଙ୍କ ପୃଷ୍ଠ ଉପରେ ସଂଲଗ୍ନ ହୋଇଅଛି । ଶୟନ ଏକାଦଶୀରୁ ଉତ୍ଥାପନ ଏକାଦଶୀ ପର୍ଯ୍ୟନ୍ତ ଚାରିମାସ କାଳ ଭଗବାନ୍ ଶୟନ ଅବସ୍ଥାରେ ରୁହନ୍ତି । ଏହି ଚାତୁର୍ମାସ୍ୟ ବ୍ରତ ମାନବ ମାତ୍ରେକ କରଣୀୟ । ତେଣୁ ଏହି ବ୍ରତର ବିଧି ଶ୍ରୀହରିଭକ୍ତି ବିଳାସରେ ଦୃଷ୍ଟ ହୁଏ ଯଥା – ଯୋ ବିନା ନିୟମଂ ମର୍ତ୍ତ୍ୟୋ ବ୍ରତଂ ବା ଜପାମେବ ବା ।
ଚାତୁର୍ମାସ୍ୟଂ ନୟେନ୍ମୁର୍ଖୋ ଜୀବନ୍ନପି ମୃତୋହିସଃ। । ଶ୍ରାବଣେ ବର୍ଜୟେତ୍ ଶାକଂ ଦଧିଭାଦ୍ରପଦେ ତଥା । ଦୁଗ୍ଧମାଶ୍ୱଯୁକ୍ତେ ମାସି କାର୍ତ୍ତିକେ ଚାମିଷଂ ତ୍ୟଜେତ୍। । (ହ. ଭ. ବି. ୫୫/୧୧୬) ଅର୍ଥାତ୍ – ଭବିଷ୍ୟ ପୁରାଣରେ କୁହାଯାଇଛି ଯେ, ନିୟମ ବା ବ୍ରତ କିମ୍ବା ଜପ ବ୍ୟତୀତ ଚାତୁର୍ମାସ୍ୟ ବ୍ରତ ଯାପନ କଲେ ଜୀବିତାବସ୍ଥାରେ ମଧ୍ୟ ସେହି ମୂର୍ଖକୁ ମୃତତୁଲ୍ୟ ଜାଣିବାକୁ ହେବ । ଶ୍ରାବଣ ମାସରେ ଶାକ ଦ୍ରବ୍ୟ, ଭାଦ୍ରବ ମାସରେ ଦହି, ଆଶ୍ୱିନ ମାସରେ ଦୁଧ ଏବଂ କାର୍ତ୍ତିକ ମାସରେ ଆମିଷ ଆହାରାଦି ବର୍ଜନୀୟ କରିବା ବିଧେୟ । ଏହି ଏକାଦଶୀ ବ୍ରତ ପାଳନ କଲେ ଏକ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତ ହୋଇଥାଏ । (ରିପୋର୍ଟ/ଲାଲା ଅନନ୍ତ କୁମାର ସିଂହଁ )
No Result
View All Result