No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ନିକଟରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ବିଶେଷ ଭାବେ ହକିରେ ଆମ କ୍ରୀଡ଼ାବିତ୍ଙ୍କ ଚମତ୍କାର ପ୍ରଦର୍ଶନରେ ଉତ୍ସାହିତ ରାଜ୍ୟ ସରକାର ରାଜ୍ୟରେ କ୍ରୀଡ଼ାଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଦିଗରେ ଅଗ୍ରସର ହେଉଥିବା ବିଷୟରେ ଆସୋଚାମ୍ର ଏକ ଆଭାସୀ ସମ୍ମିଳନୀରେ ଶିଳ୍ପ, ଶକ୍ତି, ଏମ୍ଏସ୍ଏମ୍ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି । ଏଥିପାଇଁ ଶିଳ୍ପ ଉଦ୍ୟୋଗୀମାନଙ୍କୁ ଆମନ୍ତ୍ରଣ କରାଯାଉଛି । ଏହା ହେଲେ ଦେଶର କ୍ରୀଡ଼ା ଚାହିଦା ପୂରଣ ହେବା ସହ ଏହା ଆନ୍ତର୍ଜାତିକ ବଜାରକୁ ମଧ୍ୟ କ୍ରୀଡ଼ା ଉପକରଣ ଯୋଗାଇପାରିବ ବୋଲି ସେ କହିଛନ୍ତି । ଆଜି ଆୟୋଜିତ ‘ବୈଶ୍ୱିକ ମୂଲ୍ୟ ଶୃଙ୍ଖଳ ପାଇଁ ଓଡ଼ିଶା ରାଜ୍ୟ ଦକ୍ଷତା ସୃଷ୍ଟି’ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଓଡ଼ିଶା ନିବେଶକମାନଙ୍କ ନିମନ୍ତେ ଏକ ପ୍ରକୃଷ୍ଟ ରାଜ୍ୟ ବୋଲି କହିବା ସହ ରାଜ୍ୟରେ ଉତ୍ପାଦନର ୟୁନିଟ୍ ମୂଲ୍ୟ ଦେଶରେ ସବୁଠୁ କମ୍ ଥିବା ଦର୍ଶାଇ ଆମେ ଶିଳ୍ପକୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇବା ସହ ରିହାତି ପ୍ରଦାନ କରୁଛୁ ବୋଲି କହିଥିଲେ ।

ଏହି ଅବସରରେ ରାଜ୍ୟରେ ଥିବା ପର୍ଯ୍ୟଟନ ବିଭବର ବର୍ଣ୍ଣନା କରି ସେ ଲଣ୍ଡନ କିମ୍ବା ସୁଇଜରଲ୍ୟାଣ୍ଡ ଯିବା ପରିବର୍ତ୍ତେ ପର୍ଯ୍ୟଟକ ଥରେ କଳାହାଣ୍ଡି ବୁଲି ଆସି ଏଠାରେ ଥିବା ନୈସର୍ଗିକ ଶୋଭା ସମ୍ଭାର, ସ୍ଥାନୀୟ ଜନଜାତିଙ୍କ ନିଆରା ଜୀବନଶୈଳୀ ଏବଂ ସେମାନଙ୍କ ଜୀବନଧାରା ବିଷୟରେ ଅବଗତ ହେବାକୁ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଥିଲେ ଯେ ପାରମ୍ପରିକ ଭାବେ ଓଡ଼ିଶା ଖଣିଖାଦାନ ଭରା ଏକ ରାଜ୍ୟ ଭାବେ ଜଣାଶୁଣା । ମାନବଜାତିର ବଞ୍ଚିବା ନିମନ୍ତେ ଆବଶ୍ୟକ ଥିବା ସମସ୍ତ ଉପକରଣର କଞ୍ଚାମାଲ ଏଠାରେ ଉପଲବ୍ଧ । ତା’ଛଡ଼ା ବିଶ୍ୱର ଯେକୌଣସି କାରଖାନା ପାଇଁ ଦରକାର ପଡ଼ୁଥିବା ଖଣିଜ ଓଡ଼ିଶାରେ ମିଳୁଥିବା ସେ ଦର୍ଶାଇଥିଲେ ।
ଓଡ଼ିଶାର ଅବସ୍ଥିତି, ବିଶେଷ ଭାବେ ୪୮୦ କିଲୋମିଟର ଦୈର୍ଘ୍ୟ ଉପକୂଳ ଏବଂ ବହୁସଂଖ୍ୟକ ବନ୍ଦର ବୈଶ୍ୱିକ ମୂଲ୍ୟ ଶୃଙ୍ଖଳକୁ ମଜବୁତ୍ କରିବାରେ ଉପଯୋଗୀ ମନେହୁଏ । ଏହା ବ୍ୟତୀତ ରାଜ୍ୟରେ ପର୍ଯ୍ୟାପ୍ତ କୁଶଳୀ ମାନବସମ୍ବଳ ରହିଛି, ଯାହା ଦେଶର ଶିଳ୍ପ କ୍ଷେତ୍ରକୁ ସମୃଦ୍ଧ କରିବାରେ ବିଶେଷ ଯୋଗଦାନ ଦେଇପାରିଛି । ରାଜ୍ୟ ସରକାରଙ୍କ ନିର୍ମଳ ଶିଳ୍ପନୀତି, ସିଙ୍ଗଲ ଓି୍ୱନ୍ଡୋ ସିଷ୍ଟମ୍, ବ୍ୟବସାୟ ନିମନ୍ତେ ସର୍ବନିମ୍ନ ମୂଲ୍ୟ ଆଦି ସୁବିଧା ଶିଳ୍ପଜଗତକୁ ଉତ୍ସାହିତ କରିପାରୁଥିବା ସେ କହିଥିଲେ । ଏହି ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଆସୋଚାମ୍ର ଅଧ୍ୟକ୍ଷ ଶ୍ରୀ ସୋହମ୍ ମିଶ୍ର, ଆସୋଚାମ୍ର ସହ-ଅଧ୍ୟକ୍ଷ ଶ୍ରୀ ଦୀପକ ଗୁଲାଟି, ଟାଟା ପାୱାର କୋ., କଳିଙ୍ଗ ନଗର ପ୍ରକଳ୍ପ ମୁଖ୍ୟ ଶ୍ରୀ ଭକ୍ତି ରାଜ୍, ଜିନ୍ଦଲ ଷ୍ଟିଲ୍ର ନର୍ବାହୀ ଉପସଭାପତି(କର୍ପୋରେଟ୍ ବ୍ୟାପାର) ଶ୍ରୀ ବିଭୁ ପ୍ରସାଦ ମିଶ୍ର, ଫୋୟେନିକ୍ସ ଇଣ୍ଡିଆର ନିର୍ଦ୍ଦେଶକ ତଥା ଆସୋଚାମ୍ର ସଦସ୍ୟ ଶ୍ରୀ ଶ୍ରୀକାନ୍ତ ବାଡ଼ିଗା, ଆସୋଚାମ୍, ଜାତୀୟ କ୍ରୀଡ଼ା ଓ ଫିଟ୍ନେସ୍ ଶିଳ୍ପ ପରିଷଦର ଅଧ୍ୟକ୍ଷ ଶ୍ରୀ ରାଜେଶ ଖରବାନ୍ଦା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
No Result
View All Result