No Result
View All Result
ଓଡ଼ିଶା ତାଜାନ୍ୟୁଜ (୨୨ ଜୁଲାଇ,ଗୁରୁବାର ) ପଦ୍ମପୁର :- ଦେଶର ଭବିଷ୍ୟତ ନିଜ ପରିବାର ପୋଷଣ ପାଇଁ ବୁଲି ବୁଲି ବିକ୍ରି କରୁଛି ପାଉରୁଟି । ଯେଉଁ ହାତ ବର୍ତ୍ତମାନ ସମୟରେ ଖାତା ,କଲମ ବହି ବସ୍ତାନୀ ଧରି ପାଠ ପଢିବା କଥା ,ସେ ସମୟରେ ସେହି ହାତରେ ବିକ୍ରି କରିବାକୁ ପଡୁଛି ପାଉଁରୁଟି । କଁଅଲ ବୟସରେ ପରିବାରର ବୋଝ । ବାପା ମା ଛେଉଣ୍ଡ ୧୦ ବର୍ଷିୟ ସୁମନ୍ତ ଧରୁଆ ନିଜର ତିନି ଭାଇ ଭଉଣୀ ଓ ଅଜା ଆଇଙ୍କ ପେଟରେ ଦାନା ଦେବାପାଇଁ କରୁଛି ସଂଘର୍ଷ । ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଲୁକୁପାଲି ଗାଁର ଏହି ପରିବାରର ଦୁଃଖ ଭରା କାହାଣୀ ଶୁଣିଲେ ଆଖିରୁ ଲୁହ ଝରିଯିବ । ସୁମନ୍ତଙ୍କ ବାପା ସ୍ବର୍ଗତ କାଶୀ ଧରୁଆ ପ୍ରାୟ ୧୦ ବର୍ଷ ତଳେମୃତ୍ୟୁବରଣ କରି ସାରିଥିବା ବେଳେ ,ବାପାଙ୍କ ମୃତ୍ୟୁ ପରେ ମା ତପସ୍ବିନୀ ଧରୁଆ ଚାରି ଛୁଆଙ୍କୁ ଛାଡି କୁଆଡେ ଚାଲିଗଲେ ।
ସେତିକି ଦିନଠୁ ନିଜର ବୃଦ୍ଧ ଅଜା ଆଇଙ୍କ ପାଖରେ ରହି ଆସୁଛନ୍ତି ଅସହାୟ ଚାରି ଭାଇ ଭଉଣୀ ସୁମନ୍ତ ଧରୁଆ (୧୦),ପଦ୍ମିନୀ ଧରୁଆ (୨୦),ପଦ୍ମା ଧରୁଆ (୧୬),ହେମନ୍ତ ଧରୁଆ (୧୦) । ଦାରିଦ୍ରତା ଆଗରେ ବଳି ପଡି ଯାଇଛି ଚାରି ଛୁଆଙ୍କ ପାଠ ପଢା ।
ବୃଦ୍ଧ ଅଜାଆଇ ପର ମୂଳ ଲାଗି ଛୁଆଙ୍କ ଭରଣ ପୋଷଣ କରୁଥିଲେ ହେଲେ ବର୍ତ୍ତମାନ ବାର୍ଦ୍ଧକ୍ୟ ଅବସ୍ଥା ଯୋଗୁଁ ଘରେ ପଡିରହିଛନ୍ତି ବୃଦ୍ଧ ଅଜାଆଇ । ଏମାନଙ୍କ ପାଇଁ ସରକାରୀ ଯୋଜନା ବାଟବଣା । ଝାଟି ମାଟି ଘରେ ବିତୁଛି ଛଅ ପ୍ରାଣୀଙ୍କ ଜୀବନ । ନାଁ ମିଳିଛି ପକ୍କା ଘର ନା ମିଳିଛି ରାସନ କାର୍ଡ । ଜୀବନ ଜୀଇଁବା ପାଇଁ ଏଠି ଚାଲିଛି ସଂଘର୍ଷ । ନିଜର ପରିବାର ପୋଷଣ କରିବା ପାଇଁ ବୁଲି ବୁଲି ପାଉଁରୁଟି ବିକ୍ରି କରୁଥିବା ନାବାଳକ ସୁମନ୍ତ ଓ ତାଙ୍କ ପରିବାରକୁ କେବେ ପ୍ରଶାସନର ଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଲା ।(ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result