No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁଲାଇ ଶୁକ୍ରବାର )ହିଞ୍ଜିଳିକାଟୁ :– ଅଧିକ ଫସଳ ଉତ୍ପାଦନ ଆଶାରେ ଚାଷୀ ମାନେ ମନଇଛା ରାସାୟନିକ ସାର, କୀଟନାଶକ ଔଷଧର ବହୁଳ ମାତ୍ରାରେ ଚାଷ ଜମିରେ ପ୍ରୟୋଗ କରୁଥିବା ଯୋଗୁଁ ବର୍ତମାନ ଜିଲ୍ଲାର ଅଧିକାଂଶ ଅଂଚଳର ଚାଷ ଜମିର ଉର୍ବରତା ହ୍ରାସ ପାଇବାରେ ଲାଗିଛି । ହିଞ୍ଜିଳିକାଟୁ ଅଂଚଳର ଚାଷ ଜମିର ଦିନକୁ ଦିନ ଉର୍ବରତା ହ୍ରାସ ପାଉଥିବାରୁ ସେହି ଅନୁପାତରେ ଚାଷ ଜମିରୁ ଫସଲ ଉତ୍ପାଦନ ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି । ହିଞ୍ଜିଳିକାଟୁ ଅଂଚଳରେ ଦିନକୁ ଦିନ ଗୋଧନର ସଂଖ୍ୟା କମିବାରୁ ଅଂଚଳର ହଜାର ହଜାର ଏକର ଚାଷ ଜମିକୁ ଜୈବିକ ଖତ ସାର ମିଳିବା କଷ୍ଟକର ହୋଇପଡ଼ିଛି । ଦିନ ଥିଲା ପ୍ରତ୍ୟେକ ଘରବାଡ଼ିରେ ଗାଇ ରହିବା ସହ ଏକ ଖତ ଗଦା ମଧ୍ୟ ରହୁଥିଲା । ଅତି କମ୍ ଦରରେ ଜୈବିକ ଖତ ସାର ଚାଷୀଙ୍କୁ ମିଳି ପାରୁଥିଲା । ବର୍ତମାନ ଆଉ ପୂର୍ବ ଭଳି ଅଂଚଳରେ ଗାଇ ଗୋରୁ ନଥିବାରୁ ବର୍ତମାନ ମିଶ୍ରିତ ଗୋବର ଖତ ଟ୍ରାକ୍ଟର ପିଛା ୨୫ ଶହ ଟଙ୍କାରୁ ୩ ହଜାର ଟଙ୍କାରେ ବିକ୍ରି ହେଉଛି ।
ଆଜିର ଚାଷୀ ଉନ୍ନତି ପ୍ରଣାଳୀରେ ବୈଷୟିକ ଜ୍ଞାନ ଓ ଯନ୍ତ୍ରପାତିର ବହୁଳ ବ୍ୟବହାର ଯୋଗୁଁ ଅଂଚଳରୁ ଦିନକୁଦିନ ଲୋକଙ୍କ ଗୋରୁ ପାଳନ ପ୍ରତି ଆଗ୍ରହ ପ୍ରକାଶ ପାଉନାହିଁ । ଘରର ବାଡ଼ି ପଟେ ଥିବା ଗୁହାଳ ଗୋରୁ ଶୁନ୍ୟ ହୋଇ ପଡ଼ିଛି । ଏଥି ସହ ଆଖପାଖ ଅଂଚଳରୁ ଗୋରୁ ଚାଲାଣ ମଧ୍ୟ ଏକ ସମସ୍ୟା ଭାବେ ଦେଖାଦେଇଛି । ବର୍ତମାନ ଯୁଗର ଆଧୁନିକ ଚାଷୀ କମ୍ ପରିଶ୍ରମରେ ଅଧିକ ଉତ୍ପାଦନର ଲୋଭ ଦେଖାଉଥିବା ଜ୍ଞାନ କୌଶଳ ସହ ରାସାୟନିକ ସାର, କୀଟନାଶକ ଔଷଧ ବହୁଳ ବ୍ୟବହାର ଯୋଗୁଁ କେବଳ ଖାଦ୍ୟ ଶସ୍ୟର ଗୁଣବତା କମୁଛି ତାହା ନୁହଁ ହିଞ୍ଜିଳିକାଟୁ ଅଂଚଳର ଚାଷ ଜମିର ଉର୍ବରତା ଦିନୁ ଦିନ କମିବାରେ ଲାଗିଛି । ଏହା ଆଗାମୀ ପିଢି ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ବୁଦ୍ଧୀଜିବି ମହଲରେ ମତ ପ୍ରକାଶ ପାଇଛି । କୃଷି କ୍ଷେତ୍ରରେ ବହୁଳ ପରିମାଣରେ ଜୈବିକ ଖତସାର ପ୍ରୟୋଗ କିଭଳି ସମ୍ଭବ ହୋଇ ପାରିବ, ଏ ନେଇ ସରକାରୀ ପ୍ରୋତ୍ସାହନ ସହ ଜନ ସଚେତନତା ଏକାନ୍ତ ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । (ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result