No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୩ ଜୁଲାଇ , ଶନିବାର ) ଭୁବନେଶ୍ୱର :- କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ର ବ୍ୟବସ୍ଥା କରାଯାଇଛି । ରବିବାର ଅର୍ଥାତ ଜୁଲାଇ ୪ ତାରିଖ ଦିନ ଦର୍ଶକମାନେ ଫେସ୍ବୁକ୍ ଓ ଟୁଇଟର୍ ପେଜ୍ @stscdev, @scstrti ଖୋଲି ସାନ୍ତାଳ ଜନଜାତିଙ୍କ ଘର ସଂପର୍କରେ ଜାଣିପାରିବେ ବୋଲି ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଓଡ଼ିଶାର ସାନ୍ତାଳ ଜନଜାତିମାନେ ମୁଖ୍ୟତଃ ମୟୂରଭଞ୍ଜ, ବାଲେଶ୍ୱର, କେଉଁଝର ଜିଲ୍ଲାରେ ବସବାସ କରିଥାନ୍ତି । ସେମାନେ ଭାରତର ଜନଜାତିଙ୍କ ମଧ୍ୟରେ ସଂଖ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି । ସାନ୍ତାଳମାନଙ୍କର ବସତିରେ ଗୃହଗୁଡ଼ିକ ସମାନ୍ତରାଳ ଭାବେ ଧାଡ଼ି କରି ନିର୍ମାଣ କରାଯାଇଥାଏ । ଘରଗୁଡ଼ିକ ସମ୍ମୁଖରେ ସର୍ବସାଧାରଣ ରାସ୍ତା ଦେଖିବାକୁ ମିଳେ । ସାନ୍ତାଳମାନେ ବହୁପ୍ରକୋଷ୍ଠ ଥିବା ସୌନ୍ଦର୍ଯ୍ୟପୂର୍ଣ୍ଣ ଗୃହ ନିର୍ମାଣ କରିଥାନ୍ତି । ସେମାନଙ୍କ ଘରଗୁଡ଼ିକ ନିର୍ଦ୍ଦିଷ୍ଟ କଳାତ୍ମକ ଢାଞ୍ଚାରେ ତିଆରି ହୋଇଥାଏ ।

ଘରଗୁଡ଼ିକରେ ପ୍ରଶସ୍ତ ପାଚେରି ସହିତ ପ୍ରାଙ୍ଗଣ ଦେଖିବାକୁ ମିଳେ । ସମକୋଣ ଆକୃତିର ଘରଗୁଡ଼ିକର କାନ୍ଥ ଓଦାମାଟିରେ ନିର୍ମାଣ କରାଯାଇଥାଏ । ଘରର କାନ୍ଥଗୁଡ଼ିକୁ ବିଭିନ୍ନ ରଙ୍ଗ, ବିଶେଷତଃ ନାଲି ଓ କଳା ରଙ୍ଗରେ ପ୍ରଲେପ ଦିଆଯାଇଥାଏ । ସାନ୍ତାଳ ଜନଜାତିଙ୍କ ଘରର ଛାତ ନଡ଼ା କିମ୍ବା ଟାଇଲ୍ରେ କରାଯାଇଥାଏ । ସାନ୍ତାଳ ଘର ମଧ୍ୟରେ ବୈଠକ ଘର, ରୋଷେଇଶାଳା, ବାରଣ୍ଡା ଓ ଗୃହପାଳିତ ପଶୁ ରହିବା ଗୃହ ଦେଖିବାକୁ ମିଳିଥାଏ ।
No Result
View All Result