ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର 31.3.2020 :- ରାଜ୍ୟ ବାହାରେ ରହିଥିବା ଲୋକମାନେ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । କାରୋନା ମୁକାବିଲା ପାଇଁ ଲକ ଡାଉନ ଜାରି ରହିଛି । ସେମାନଙ୍କୁ ସେଠାରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଚାଲିଛି । ତେବେ ରାଜ୍ୟ ବାହାରେ ଏବେ ଦେଢ଼ ଲକ୍ଷ ଓଡିଆ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଗୃହ ସଚିବ ସଞ୍ଜୀବ ଚୋପ୍ରା । ସେ କହିଛନ୍ତି ୪୦ ହଜାର ଲୋକଙ୍କ ସହିତ ଯୋଗାଯୋଗରେ ରହିଛୁ । କଣ୍ଟ୍ରୋଲ ରୁମକୁ ୫ ହଜାର ୨୦୦ କଲ୍ ଆସିଛି ।
ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସ୍ଥିତି ନେଇ ଆଲୋଚନା କରଯାଇଥିଲା । ବୈଠକ ପରେ ଗୃହ ସଚିବ ଶ୍ରୀ ଚୋପ୍ରା କହିଲେ ଶହେରୁ ଅଧିକ ଲୋକ ଯେଉଁଠି ଅଛନ୍ତି ସେହି ସ୍ଥାନ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରାଯାଇ ସବୁ ଲୋକଙ୍କ ପାଖରେ କିଭଳି ଖାଦ୍ୟ ଓ ଔଷଧ ପହଞ୍ଚିବ ସେଥିପାଇଁ ପଦକ୍ଷେପ ନିଆଯାଉଛି । ଗୁଜୁରାଟ, ଦିଲ୍ଲୀ ଓ ଏନସିଆର୍ ଅଞ୍ଚରେ ସବୁଠାରୁ ଅଧିକ ଓଡ଼ିଆ ବାହାରେ ରହିଥିବାରୁ ସେମାନଙ୍କ ସହିତ ଯୋଗାଯୋଗ ପାଇଁ ଚେଷ୍ଟା ଚାଲିଛି । ନୋଡାଲ୍ ଅଫିସରମାନେ ସରକାରଙ୍କୁ ଏନେଇ ରିପୋର୍ଟ ଦେଉଛନ୍ତି ବୋଲି ସେ କହିଛନ୍ତି ।