ନିୟନ୍ତ୍ରଣ କକ୍ଷରେ ବାସ୍ତବ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର, 2020 :- କୋଭିଡ୍-୧୯ ପରିପ୍ରେକ୍ଷୀରେ ସାରା ଦେଶରେ ହୋଇଥିବା ତାଲାବନ୍ଦ (ଲକ୍ ଡାଉନ୍) ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଶାର ଶ୍ରମଜୀବୀ, ଛାତ୍ର, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ସହାୟତା ନିମନ୍ତେ ଓଡ଼ିଶା ସରକାର ସ୍ୱତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା କରିଛନ୍ତି । ଇତି ମଧ୍ୟରେ ରାଜ୍ୟ ନିୟନ୍ତ୍ରଣ କକ୍ଷରେ ବୈଷୟିକ ଆଧୁନିକୀକରଣ କରାଯାଇ ୨୦ଟି ଅଧିକ କଲ୍ ନମ୍ବର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ନୋଡାଲ୍ ଅଧିକାରୀ ଭାବେ ନିୟୋଜିତ କରାଯାଇଛି । ଏହି ନୋଡାଲ୍ ଅଧିକାରୀମାନେ ଗୃହ ବିଭାଗରେ କାର୍ଯ୍ୟ କରୁଥିବା ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ୍ ରୁମ୍) ସହ ସଂଯୋଜିତ ରହିବେ । ନିୟନ୍ତ୍ରଣ କକ୍ଷର ଟେଲିଫୋନ୍ ନମ୍ବର -୦୬୭୪-୨୩୯୨୧୧୫ରେ ଆସୁଥିବା କଲ୍ଗୁଡ଼ିକର ଅନୁସରଣ କରି ତଦନୁଯାୟୀ ସଂ ପୃକ୍ତ ରାଜ୍ୟ ସରକାର ଓ ସଂସ୍ଥାମାନଙ୍କ ସହ ଯୋଗାଯୋଗ କରି ସେଠାରେ ଅଟକି ରହିଥିବା ଓଡ଼ିଆମାନଙ୍କ ନିମନ୍ତେ ମୌଳିକ ଆବଶ୍ୟକତା ଗୁଡ଼ିକର ବ୍ୟବସ୍ଥା କରାଇବେ ।
ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ରାଜ୍ୟ ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ସେଠାରେ ବାସ୍ତବ ସ୍ଥିତି ପରଖିଥିଲେ । ନିୟନ୍ତ୍ରଣ କକ୍ଷରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, କୋଭିଡ୍- ୧୯ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ବିଶାଲ ଦେବ ଓ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀ ଅମିତାଭ୍ ଠାକୁରଙ୍କ ସମେତ ନିୟନ୍ତ୍ରଣ କକ୍ଷରେ କଲ୍ ଗ୍ରହଣ କରୁଥିବା ଅଧିକାରୀମାନଙ୍କ ସହିତ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଆଲୋଚନା କରିଥିଲେ । ପରେ ପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ବର୍ତ୍ତମାନ ନିୟନ୍ତ୍ରଣ କକ୍ଷକୁ ମୁଖ୍ୟତଃ କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲ୍ନାଡ଼ୁ, ତେଲେଙ୍ଗାନା ଓ ଗୁଜୁରାଟ ଆଦି ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ଠାରୁ ଟେଲିଫୋନ୍ ଆସୁଛି ଏବଂ ସେସବୁ ବିଷୟରେ ସଂପୃକ୍ତ ରାଜ୍ୟ ପ୍ରଶାସନ ସହ ଯୋଗାଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ପ୍ରାୟ ୧୫ ହଜାରରୁ ଊଦ୍ଧ୍ୱର୍ ଲୋକମାନଙ୍କ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ପାଇଁ ନିମ୍ନୋକ୍ତ ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ୍ ଅଧିକାରୀ ଭାବେ ନିୟୋଜିତ କରାଯାଇଛି ।