No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଜୁନ୍ ଶନିବାର) ପୁରୀ :- ଅଣସର ପିଣ୍ଡିରେ ଶ୍ରୀବିଗ୍ରହମାନଙ୍କ ଅଣସର ସେବା ଗତ ରାତିରୁ ଆରମ୍ଭ ହୋଇଛି । ସ୍ନାନପୂର୍ଣ୍ଣିାମା ରାତିରୁ ମହାପ୍ରଭୁଙ୍କ ଗୋପନ ନୀତି ଆରମ୍ଭ ହେବା ୫୦୦ ବର୍ଷରେ ଦ୍ୱିତୀୟ ଘଟଣା । ସ୍ନାନପୂର୍ଣ୍ଣିମା ରାତିରୁ ଅସୁସ୍ଥ ଶ୍ରୀଜିଉ ଜ୍ୱର ଜନିତ ଅସୁସ୍ଥତା କାରଣରୁ ଅଣସର ପିଣ୍ଡିରେ ଅଟକି ରହିଛନ୍ତି । ଅସୁସ୍ଥ ଶ୍ରୀବିଗ୍ରହଙ୍କ ରୋଗ ନିରାକରଣ ପାଇଁ ଗୋପନୀୟ ଚିକିତ୍ସା ସେବା ଅଣସର ପିଣ୍ଡିରେ ଆରମ୍ଭ ହୋଇଛି । ଆଜି ଅଣସରର ତୃତୀୟ ଦିନରେ ଶ୍ରୀବିଗ୍ରହଙ୍କ ଓଦାବସ୍ତ୍ର ଫିଟା ନୀତି ସମ୍ପନ୍ନ ହେବ ବୋଲି ସେବାୟତ କହିଛନ୍ତି ।
ଦଇତାପତି ସେବକଙ୍କ ସୂଚନା ମୁତାବକ ପୂର୍ଣ୍ଣିମା ତିଥିର ସ୍ନାନଯାତ୍ରାରେ ମାତ୍ରାଧିକ ଜଳ ଲାଗି କାରଣରୁ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଓଦା ହୋଇଯାଇଛି। ଏହି ଓଦା ବସ୍ତ୍ରକୁ ଶନିବାର ରାତିରେ ଦଇତାପତି ସେବକମାନେ ଗୋପନ ସେବାରେ ଫିଟାଇବେ। ଗୋପନ ନୀତିର ଓଦା ବସ୍ତ୍ର ଫିଟିବା ପରେ ଚକଟା ଭୋଗ, ପଣାଭୋଗ ସରିବା ପରେ ବେହରଣ ଦ୍ୱାର ଖୋଲିବ । ଅଣସର ବାସରେ ଠାକୁରଙ୍କୁ ଧଳା ଫୁଲ ଲାଗି ହେବାର ପରମ୍ପରା ମଧ୍ୟ ଆରମ୍ଭ ହୋଇଛି । ଓଦାବସ୍ତ୍ର ଫିଟିବା ପରେ ଜୟବିଜୟ ଦ୍ୱାର ଖୋଲାଯାଇ ସନ୍ଧ୍ୟା ଧୂପ ଏବଂ ବଡ଼ସିଂହାର ଭୋଗ ଲାଗି ହେବ । ଏହା ପରଦିନ ପ୍ରଭୁଙ୍କ ଗୋପନ ନୀତିରେ ଶ୍ରୀଅଙ୍ଗ ଫିଟା ନୀତି ପାଳନ କରିବେ ଦଇତାପତି ସେବକ।
ସ୍ନାନମଣ୍ଡପରେ ବିଜେ ଶ୍ରୀବିଗ୍ରହଙ୍କ ହାତୀବେଶ ଓଲାଗି ପରେ ବାହୁଡ଼ା ପହଣ୍ଡି ନୀତି ହୋଇଥିଲା । ରାତି ସାଢ଼େ ୧୦ଟା ସୁଦ୍ଧା ବାହୁଡା ପହଣ୍ଡି ଶେଷ ହୋଇଥିଲା । ବାହୁଡ଼ା ପହଣ୍ଡି ପ୍ରସ୍ତୁତି ପୂର୍ବରୁ ମହାପ୍ରଭୁଙ୍କ ପୁଷ୍ପାଞ୍ଜଳି, ଡୋର ଲାଗି ନୀତି ସମ୍ପନ୍ନ ହୋଇଥିଲା । ମହାପ୍ରଭୁଙ୍କ ବାହୁଡ଼ା ପହଣ୍ଡି ଗତକାଲି ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଥିଲା । ପ୍ରଥମେ ମଦନମୋହନ ପରେ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲେ । ଏହା ପରେ ବଡ଼ଠାକୁର, ମା’ ସୁଭଦ୍ରା, ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିଥିଲେ । ବାହୁଡ଼ା ପହଣ୍ଡିରେ ମହାପ୍ରଭୁ ବିଜେ କରିବା ବେଳେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ ।
ଲୋକକଥା ଓ ଲୋକବିଶ୍ୱାସ ରହିଛି ମହାପ୍ରଭୁଅତ୍ୟଧିକ ଜଳ ସ୍ନାନ କରିବା କାରଣରୁ ଜ୍ୱର ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହି କାରଣରୁ ମହାପ୍ରଭୁଙ୍କୁ ଅଣସର ପିଣ୍ଡିରେ ଅଟକିବାକୁ ପଡ଼ିଛି । ତେଣୁ ଏହି ପିଣ୍ଡିରେ ମହାପ୍ରଭୁଙ୍କ ରୋଗ ଉପଚାର ହେଉଛି । ରୋଗ ଉପଚାର କାରଣରୁ ମହାପ୍ରଭୁଙ୍କ ସୁବର୍ଣ୍ଣ ଚିତା ଏବଂ ସୁବର୍ଣ୍ଣ ରାହୁରେଖା ଓଲାଗି ନୀତି ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଥିଲା ।
ବଡ଼ଦେଉଳ ବୈଦ୍ୟଙ୍କ ପରାମର୍ଶରେ ମହାପ୍ରଭୁଙ୍କ ରୋଗ ଉପଚାର ହେଉଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଅଣସର ପିଣ୍ଡି ବିଜେ ବେଳେ ଗୋପନ ସେବାରେ ନିୟୋଜିତ ହେବେ । ଏହି ସବୁ ଉପଚାର ଏବଂ ସେବାକୁ ଗୋପନ ରଖାଯିବ । ଅଣସର ପିଣ୍ଡିରେ ଦଶମୂଳ ଔଷଧୀ ଲାଗି ସହ ଠାକୁରଙ୍କ ଚିକିତ୍ସା ହେବ । ଜ୍ୱରରୋଗର ଉପଚାର ପରେ ମହାପ୍ରଭୁ ସୁସ୍ଥ ହେବେ । ପ୍ରଭୁଙ୍କର ନବଯୌବନ ଆରମ୍ଭ ହେବ । ତା ପରେ ନେତ୍ରୋତ୍ସବ ସରି ମହାପ୍ରଭୁ ନବଯୌବନ ପ୍ରାପ୍ତି ହେବାର ଧର୍ମବିଶ୍ୱାସ ରହିଛି ।
No Result
View All Result