ଓଡ଼ିଶାରେ ଗତକାଲି ତୃତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଜଣେ ବିଧାନସଭା କର୍ମଚାରୀ ଆସିଛନ୍ତି । ସେଥିପାଇଁ ୩୦ ତାରିଖରେ ଲୋକସଭା ଭବନରେ ବିଧାନସଭା ବସିବ ଓ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ । ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି ।
ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ବିଧାନସଭାର ଜଣେ କର୍ମଚାରୀ 27.3.2020 :- ଗତକାଲି ରାତିରେ ଆମେ ଜାଣିବାକୁ ପାଇଲୁ ଯେ ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ରୋଗୀ ସଂସ୍ପର୍ଶରେଆସିଛନ୍ତି । ତେଣୁ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ରେ ରହିବା ପାଇଁ କୁହାଯାଇଛି । ତା’ସହିତ ବିଧାନସଭା କୋଠାକୁ ଡିସ୍ଇନ୍ଫେକ୍ସନ୍ କରିବା ମଧ୍ୟ ଆବଶ୍ୟକ ହୋଇପଡ଼ିଛି । ବାଚସ୍ପତି ଆହୁରି କହିଛନ୍ତି ଯେ ଲୋକସେବା ଭବନ କନ୍ଭେନ୍ସନ୍ ହଲ୍ରେ ବିଧାନସଭା ବସିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକମାନେ ଦୁଇ ମିଟର ଦୂରରେ ବସିବେ । ତେଣୁ ସବୁ ଦଳର ନେତାଙ୍କୁ ସେମାନଙ୍କର ୩୦ ପ୍ରତିଶତ ବିଧାୟକଙ୍କୁ ନେଇକି ଆସିବାକୁ କୁହାଯାଇଛି ।
ସେହିଭଳି ବିଧାୟକମାନଙ୍କୁ ନଅଟକାଇବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଜଣାଇ ଦେଇଛୁ । ସରକାରଙ୍କ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି ଯେ ଓଡ଼ିଶାରେ କରୋନାରେ ଆକ୍ରାନ୍ତ ହୋଇଥିବା ତୃତୀୟ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର । ତାଙ୍କ ବୟସ ୬୦ ବର୍ଷ । ସେ ମାର୍ଚ୍ଚ ୭ ତାରିଖରେ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀରୁ ହରିଆଣାର ରିୱାଡ଼ା ଯାଇ ୧୦ ତାରିଖରେ ଭୁବନେଶ୍ୱର ଫେରିଥିଲେ । ଇଣ୍ଡିଗୋ ବିମାନ 6E 2014 ବିମାନରେ ସେ ଫେରିଥିଲେ । ତାଙ୍କ ସହିତ ତାଙ୍କ ପତ୍ନୀ ଓ ଝିଅ ଥିଲେ । ମାର୍ଚ୍ଚ ୧୩ରେ ସେ ଅସୁସ୍ଥ ଅନୁଭବ କରିଥିଲେ ।
ତେଣୁ ମାର୍ଚ୍ଚ ୧୬ରେ ବିଧାନସଭା ଡିସ୍ପେନ୍ସାରୀକୁ ଚିକିତ୍ସା ପାଇଁ ଯାଇଥିଲେ । ଏହା ପରେ୨୧ରେ କର କ୍ଲିନିକ ଯାଇ ୨୩ରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ୨୪ରେ ସେଠାରୁ ଡିସାର୍ଚଜ୍ ହେବା ପରେ ୨୫ରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍କୁ ଯାଇଥିଲେ । ସେଦିନ ତାଙ୍କୁ ସେଠାରେ ଆଡ୍ମିଟ୍ କରାଯାଇଥିଲା । ତା’ପରେ ତାଙ୍କ ନମୁନା ପରୀକ୍ଷା ପାଇଁ ପଠା ଯାଇଥିଲା । ଗତକାଲି ରିପୋର୍ଟ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା ।