No Result
View All Result
ସ୍ନାନଯାତ୍ରାରେ ‘ମୁଦିରସ୍ତ’ କରିବେ ଛେରା ପହଁରା ପୁରୀ ଗଜପତି ମହାରାଜାଙ୍କ ସଚିବଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ କୋଭିଡ କଟକଣା ପାଇଁ ସ୍ନାନ ଯାତ୍ରାରେ ଗଜପତି ମହାରାଜା ଛେରା ପହଁରା ନକରି ଗଜପତି ଙ୍କ ତରଫରୁ ‘ମୁଦିରସ୍ତ’ ଏହି କାର୍ଯ୍ୟ ସମ୍ପାଦନ କରିବେ l
ଓଡ଼ିଶା ତାଜା ନ୍ୟୁଜ (୨୩ ଜୁନ୍ ବୁଧବାର) ପୁରୀ :- ଏଥର ସ୍ନାନ ଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । କୋଭିଡ୍ କଟକଣା ଯୋଗୁଁ ପ୍ରଥମେ ବିନା ଭକ୍ତରେ ସ୍ନାନ ଯାତ୍ରା କରିବାକୁ ନିଷ୍ପତି ନିଆ ଯାଇଥିବା ବେଳେ, ଏବେ ସେହି କରୋନା ମହାମାରୀ ଯୋଗୁଁ ଆଉ ଏକ ପରାମ୍ପରା ମଧ୍ୟ ଭଙ୍ଗ ହୋଇଛି ବୋଲି କୁହାଯାଇପାରେ । ଏଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ନାନଯାତ୍ରା ବେଳେ ଗଜପତି ମହାରାଜ ଛେରାପହଁରା କରିବେ ନାହିଁ । ବର୍ଷ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରା ଏଥର କୋଭିଡ୍ କଟକଣା ପାଇଁ ବାଦ୍ ପଡ଼ିଲା । ତେବେ ନୀତି ଅନୁଯାୟୀ ଏଥର ଗଜପତି ମହାରାଜଙ୍କ ବଦଳରେ ତାଙ୍କ ପ୍ରତିନିଧି ମୁଦିରସ୍ତ କରିବେ ଛେରାପହଁରା । ଏନେଇ ଗଜପତି ମହାରାଜାଙ୍କ କାର୍ଯ୍ୟାଳୟ ପକ୍ଷରୁ ସଚିବ ସୂଚନା ଦେଇଛନ୍ତି ।
ତେବେ ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଆଜି ରାତିରୁ ଲାଗୁ ହେବ ୧୪୪ ଧାରା । ରାତି ୧୦ଟାରୁ ୧୪୪ ଧାରା ଜାରି ହୋଇ ୨୫ ତାରିଖ ଯାଏଁ ଏହା ବଳବତ୍ତର ରହିବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବଂ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପୁରୀ ପ୍ରବେଶ ପାଇଁ ଅନୁମତି ରହିଛି । ଆଦେଶ ଉଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସ୍ନାନ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ନାନ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ମୁତୟନ ହେବେ ୩୫ ପ୍ଲାଟୁନ୍ ଫୋର୍ସ ୫ ଜଣ ଅତିରିକ୍ତ ଏସ୍ପି, ୨୩ ଡିଏସ୍ପି ଏବଂ ୪୧ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ ସୁରକ୍ଷା ଦୃଷ୍ଟିରୁ ସହରକୁ ୬ଟି ଜୋନ୍ରେ ବିଭକ୍ତ କରାଯାଇଥିବା ବେଳେ ୧୫ଟି ସିସିଟିଭି କ୍ୟାମେରା ଲଗାଯାଇଛି ।
ସେହିଭଳି ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ନିତିକାନ୍ତି ଶୃଙ୍ଖଳିତ କରାଯାଇ କାଲି ସକାଳ ସାଢେ ୭ଟାରୁ ଶ୍ରୀଜିଉଙ୍କଠାରେ ଜଳଲାଗି ପାଇଁ କରାଯାଇଛି ବ୍ୟବସ୍ଥା । ସ୍ନାନ ଯାତ୍ରାରେ ଭାଗ ନେବାକୁ ଥିବା ୯୦ ଭାଗ ସେବାୟତ ଓ କର୍ମଚାରୀଙ୍କ ଆରଟିପିସିଆର ଟେଷ୍ଟ ନେଗେଟିଭ ଆସିଛି । ଅନ୍ୟପଟେ ସେବାୟତମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକାକରଣ ମଧ୍ୟ ଜାରି ରହିଛି । ପାଳିଆ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ସ୍ନାନ ପୂର୍ଣ୍ଣିମା ପାସ୍ । ଏହା ଗୋଟିଏ ଦିନ ପର୍ଯ୍ୟନ୍ତ ଉଦ୍ଦିଷ୍ଟ । ରଥଯାତ୍ରା ପାଇଁ ନୂଆ ପାସ୍ ଜାରି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସ୍ନାନଯାତ୍ରା ଲାଗି ଆଜି ରାତିରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି ନୀତି ।
ତେବେ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇ-ଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି ।
ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ । ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି l ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ହୁଏ । ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ । (ଲାଲା ଅନନ୍ତ କୁମାର ସିଂହଁ )
No Result
View All Result