No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର ) ମାନାମା/ଆୱାଲି/ଭୁବନେଶ୍ୱର :- ବାହାରିନ ଓଡ଼ିଆ ସମାଜ ତରଫରୁ ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ସମାଜ ପକ୍ଷରୁ ଆୟୋଜିତ ଏକ ଅନଲାଇନ ଯୋଗ ସଚେତନତା ଶିବିରରେ, ଏହି ଦ୍ଵୀପ ଦେଶରେ ବସବାସ କରୁଥିବା ଓଡ଼ିଆ ଅଧିବାସୀ ମାନେ ସେମାନଙ୍କର ପରିବାରବର୍ଗଙ୍କ ସହିତ ଯୋଗ ଦେଇଥିବା ଦେଖାଯାଇଥିଲା । ଭୁବନେଶ୍ୱରରୁ ଯୋଗ ବିଶେଷଜ୍ଞ ସରିତାଞ୍ଜଳି ନାୟକ ଏହି ଶିବିର କୁ ଭିଡ଼ିଓ କନଫରେନସିଂ ଜରିଆରେ ସଞ୍ଚାଳନ କରିଥିଲେ । ଏହି ଲାଇଭ ଷ୍ଟ୍ରିମିଙ୍ଗ ଅଧିବେଶନ କାଳରେ ଚଳିତ ଯୋଗ ଦିବସର ବିଷୟବସ୍ତୁ ; ସୁସ୍ଥ ଜୀବନଯାପନ ପାଇଁ ଯୋଗର ଆବଶ୍ୟକତା ଓ ସ୍ଵଗୃହରୁ ଯୋଗାଭ୍ୟାସ କରାଯିବାର ବାର୍ତ୍ତା ଉପରେ ସଂଗଠକ ମାନେ ଆଲୋକପାତ କରିଥିଲେ ।

ବିଶେଷ କରି ବର୍ତ୍ତମାନର କରୋନା ମହାମାରୀଜନିତ ସଙ୍କଟ କାଳରେ ଯୋଗ ଦ୍ବାରା କିଭଳି ବିମର୍ଷ ଭାବକୁ ଦୂର କରାଯାଇ ମାନବ ମନରେ ସାକାରାତ୍ମକ ଚିନ୍ତା ଧାରା ଅନୁପ୍ରବେଶ କରାଯାଇପାରିବ, ସେ ସମ୍ପର୍କରେ ଚର୍ଚ୍ଚା କରାଯାଇଥିଲା । ଯୋଗ ବିଜ୍ଞାନ ଅନୁଶୀଳନ ଦ୍ବାରା ଶାରୀରିକ ଓ ମାନସିକ ସ୍ତରରେ ସନ୍ତୁଳନ ଓ ସଂହତି ରକ୍ଷା କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଫଳସ୍ୱରୁପ ମାନବ ସମାଜର ସର୍ବମଙ୍ଗଳ ସକାଶେ ବ୍ୟକ୍ତିଗତ ସଚେତନତା ତଥା ସାମୂହିକ ସଚେତନତା ଭଦ୍ରେକ କରାଯିବା ସମ୍ଭବପର ହୋଇପାରୁଥିବା ମତ ପ୍ରକାଶ ପାଇଥିଲା । ବାହାରିନ ଓଡ଼ିଆ ସମାଜର ସଭାପତି ଦୀନେଶ ମହାନ୍ତି ଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ଭର୍ଚୁଆଲ କାର୍ଯ୍ୟକ୍ରମକୁ ସଂଗଠନର ମହିଳା ସଦସ୍ୟ ମାନେ ପରିଚାଳନା କରିଥିଲେ । ଉତ୍ସବ ଆୟୋଜନ କରିବାରେ ଓଡ଼ିଆ ସମାଜର ସଦସ୍ୟ ବିଦୁଶ ନନ୍ଦ, ସସ୍ମିତା ରାଉତ, ଜୟଦୀପ ଜେନା, ଅନିତା ସଂଗ୍ରାମ ରଣସିଂହ ଏବଂ ସୁଶାନ୍ତ ପଣ୍ଡା ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
No Result
View All Result