ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ :-୨୦୨୦ କରୋନା ସଂକ୍ରମଣ (କୋଭିଡ୍-୧୯)କୁ ପ୍ରତିହତ କରିବା ପାଇଁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ତାଲାବନ୍ଦ (ଲକ୍ ଡାଉନ୍) ଜାରି କରାଯାଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଓ ପରିବହନକୁ ସୁଗମ କରିବା ପାଇଁ ବିହିତ ବ୍ୟବସ୍ଥା ଗ୍ରହଣ ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଦୁଇରୁ ୩ ସପ୍ତାହ କିମ୍ବା ପରବର୍ତ୍ତୀ ଏକ ମାସ ପର୍ଯ୍ୟନ୍ତ ଓଡ଼ିଶା ରେ ଖାଦ୍ୟଶସ୍ୟ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଚାହିଦା ଓ ବର୍ତ୍ତମାନର ମହଜୁଦ ସ୍ଥିତିର ସଠିକ୍ ଆକଳନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଯଦି କୌଣସି କ୍ଷେତ୍ରରେ ନିଅଣ୍ଟ ଥାଏ ତେବେ ତାହାକୁ ଅବିଳମ୍ବେ ହୋଲ୍ସେଲ୍ରଙ୍କ ମାଧ୍ୟମରେ ଆମଦାନୀ କରାଯିବା ପାଇଁ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥି ସହିତ ଶ୍ରୀ ସ୍ୱାଇଁ କହିଛନ୍ତି ବର୍ତ୍ତମାନ ରାଜ୍ୟରେ ରନ୍ଧନ ଗ୍ୟାସର କୌଣସି ଅଭାବ ନାହିଁ । ତେବେ ଭବିଷ୍ୟତରେ ରନ୍ଧନଗ୍ୟାସର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ତିନୋଟି ଯାକ ତୈଳ କମ୍ପାନୀ ସହିତ ନିୟମିତ ଯୋଗାଯୋଗ କରିବା ପାଇଁ କହିଛନ୍ତି । ଆବଶ୍ୟକ ହେଲେ ବିଭାଗ ଦ୍ୱାରା ପ୍ରତ୍ୟେକ ଦିନ ରନ୍ଧନ ଗ୍ୟାସ ଯୋଗାଣର ସ୍ଥିତି ସଂପର୍କରେ ସମୀକ୍ଷା କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଛନ୍ତି । ଏଥି ସହିତ ଆତଙ୍କିତ ନହୋଇ ଅଧିକ ମାତ୍ରାରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ ନ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହା ଦ୍ୱାରା ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଯୋଗାଣ ଉପରେ ଅହେତୁକ ଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ନିକଟରେ ଯଥେଷ୍ଟ ପରିମାଣରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି । ତେଣୁ ଜନସାଧାରଣ ବିବ୍ରତ ନହେବା ନିମନ୍ତେ ଗଣମାଧ୍ୟମରେ ନିୟମିତ ବିଜ୍ଞାପନ ମାଧ୍ୟମରେ ସଚେତନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଛନ୍ତି ।