ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର 23.3.2020 :- ଶାସକ ବିଜେଡି ପକ୍ଷରୁ ସୋଶାଲ ମିଡିଆରେ ସାଧାରଣ ଲୋକଙ୍କୁ ସଚେତନତା କରାଯାଉଛି । ଦଳର ଅଧିକାଂଶ ନେତାମାନେ ସୋସିଆଲ ମିଡିଆରେ ଭିଡିଓ ସନ୍ଦେଶ ଦେଇ ପରିସ୍ଥିତିର ଦୃଢ଼ ମୁକାବିଲା ପାଇଁ ସାଧାରଣ ଲୋକଙ୍କ ମନୋବଳକୁ ବୃଦ୍ଧି କରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ମନ୍ତ୍ରୀ ଅରୁଣ ସାହୁ, ସାଂସଦ ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ନବନିର୍ବାଚିତ ସାଂସଦ ସୁଜିତ୍ କୁମାର, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ସହଅଧ୍ୟକ୍ଷ ବିଜୟ ନାୟକ ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ସୋଶାଲ ମିଡିଆରେ ନିୟମିତ ଭିଡିଓ ପୋଷ୍ଟ୍ କରି କରୋନା ସମ୍ପର୍କିତ ରାଜ୍ୟ ସରକାରଙ୍କ ପରାମର୍ଶନାମାକୁ ପାଳନ ପାଇଁ ଆହ୍ୱାନ ଜଣାଉଛନ୍ତି ।
ସମଗ୍ର ବିଶ୍ୱରେ ମହାମାରୀ ରୂପ ନେଇଥିବା ‘କରୋନା’କୁ ଓଡ଼ିଶା ସରକାର ‘ରାଜ୍ୟ ବିପର୍ଯ୍ୟୟ’ ଘୋଷଣା କରି ଏବେ ୧୪ଟି ଜିଲ୍ଲାରେ ଲକଡାଉନ୍ ସହ ବ୍ୟାପକ ପଦକ୍ଷେପ ନେଇଥିବାବେଳେ ଶାସକ ବିଜେଡି ପକ୍ଷରୁ ସୋଶାଲ ମିଡିଆରେ ସାଧାରଣ ଲୋକଙ୍କୁ ସଚେତନତା କରାଯାଉଛି । ବିଜେଡିର ବରିଷ୍ଠ ନେତା ଶ୍ରୀ ଦାସବର୍ମା ରାଜ୍ୟବାସୀଙ୍କ ନିମନ୍ତେ କରୋନା ସଚେତନତା ବାର୍ତ୍ତା ଦେଇଥିବାବେଳେ ମନ୍ତ୍ରୀ ଶ୍ରୀ ସାହୁ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ କରୋନା ପ୍ରତି ସତର୍କ ରହିବାକୁ ସନ୍ଦେଶ ଦେଇଥିଲେ । ସାଂସଦ ସସ୍ମିତ ପାତ୍ର,ଅମର ପଟ୍ଟନାୟକ ଓ ସୁଜିତ୍ କୁମାର ସୋଶାଲ ମିଡିଆରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ ମୁଖ୍ୟମନ୍ତ୍ରୀଙ୍କ ଅପିଲକୁ ଶେୟାର କରୁଥିବାବେଳେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ନିୟମିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ସନ୍ଦେଶ ଓ ନିଜସ୍ୱ ଭିଡିଓ ପ୍ରସ୍ତୁତ କରି ଦଳର ଫେସବୁକ୍ ପେଜ୍ ମାଧ୍ୟମରେ ଶେୟାର କରୁଥିବା ଦେଖିବାକୁ ମିଳିଛି । ଶ୍ରୀମତୀ ମିଶ୍ର ଗତକାଲି ‘ଘରେ ରୁହ, ନିରାପଦ ରୁହ’ ବୋଲି ପରାମର୍ଶ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ସାମାଜିକ ଦୂରତ୍ୱ ରକ୍ଷା ନିମନ୍ତେ ଯଥାସମ୍ଭବ ପ୍ରୟାସ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଥିଲେ ।