ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର 22.3.2020 :- ଅପରାହ୍ନ ଠିକ୍ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଘର ନବୀନ ନିବାସ ଛାତ ଉପରୁ ସମସ୍ତଙ୍କୁ ହାତ ହଲାଇ ଉତ୍ସାହିତ କରିଥିଲେ । ମୁଖ୍ୟମନ୍ତ୍ରୀ ଏକ ବେଲଣା କାଠିରେ ଥାଳି ବଜାଇ ଅସଲ ଯୋଦ୍ଧାମାନଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଥିଲେ । ଲୋକସେବା ଭବନର ପ୍ରବେଶ ଦ୍ୱାରରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ମିଶନ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଛିଡ଼ା ହୋଇ ଗୋଟିଏ ହାତରେ କରୋନା ସଚେତନାର ପ୍ଲାକାର୍ଡ ଧରିଥିବା ବେଳେ ଅନ୍ୟ ହାତରେ ଘଣ୍ଟି ବଜାଇଥିଲେ । ଶେଷରେ ତାଳିମାରି ଉତ୍ସାହିତ କରିଥିଲେ ।
ସମଗ୍ର ଦେଶବାସୀଙ୍କ ସହ ମିଶି ଆଜି ଏହି ବାର୍ତ୍ତା ଦେଇଛନ୍ତି ଓଡ଼ିଶାବାସୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ‘ଜନତା କର୍ଫ୍ୟୁ’ ପାଳନ ବେଳେ ତାଳି, ଥାଳି, ଘଣ୍ଟି ଓ ଶଙ୍ଖ ବଜାଇ ଜରୁରୀ,ଅତ୍ୟାବଶ୍ୟକ ସେବାରେ ନିୟୋଜିତ ବ୍ୟକ୍ତିବିଶେଷଙ୍କୁ ସମ୍ମାନ,କୃତଜ୍ଞତା ଜଣାଇ ଉତ୍ସାହିତ କରିଛନ୍ତି । ୫ ମିନିଟ୍ ଜାଗାରେ ପାଖାପାଖି ଅଧଘଣ୍ଟା ଧରି ଅନେକଙ୍କ ଘରୁ ଶୁଭିଥିଲା ତାଳି, ଥାଳି, ଘଣ୍ଟି ଓ ଶଙ୍ଖର ସ୍ୱର । ଗାଁଠାରୁ ସହରବାସୀ, ଗରିବଠାରୁ ଧନୀ, ମୂଲିଆଠାରୁ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ସମସ୍ତେ ଏଥିରେ ସାମିଲ ହୋଇଥିଲେ । ରାଜଧାନୀ ସମେତ ଓଡ଼ିଶାର ପ୍ରତ୍ୟେକ ଗାଁ ଗଣ୍ଡା ଏବଂ ସହରରେ ଏହି ଅଦ୍ଭୂତପୂର୍ବ ମାହୋଲ୍ ଦେଖିବାକୁ ମିଳିଥିଲା ।
ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜ ଘରର ଛାତ ଉପରେ ରହି ତାଳି ଓ ଘଣ୍ଟି ବଜାଇଥିଲେ । ମନ୍ତ୍ରୀ, ବିଧାୟକଙ୍କଠାରୁ ଆରମ୍ଭ ବିଭିନ୍ନ ରାଜନୈତିକ ଦଳର, ସାଧାରଣ କର୍ମୀ ନିଜ ନିଜ ଜାଗାରେ ଏହା କରିଥିଲେ ।