No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁନ୍ , ଗୁରୁବାର ) ଭୁବନେଶ୍ୱର :- ବିପର୍ଯ୍ୟୟ ପ୍ରବଣ ଅଂଚଳଗୁଡ଼ିକରେ ଦୀର୍ଘମିଆଦୀ ପଦକ୍ଷେପ ସ୍ୱରୂପ, ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ହେଉଛି ସମୟର ଆହ୍ୱାନ ବୋଲି ରାଜ୍ୟ ଉନ୍ନୟନ କମିସନର ତଥା ସ୍ୱତନ୍ତ୍ର ରିଲିଫ୍ କମିସନର ପି କେ ଜେନା କହିଛନ୍ତି । ସେ କହିଛନ୍ତି ଯେ ଆମକୁ ଦୀର୍ଘମିଆଦୀ ସମାଧାନ ଦରକାର । ଘର ତିଆରି କରିବା ବେଳେ ସବୁ ସୁରକ୍ଷା ଓ ପ୍ରତିରୋଧୀ ବ୍ୟବସ୍ଥାକୁ ନଜର ରଖିବା ଲାଗି ସେ ଲୋକମାନଙ୍କୁ ଆହ୍ୱାନ ଦେଇଥିବା ବେଳେ ସୌନ୍ଦର୍ଯ୍ୟକରଣରେ ଟଙ୍କା ବରବାଦ ନକରିବାକୁ କହିଛନ୍ତି । ସରକାରୀ ସହାୟତାର ହାଉସିଂ କାର୍ଯ୍ୟକ୍ରମ ଓ ସରକାରୀ କୋଠାଗୁଡ଼ିକ ମଧ୍ୟ ବିପର୍ଯ୍ୟୟ ପ୍ରତିରୋଧକତା ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ସେ କହିଛନ୍ତି ।

ଇଣ୍ଡିଆନ୍ ଚାମ୍ବର ଅଫ କମର୍ସ (ଆଇସିସି) ତରଫରୁ “ବିପର୍ଯ୍ୟୟ ପରବର୍ତୀ : ଓଡ଼ିଶାର ଉପକୂଳରେ ବାତ୍ୟା ପ୍ରତିରୋଧର ଗୃହ ନିର୍ମାଣ-ସୁଲଭ ବାସଗୃହ ଉପରେ ଗୁରୁତ୍ୱ’ ବିଷୟବସ୍ତୁ ଉପରେ ଭର୍ଚୂଆଲ୍ ପ୍ଲାଟଫର୍ମରେ ଆୟୋଜିତ ହୋଇଥିବା ଏକ ୱେବିନାରରେ ସ୍ୱତନ୍ତ୍ର ରିଲିଫ୍ କମିସନର ଆହ୍ୱାନ ଦେଇ ରାଜ୍ୟର ସମସ୍ତ ବିପର୍ଯ୍ୟୟ ପ୍ରଭାବିତ ବ୍ଲକ୍ରେ “ଗୃହ ସହାୟତା ସେବା ହବ୍’ର ଆବବଶ୍ୟକତା ଥିବା କହିଛନ୍ତି । ଏହି ହବ୍ ପ୍ରଯୁକ୍ତି ସହାୟତା ପ୍ରଦାନ କରିବ, ବ୍ୟାଙ୍କ ଓ ମାଇକ୍ରୋଫାଇନାନ୍ସ ସଂସ୍ଥା ସହ କ୍ରେଡିଟ୍ ଲିଙ୍କେଜ୍ ନିଶ୍ଚିତ କରିବ ଏବଂ ରାଜମିସ୍ତ୍ରୀ ଓ ଇଞ୍ଜିନିୟର ପେସାରେ ଥିବା ଲୋକମାନଙ୍କ ଦକ୍ଷତାରେ ବୃଦ୍ଧି ଭଳି ସୁବିଧା ପ୍ରଦାନ କରିବ ବୋଲି ସେ କହିଛନ୍ତି ।

ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମିନା କହିଛନ୍ତି ଯେ ଘର ତିଆରି ବେଳେ ସୁରକ୍ଷା ବିଷୟକୁ ଗୁରୁତ୍ୱ ଦେବା ଏବଂ ଯେଉଁଠାରେ ସମ୍ଭବ ସେଥିରେ ସ୍ୱଚ୍ଛତା ଓ ବର୍ଷା ଜଳ ସଂରକ୍ଷଣ ଭଳି ବ୍ୟବସ୍ଥା ଯୋଡ଼ିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଏକ ଆନ୍ଦୋଳନର ଆବଶ୍ୟକତା ରହିଛି । ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ନିର୍ମାଣ ପାଇଁ ସୁଧ ଛାଡ଼କୁ ଏକ ପ୍ରୋତ୍ସାହନ ଭାବେ ସରକାର ବିଚାର କରିପାରିବେ । ସୁଲଭ ବାସଗୃହ କ୍ଷେତ୍ର ଲାଗି ଅଭିନବ ଉତ୍ପାଦ ଜରିଆରେ ପ୍ରମୁଖ ଭୂମିକା ନିର୍ବାହ କରିବା ଲାଗି ସେ ମାଇକ୍ରୋଫାଇନାନ୍ସ ସମେତ ଆର୍ଥିକ ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଇଛନ୍ତି । ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ ବି ପାଣି କର୍ପୋରେଟ୍ ଓ ଶିଳ୍ପ ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଇ ରାଜ୍ୟର ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ଅଭିଯାନରେ ସାମିଲ ହେବାକୁ କହିଛନ୍ତି ।
ଗ୍ରାମାଚଂଳରେ ସ୍ଥାନୀୟ ଗୃହ ନିର୍ମାଣ ଉପକରଣ ବ୍ୟବହାର କରିବା ଉପରେ ସେ ଜୋର ଦେଇଛନ୍ତି । ଆଇସିସି ଓଡ଼ିଶା ପରିଷଦର ସିଏସ୍ଆର୍ ଆଣ୍ଡ୍ ସଷ୍ଟେନେବିଲିଟି କମିଟିର ସଂଯୋଜକ ଜଗଦାନନ୍ଦ “କ୍ଚ୍ଚାରୁ ପକ୍କା ଘର’ ଭଳି ସାମାଜିକ ଆନ୍ଦୋଳନର ଆବଶ୍ୟକତା ରହିଥିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଗୃହକୁ ସରକ୍ଷା ଓ ନିରାପତା ସମେତ ସମ୍ମାନ ଦୃଷ୍ଟିରୁ ଦେଖିବା ଲାଗି ସେ ସରକାର ଓ ଶିଳ୍ପ ଜଗତକୁ ଆହ୍ୱାନ ଦେଇଛନ୍ତି । ଗୋଷ୍ଠୀକୁ କେନ୍ଦ୍ର ସ୍ଥଳରେ ରଖି ଏହି ଅଭିଯାନରେ ସାମିଲ ହେବା ଲାଗି ତୃଣମୂଳ ସ୍ତରରେ ସାମାଜିକ ଏକଜୁଟତା କରିବା ଲାଗି ରାଜ୍ୟରେ ଥିବା ନାଗରିକ ସମାଜଗୁଡ଼ିକୁ ସେ କହିଛନ୍ତି ।

ଏହି ୱେବିନାର୍ରେ ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ହେଉଛନ୍ତି ହାବିଟାଟ ଇଣ୍ଡିଆର ପରିଚାଳନା ନିର୍ଦେଶକ ରାଜନ ସାମୁଏଲ, ସା-ଧନର କାର୍ଯ୍ୟନିର୍ବାହୀ ନିର୍ଦେଶକ ପି ସତୀଶ, ଜେଡ୍ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦେଶକ ତପନ ମହାନ୍ତି, ୟୁଏନଡିପି ଓଡ଼ିଶା କାର୍ଯ୍ୟାଳୟର ମୁଖ୍ୟ ଡକ୍ଟର ଆଭା ମିଶ୍ର, ଏସ୍ଜେ ଡେଭେଲପର୍ସ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦେଶକ ମାତୃଦତ ମିଶ୍ର ଓ ଟାଟା ଷ୍ଟିଲ୍ର ସିଏସ୍ଆର୍ ମୁଖ୍ୟ ଡକ୍ଟର ଅମ୍ବିକା ନନ୍ଦ । ଏହି ଅବସରରେ ୧୦୦ରୁ ଅଧିକ ସିଏସ୍ଆର ପେସାଦାର, କର୍ପୋରେଟ, ସ୍ଥପତି, ନୀତି ନିର୍ଧାରକ, ଏନଜିଓ, ବସତି ବିଶେଷଜ୍ଞ, ଏମ୍ଏଫ୍ଆଇ ଓ ହାଉସିଂ ବ୍ୟାଙ୍କର ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।
No Result
View All Result