No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୬ ଜୁନ୍ ରବିବାର ) ପୁରୁଣା ଭୁବନେଶ୍ୱର :- ଏକାମ୍ର କ୍ଷେତ୍ରରେ ପ୍ରାଚୀନ ମନ୍ଦିରମାନଙ୍କ ମଧ୍ୟରେ ଅନ୍ୟତମ କାରୁକାର୍ଯ୍ୟପୂର୍ଣ୍ଣ ପର୍ଶୁରାମଶ୍ବେର ମନ୍ଦିରରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେଲାଣି । ବିଭିନ୍ନ ସ୍ଥାନରେ ପାଣି ଗଳୁ ଥିବାରୁ ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ ସୂଚନା ମିଳୁଛି। ପ୍ରାୟ ୪ବର୍ଷ ହେଲା ଏହା ଜଣାପଡ଼ିବା ପରେ ମଧ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଫାଟ ନିରୂପଣ କରି ମରାମତି କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ତେଣୁ ଦିନକୁ ଦିନ ମନ୍ଦିର ପ୍ରତି ବିପଦ ବଢ଼ିବାରେ ଲାଗିଛି ।
ପୁରାଣ ତଥ୍ୟାନୁସାରେ, ପର୍ଶୁରାମେଶ୍ବର ହେଉଛନ୍ତି ଶ୍ରୀଲିଙ୍ଗରାଜଙ୍କ ଭଣଜା। ଶ୍ରୀଲିଙ୍ଗରାଜଙ୍କ ୪ମାସ ଶୟନ ବେଳେ ପର୍ଶୁରାମେଶ୍ବର ରାଜ୍ୟ ଦାୟିତ୍ୱ ସମ୍ଭାଳିଥା’ନ୍ତି। ମାତ୍ର ପରିତାପର କଥା, ସେହି ପର୍ଶୁରାମେଶ୍ୱର ଆଜି ପ୍ରତ୍ନତତ୍ତ୍ବ ବିଭାଗର ଅବହେଳାର ଶିକାର ହୋଇ ବର୍ଷାରେ ଭିଜୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ଏହି ମନ୍ଦିର ନିର୍ମିତ। କେଦାରଗୌରୀ ରାସ୍ତାରେ ଥିବା ଏହି ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ। କିନ୍ତୁ ତାହା ଏବେ ଅସୁରକ୍ଷିତ ହୋଇପଡ଼ିଛି। ମନ୍ଦିରର ନାଟ ମଣ୍ଡପ, ଦ୍ୱାରବନ୍ଧ ସହ ମୁଖ୍ୟ ଗର୍ଭଗୃହରେ ପାଣି ଗଳୁଛି। ସେବାୟତମାନଙ୍କ ଅଭିଯୋଗ ଅନୁସାରେ, ଏଏସ୍ଆଇ ପକ୍ଷରୁ ନିୟମିତ ଅନୁଧ୍ୟାନ କରାଯାଉ ନଥିବାରୁ ଏପରି ସମସ୍ୟା ଦେଖାଦେଇଛି। ୪ ବର୍ଷ ହେଲା ମନ୍ଦିରର ବିଭିନ୍ନ ସ୍ଥାନରୁ ପାଣି ଗଳୁଛି ବୋଲି ଏଏସ୍ଆଇକୁ ଅବଗତ କରାଯାଇଛି ।
ପାଣି ଗଳୁ ଥିବାରୁ ପୂଜା କଲା ବେଳେ ସେବାୟତମାନେ ମଧ୍ୟ ନିଜେ ଭିଜୁଛନ୍ତି। ତେଣୁ ଏବେଠାରୁ ଯାଞ୍ଚ କରି ମରାମତି କାମ ନହେଲେ ଫାଟ ବଢ଼ି ବଢ଼ି ମନ୍ଦିରୁ ପଥର ଖସିବା ଯାଏ କଥା ଯିବ ବୋଲି ଆଶଙ୍କା କରାଯାଉଛି। ପୂଜାପଣ୍ଡା ନିଯୋଗ ସଭାପତି କାଶୀନାଥ ପୂଜାପଣ୍ଡାଙ୍କ କହିବା ଅନୁଯାୟୀ, ଶ୍ରୀଲିଙ୍ଗରାଜଙ୍କ ପରେ ରାଜା ହିସାବରେ ଦ୍ବିତୀୟ ମୁଖ୍ୟ ଠାକୁର ହେଉଛନ୍ତି ଶ୍ରୀପର୍ଶୁରାମେଶ୍ବର। ମାତ୍ର ସାମାନ୍ୟ ବର୍ଷାରେ ସେ ଭିଜୁଥିଲେ ମଧ୍ୟ କାହାରି ନଜର ନାହିଁ। ଏନେଇ ଏଏସ୍ଆଇକୁ ସେ ଦାୟୀ କରିଛନ୍ତି। ଏ ସଂପର୍କରେ ଏଏସ୍ଆଇର ଭୁବନେଶ୍ୱର ସଂଗ୍ରହାଧିକ୍ଷକ କହିଛନ୍ତି, ଖୁବ୍ ଶୀଘ୍ର ଅନୁଧ୍ୟାନ କରାଯିବ ।
No Result
View All Result