ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ତା-7.3.2020 ଡ଼କ୍ଟର ଜୀମୂତ ମଂଗରାଜ :- ଓଡ଼ିଶା ଜନତା ଦଳର ପୂର୍ବତନ ସଭାପତି ଅଶୋକ ଦାସ ପ୍ରବାଦ ପୁରୁଷ ଏବଂ ଖାରବେଳ ବୋଲି ନିଜକୁ ପରିଚୟ ଦେଉଥିବା ବିଜୁ ପଟ୍ଟନାୟକଙ୍କର ଏକାନ୍ତ ଅନୁଗତ ଥିଲେ । ଅଶୋକ ଦାସଙ୍କର ସାକ୍ଷାତକାର ନେବା ସମୟରେ ସେ କହିଥିଲେ- ବିଜୁବାବୁ ରାମଚନ୍ଦ୍ର ହେଲେ ସେ ହେଉଛନ୍ତି ହନୁମାନ । ତାଙ୍କ ଛାତିଫାଡ଼ିଦେଲେ ବିଜୁ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିବ ତାଙ୍କ ହୃଦୟରେ । ଯଦିଓ ରାମଚନ୍ଦ୍ରଙ୍କର ବହୁ ଭକ୍ତ ଥିଲେ କିନ୍ତୁ ହନୁମାନ କହିଲେ ହିଁ ରାମଚନ୍ଦ୍ର ପ୍ରସଙ୍ଗ ଉଠେ । ଭାଗବତରେ ଅଛି- ତୁ ଯେବେ କରିବୁ ମୋତେ ଆଶ୍ରିତ ମୁଁ କରେ ସର୍ବନାଶ । ତୁ ଯଦି ହୁଅଇ ମୋର ଆହୁରି ଆଶ୍ରିତ ମୁ ତୋର ଦାସର ଦାସ । ଏହିପରି ବିଜୁ ପଟ୍ଟନାୟକଙ୍କ ସହିତ ତାଙ୍କର ସମ୍ପର୍କ ଥିଲା ବୋଲି ଅଶୋକ ଦାସ କହିଥିଲେ । ବିଜୁ ପଟ୍ଟନାୟକଙ୍କୁ ସେ ଯେତେ ଭଲ ପାଉଥିଲେ ତାଠାରୁ ତାଙ୍କୁ ଅଧିକ ଭଲପାଉଥିଲେ ବିଜୁ ପଟ୍ଟନାୟକ । ୧୯୯୦ ମସିହାରେ ବିଜୁବାବୁ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ ସେତେବେଳେ ସେ ଅଶୋକ ଦାସଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ହେବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଅଶୋକ ଦାସ କହିଥିଲେ- ଆପଣ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ଆଉ ମୋତେ କୋରେଇ ବିଧାୟକ ହେବାର ସୁଯୋଗ ଦିଅନ୍ତୁ । ମନ୍ତ୍ରୀତ୍ୱ ନୁହେଁ ଲୋକ ସେବା ହେଉଛି ମୋର କର୍ତବ୍ୟ । ରାଜ୍ୟ ଜନତାଦଳର ସଭାପତି ପାଇଁ ଆଦୌ ସେ ଲାଳିତ ନଥିଲେ । କିନ୍ତୁ ଆକସ୍ମିକ ଭାବେ ବିଜୁ ପଟ୍ଟନାୟକ ତାଙ୍କର ନାମ ସଭାପତି ପାଇଁ ଘୋଷଣା କରିଥିଲେ । ସେହିପରି ୧୯୯୫ ମସିହାରେ ବିଜୁ ବାବୁ ଓଡ଼ିଶା ବିଧାନସଭାରେ ବିରୋଧ ଦଳ ନେତା ହେଲେ । ପରବର୍ତୀ ସମୟରେ ସେ ଯେତେବେଳେ ଲୋକସଭାକୁ ନିର୍ବାଚିତ ହେଲେ ସେତେବେଳେ ଓଡ଼ିଶା ବିଧାନସଭାରେ କିଏ ଜନତା ଦଳର ବିରୋଧୀ ଦଳ ନେତା ହେବ ତାହାକୁ ନେଇ ଟଣା ଓଟରା ଚାଲିଲା । ବିଜୁବାବୁ ଅଶୋକ ଦାସଙ୍କ ମୁଣ୍ଡରେ ବିରୋଧୀ ଦଳ ନେତା ପଗଡ଼ି ବାନ୍ଧି ଦେଇଥିଲେ । ଏ ହେଉଛି ଅଶୋକ ଦାସ ଆଉ ବିଜୁ ପଟ୍ଟନାୟକଙ୍କର ସମ୍ପର୍କ । ଅଶୋକ ଦାସଙ୍କ ପୁଅ ହେଉଛନ୍ତି ପ୍ରଣବ ପ୍ରକାଶ ଦାସ । ଡ଼ାକ ନାମ ବବି । ବାପା ଥିବା ବେଳେ ବବି ରାଜନୀତିରେ ପ୍ରବେଶ କରିନଥିଲେ । ବାପାଙ୍କ ମୃତ୍ୟୁ ପରେ ଅତି ଆକସ୍ମିକ ଭାବେ ୨୦୦୯ ମସିହାରେ ବବି ରାଜନୀତିରେ ପ୍ରବେଶ କଲେ । ଆଉ ବିଜେଡ଼ିରୁ ଯାଜପୁରରୁ ପ୍ରାର୍ଥୀ ହୋଇ ଜିତିଲେ । ସେହି ଦିନଠାରୁ ଯାଜପୁର ଜିଲ୍ଲାରେ ବବି କ୍ରମେ ଲୋକପ୍ରିୟ ହେବାକୁ ଲାଗିଲେ । ୨୦୧୪ ମସିହା ବେଳକୁ ବବି କ୍ରମେ ବିଜେଡ଼ି ସଂଗଠନରେ ବେଶ ପାରଗଂମ ହୋଇଚାଲିଲେ । ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମୁଣ୍ଡରେ ମନ୍ତ୍ରୀ ପଗଡ଼ି ବାନ୍ଧି ଦେଲେ । କିଛି ବର୍ଷ ମନ୍ତ୍ରୀ ହେବା ପରେ କ୍ରମେ ବବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଶ୍ୱସ୍ତ ହେବାରେ ଲାଗିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘରୋଇ ସଚିବ ଭି.କେ. ପାଣ୍ଡିଆନ୍ଙ୍କର ମଧ୍ୟ ନିକଟତର ହେଲେ ବବି । ଯେତେବେଳେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ହେଲା ସେତେବେଳେ ବବି ମନ୍ତ୍ରୀ ପଦରେ ନରହି ସଂଗଠନ ବ୍ୟାପାର ବୁଝିବା ଉପରେ ଗୁରୁତ୍ୱ ଦେଲେ ।
ବିଜେଡ଼ିର ସଭାସମିତି ହେଉ କି ଜିଲ୍ଲା ସଂଗଠନ ବ୍ୟାପାର ହେଉ କିମ୍ବା ସାଧାରଣ ନିର୍ବାଚନରେ କାହାକୁ ଟିକଟ ମିଳିଲେ ବିଜୟୀ ସମ୍ଭାବନା ଅଧିକ ହେବ ସେ ଦିଗରେ ଗୋଟି ଚାଳନା କରିବା ହେଉ ସବୁ କ୍ଷେତ୍ରରେ ବବିଙ୍କର ବିଜେଡ଼ିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଲା । ବବିଙ୍କ ଉପରେ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅଗାଢ଼ ବିଶ୍ୱାସ ରହିଲା । ବବିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବେଟା’ ବୋଲି ଡ଼ାକିଲେ । ୨୦୧୯ ନିର୍ବାଚନରେ ବିଜେପି ସହିତ ଯେଉଁ ଯୁଦ୍ଧ କରି ବିଜେଡ଼ି ୧୧୩ଟି ଆସନରେ ଜିତିଲା ସେ କ୍ଷେତ୍ରରେ ବବିଙ୍କ ପରିଶ୍ରମକୁ କେହି ଅସ୍ୱୀକାର କରିପାରିବେ ନାହିଁ । ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା ସାଙ୍ଗକୁ ପାଣ୍ଡିଆନ୍ଙ୍କର ଗୋଟି ଚାଳନା ଆଉ ବବିଙ୍କର ସଂଗଠନ କାରବାର ବିଜେଡ଼ିକୁ ୨୦୧୯ରେ ବେଶ ଆଗକୁ ନେଇଗଲା । ୨୦୧୯ରେ ଯେଉଁ ମନ୍ତ୍ରୀମଣ୍ଡଳ ଗଠନ କରାଗଲା ସେଥିରେ ସାମିଲ ହେବାକୁ ବବି ଇଚ୍ଛା ପ୍ରକାଶ କଲେ ନାହିଁ । ବିଜେଡ଼ିର ସଂଗଠନ ବ୍ୟାପର ସହିତ ସେ ନିଜକୁ ସାମିଲ କରିବା ପାଇଁ ଇଚ୍ଛୁକ ହେଲେ । ତାଙ୍କର ଏହି ଇଚ୍ଛା ଉପରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ମାରିଲେ । ପୂର୍ବରୁ ବବି ବିଜେଡ଼ିର ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ । ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସରେ ବବିଙ୍କୁ ମିଳିଲା ଗୁରୁତ୍ୱପୁର୍ଣ୍ଣଦାୟିତ୍ୱ । ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ କଟକ ସଭାରେ ଯେଉଁ ଘୋଷଣା କଲେ ସେଥିରୁ ସ୍ପଷ୍ଟ ହୋଇଗଲା ଯେ, ବବି ହେଉଛନ୍ତି ବିଜେଡ଼ି ଦଳ ପାଇଁ ଅପରିହାର୍ଯ୍ୟ । ନବୀନ ପଟ୍ଟନାୟକ ତାଙ୍କୁ ବିଜେଡ଼ିରେ ସାଂଗଠନିକ ସାଧାରଣ ସମ୍ପାଦକ ଦାୟିତ୍ୱ ଦେଲେ ।
ଏହାପରେ ବବିଙ୍କ ମୁହଁରେ ହସ ଆସିଲା କି ନାହିଁ ତାହା ଭିନ୍ନ କଥା । କିନ୍ତୁ ବବିଙ୍କ ପାଖକୁ ଛୁଟି ଚାଲିଲେ ବିଜେଡ଼ିର ନେତା, କର୍ମୀ ମାନେ ସମ୍ବର୍ଦ୍ଧନା ଦେବା ପାଇଁ । ଏକ ଢ଼ଗ ଅଛି । ତାହା ହେଲା- ବାପ୍ ସେ ଯାଦା ବେଟା । ବବିଙ୍କ ବାପା ଅଶୋକ ଦାସ ଥିଲେ ବିଜୁ ପଟ୍ଟନାୟକଙ୍କର ଅତ୍ୟନ୍ତ ବିଶ୍ୱସ୍ତ । ସେଥିପାଇଁ ବିଜୁ ପଟ୍ଟନାୟକଙ୍କ ତାଙ୍କୁ ରାଜ୍ୟ ଜନତା ଦଳର ସଭାପତି କରିଥିଲେ । ଆଉ ବିରୋଧୀ ଦଳର ନେତା ବି କରିଥିଲେ । ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକଙ୍କୁ ଅନେକ ମଧ୍ୟ କୁହନ୍ତି ବାପ୍ ସେ ଯାଦା ବେଟା ବୋଲି । ସେହି ପରି ଅଶୋକ ଦାସଙ୍କ ପୁଅ ବବିଙ୍କୁ ମଧ୍ୟ ଏବେ କୁହାଯାଉଛି ବାପ୍ ସେ ଯାଦା ବେଟା ବୋଲି । ବିଜୁ ପଟ୍ଟନାୟକଙ୍କ ପାଖରେ ଯେମିତି ଅଶୋକ ଦାସ ଥିଲେ ନବୀନ ପଟ୍ଟନାୟକ ପାଖରେ ଏବେ ଅଶୋକଙ୍କ ପୁଅ ବବି ହୋଇଛନ୍ତି । ଯେମିତି ଅଶୋକଙ୍କ ଉପରେ ବିଜୁଙ୍କ ଭରଷା ଥିଲା ସେହିପରି ବବିଙ୍କ ଉପରେ ନବୀନଙ୍କ ଭରଷା ରହିଛି । ଯେମିତି ଅଶୋକ ଦାସ ମନ୍ତ୍ରୀ ପଦ ମୋହରେ ନଥିଲେ ସେହିପରି ବବି ମଧ୍ୟ ହୋଇଛନ୍ତି । ଯେମିତି ଅଶୋକ ଦାସ ଦଳ ଆଗ ବ୍ୟକ୍ତି ପଛକୁ ଗୁରୁତ୍ୱ ଦେଉଥିଲେ ଏବେ ବବି ମଧ୍ୟ ସେହି ମନ୍ତ୍ରକୁ ଆପଣାଇ ନେଇଛନ୍ତି । ବିଜୁ ପଟ୍ଟନାୟକ ଓ ଅଶୋକ ଦାସଙ୍କର ଯେପରି ନିଗୁଢ଼ ସମ୍ପର୍କ ଥିଲା ଏବେ କ୍ରମେ ନବୀନ ପଟ୍ଟନାୟକ ଓ ବବିଙ୍କର ସମ୍ପର୍କ ସେହିପରି ହେବାକୁ ଲାଗିଛି । ଇତିହାସରେ ପଢ଼ାଯାଏ ଯେ, ଇତିହାସର ପୁର୍ନାବୃତି ହୁଏ । ଆମକୁ ଏହା ଦେଖିବାକୁ ଅଧିକ ବାଟ ଯିବାକୁ ପଡ଼ିଲାନାହିଁ । ମାତ୍ର ଗୋଟିଏ ପୁରୁଷ । ସେପଟେ ବିଜୁ ଓ ଅଶୋକ । ଏପଟେ ନବୀନ ଓ ବବି ।