No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ପୁରୀ :- ତଥାପି ପ୍ରଶାସନ ପକ୍ଷରୁ ମୋବାଇଲ୍ ଟେଷ୍ଟିଂ ଭ୍ୟାନ୍ ବୁଲୁଥିବା ଦେଖିବାକୁ ମିଳୁନାହିଁ । ସଂକ୍ରମଣ ବ୍ୟାପୁଥିବା ସତ୍ତ୍ବେ ଲୋକେ ଟେଷ୍ଟିଂ କରିବା ପାଇଁ ଘରୁ ବାହାରୁ ନାହାନ୍ତି । ଏଥିପାଇଁ ଜନ ସଚେତନତାର ଅଭାବ ସାଙ୍ଗକୁ ପ୍ରଶାସନର ଅବହେଳାକୁ ବୁଦ୍ଧିଜୀବୀ ଦାୟୀ କରୁଛନ୍ତି । ପ୍ରଶାସନ ଚାହିଁଲେ ମୋବାଇଲ ଟେଷ୍ଟିଂ ଭ୍ୟାନ୍ ଗାଁ ଗାଁ ବୁଲି ସଂକ୍ରମିତଙ୍କୁ ଚିହ୍ନଟ କରିପାରନ୍ତା ବୋଲି କୃଷ୍ଣପ୍ରସାଦ ବ୍ଲକ୍ ନୂଆଗାଁ ବାସିନ୍ଦା କହିଛନ୍ତି ।
ସୂଚନା ଅନୁଯାୟୀ, ଘରେ ଘରେ ଲୋକଙ୍କୁ ଜ୍ୱର ସହ ଶ୍ୱାସଜନିତ ସମସ୍ୟା ଦେଖାଯାଉଛି । କୋଭିଡ୍ରେ ମୃତ୍ୟୁ ଘଟିବା ପରେ ବି ସମ୍ପୃକ୍ତ ବ୍ୟକ୍ତି କୋଭିଡ୍ ସଂକ୍ରମିତ ଥିଲେ ବୋଲି ସେମାନଙ୍କ ସମ୍ପର୍କୀୟ କହିବାକୁ ଚାହୁଁନାହାନ୍ତି। ନୂଆଗାଁ, ଫୁଲବାରି, ତିତିପ, ଦେଓପଡ଼ା, ବଡ଼ଝାର ଓ ଗୋମୁଣ୍ଡିଆ ଭଳି ଗ୍ରାମରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ ହୋଇପଡ଼ିଲାଣି। ସେହିପରି ଉଭୟ ଭାକ୍ସିନେଶନ୍ ଓ ଟେଷ୍ଟିଂ କ୍ଷେତ୍ରରେ ପୁରୀ ଜିଲାର ଗ୍ରାମାଞ୍ଚଳ ପଛରେ ପଡ଼ିଛି। ଭାକ୍ସିନ୍ କମ୍ ମାତ୍ରାରେ ଆସୁଥିବାରୁ ଜିଲା ପ୍ରଶାସନ ଏହାର ଠିକ ଭାବେ ଆବଣ୍ଟନ କରିବା ଉଚିତ। ପ୍ରଶାସନ କେବଳ ସହରରେ ଭାକ୍ସିନେଶନ୍କୁ ଫୋକସ୍ କରିବାରେ ଲାଗିଛି। ଫଳରେ ଗ୍ରାମାଞ୍ଚଳରେ ପ୍ରଥମ ଡୋଜ୍ ନେବାର ଦୁଇମାସ ପରେ ବି ଲୋକେ ଦ୍ୱିତୀୟ ଡୋଜ୍କୁ ଅପେକ୍ଷା କରି ରହିଛନ୍ତି।
ଜିଲା ମୁଖ୍ୟ ଚିକିତ୍ସାଳୟ ତଥ୍ୟ ଅନୁଯାୟୀ, ଗତ ଦୁଇଦିନ ହେବ ଗ୍ରାମାଞ୍ଚଳରେ ଭାକ୍ସିନେଶନ୍ ହୋଇନାହିଁ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଗ୍ରାମାଞ୍ଚଳରେ ଭାକ୍ସିନେଶନ୍ ଅତି କମ୍ ପରିମାଣରେ ହୋଇଛି। ଭାକ୍ସିନ୍ ପରିମାଣ କମ୍ ଥିବାରୁ ପ୍ରଶାସନ ଏଭଳି କରିବାକୁ ବାଧ୍ୟ ହେଉଛି। ତେବେ ପୁରୀ ସହରର ୮ ସ୍ଥାନରେ ଟିକାକରଣ ଚାଲିଛି। ଗ୍ରାମାଞ୍ଚଳରେ ଟିକାକରଣକୁ ନେଇ ଏତେ ଅବହେଳା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି। ଟିକାର ପ୍ରଥମ ଡୋଜ୍ ନେବା ପରେ ୨ୟ ଡୋଜ୍ ୪୨ରୁ ୫୬ ଦିନ ମଧ୍ୟରେ ନେବା କଥା। ବ୍ରହ୍ମଗିରି, ପୁରୀ ସଦର, କୃଷ୍ଣପ୍ରସାଦ, ସାକ୍ଷୀଗୋପାଳ ଓ ଡେଲାଙ୍ଗ ଭଳି ଅନେକ ସ୍ଥାନରେ ଲୋକେ ୪୨ ଦିନର ସମୟକୁ ଅତିକ୍ରମ କରିସାରିଲେଣି।
ଏହାସତ୍ତ୍ବେ ଟିକାକରଣ ହୋଇପାରୁନାହିଁ। ସେହିଭଳି ଟିକାକରଣ ପାଇଁ ମୋବାଇଲ ଫୋନ୍କୁ ମେସେଜ ଆସିବା ନେଇ ଅପେକ୍ଷା କରିଥିବା ଲୋକଙ୍କୁ ନିରାଶ ହେବାକୁ ପଡୁଛି। ଜିଲା ସ୍ବାସ୍ଥ୍ୟ ଅଧିକାରୀ ବିରଜା ଶଙ୍କର ରଥ କହିଛନ୍ତି, ଯେଉଁ ଆପ୍ ମାଧ୍ୟମରେ ରେଜିଷ୍ଟ୍ରେଶନ୍ କରିବା ପରେ ମୋବାଇଲକୁ ମେସେଜ୍ ଆସୁଥିଲା, ତାହା ମାଧ୍ୟମରେ ୨ୟ ଡୋଜ୍ ପାଇଁ ଲୋକଙ୍କୁ ମେସେଜ୍ ଯାଇପାରୁନାହିଁ। ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଅକ୍ସିଜେନ୍ ଅଭାବ ସ୍ଥିତି ରହିଛି। ଟେଷ୍ଟିଂ ହେଉ ନ ଥିବାରୁ ଲୋକେ ଡାକ୍ତରଖାନା ବାରଣ୍ଡା ମାଡ଼ୁନାହାନ୍ତି।
ଠିକ୍ ସମୟରେ ଟେଷ୍ଟିଂ ଓ ରିପୋର୍ଟ ଅଭାବରୁ ମୃତକଙ୍କ ନମ୍ବର କୋଭିଡ୍ ମୃତ୍ୟୁ ପରିସଂଖ୍ୟାନକୁ ଆସିପାରୁନାହିଁ। କୃଷ୍ଣପ୍ରସାଦ ଭଳି ଏକ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାମାଞ୍ଚଳ ପାଇଁ ମାତ୍ର ୧୦ଟି ଅକ୍ସିଜେନ୍ ସିଲିଣ୍ଡର ବ୍ୟବସ୍ଥା ରହିଛି। ପୁରୀ ଜିଲାରେ କୋଭିଡ୍ଜନିତ ସ୍ବାସ୍ଥ୍ୟସେବା ପାଇଁ ୫୪୩ଟି ସିଲିଣ୍ଡର ମହଜୁଦ ଥିବାବେଳେ ଆଇଡିଏଚ୍ରେ ୧୯୯ ଅକ୍ସିଜେନ୍ ସିଲିଣ୍ଡର ରହିଛି। ଆଇସିୟୁରେ ଲାଗୁଥିବା ଡି-ଟାଇପ୍ ସିଲିଣ୍ଡର ସଂଖ୍ୟା ୧୪୯। ଏହାବ୍ୟତୀତ ଜିଲାର ବିଭିନ୍ନ କୋଭିଡ୍ ସେଣ୍ଟରକୁ ମିଶାଇ ୩୯୪ ବି-ଟାଇପ୍ ସିଲିଣ୍ଡର ରହିଛି ବୋଲି ଡ୍ରଗ୍ସ ଇନ୍ସପେକ୍ଟର କହିଛନ୍ତି। (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )
No Result
View All Result