No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ମଇ ମଙ୍ଗଳବାର ) କୋଣାର୍କ :- କୋଣାର୍କର ଏକ ସୁଉଚ୍ଚ ବାଲିବନ୍ତରୁ ବାଲି ଚୋରା ଚାଲାଣ କରାଯାଉଥିବା ବେଳେ ସେଠାରୁ ବହୁ ପୁରାତନ ବିଶାଳ ପଥରଖଣ୍ଡମାନ ବାହାରୁଛି । ଉକ୍ତ ପଥରଖଣ୍ଡ ସବୁ କୋଣାର୍କ ସୂର୍ଯ୍ୟମନ୍ଦିର ନିର୍ମାଣରେ ବ୍ୟବହୃତ ହୋଇଥିବା ପୁରାତନ ପଥରଖଣ୍ଡ ସହିତ ମେଳଖାଉଛି । ଉକ୍ତ ସ୍ଥାନରେ ପଡ଼ି ରହିଥିବା ପଥରଖଣ୍ଡଗୁଡ଼ିକ ଦେହରେ ଲୁହା ଆଙ୍ଗେଲ ଲାଗିଥିବାର ଚିହ୍ନ ଥିବାରୁ ଉକ୍ତ ସ୍ଥାନରେ ପୁରାତନ ମନ୍ଦିର କିମ୍ବା ପ୍ରାଚୀନ ସଭ୍ୟତାର ଭଗ୍ନାବଶେଷ ଲୁଚି ରହିଥିବାର ଅନୁମାନ କରାଯାଉଛି । ଏବେ ଯେଉଁଠାରୁ ବାଲି ତଳୁ ପଥର ବାହାରୁଛି ତାହା କୋଣାର୍କ ସୂର୍ଯ୍ୟମନ୍ଦିରଠାରୁ ପ୍ରାୟ ପାଞ୍ଚ କିମି ଦୂରରେ ଓ ପଥରଭସା ନାଳଠାରୁ ପ୍ରାୟ ଏକ କିମି ଦୂରରେ ରହିଛି । ବାଲି ଚାଲାଣ ବେଳେ ଏହି ପଥରଗୁଡ଼ିକୁ ଲୁଟି ନେଉଛନ୍ତି ମାଫିଆ ।
କୋଣାର୍କ ଜୁଣେଇଁ ବଂଶୀ ବଜାର ଛକଠାରୁ କପିଳେଶ୍ବର ଯିବା ରାସ୍ତା ପାର୍ଶ୍ବରେ ରହିଛି ନଳକଣ ଦାଶ(କେଳା) ସାହି। ଉକ୍ତ ସାହି ପଛକୁ ରହିଛି ଏକର ଏକର କାଜୁ ଜଙ୍ଗଲ ଓ ବାଲିବନ୍ତ। ଉକ୍ତ ସ୍ଥାନଟି କୋଣାର୍କ ଥାନା ଅଧୀନ ବେରୁହଁ ମୌଜାରେ ରହିଛି । ପୂର୍ବରୁ ବାଲି ଚୋରାଚାଲାଣ ସମୟରେ ଉକ୍ତ ସ୍ଥାନରୁ ପଥରରେ ନିର୍ମିତ କୁଅନନ୍ଦ, ବଟାଶିଳ, କାରୁକାର୍ଯ୍ୟପୂର୍ଣ୍ଣ ପଥର ଓ ମୂର୍ତ୍ତି ବାହାରିଥିଲେ ମଧ୍ୟ ଉକ୍ତ ସ୍ଥାନରୁ ସେଗୁଡ଼ିକୁ ଗାଏବ କରିଦିଆଯାଇଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ହେଲିପ୍ୟାଡ୍ ଓ ମନ୍ଦିର ବେଢ଼ାରୁ ବାଲି ଚାଲାଣ ସମୟରେ ମଧ୍ୟ କାରୁକାର୍ଯ୍ୟପୂର୍ଣ୍ଣ ପଥର ବାହାରିଥିବାର ନଜିର ରହିଛି ।
ମାତ୍ର ଏ ଦିଗରେ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) କିମ୍ବା ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଅଧୀନରେ ଥିବା ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ କେହି ପଦକ୍ଷେପ ନ ନେବାରୁ ଉକ୍ତ ପଥରଖଣ୍ଡସବୁ ଦିନ କେଇଟାରେ ଗାଏବ ହୋଇଯାଇଥିଲା । ନିୟମିତ ବାଲି ଚୋରାଚାଲାଣ ଯୋଗୁ ଏବେ ବାଲିବନ୍ତ ଅପସରି ଯାଇ ଉକ୍ତ ସ୍ଥାନରେ ଏକ ବିରାଟ ଗାଡ଼ିଆ ସଦୃଶ ଖାଲ ସୃଷ୍ଟି ହୋଇଛି । ମାଟିତଳେ ଆହୁରି ଅନେକ ପଥରଖଣ୍ଡ ଲୁଚି ରହିଥିବା ସ୍ଥାନୀୟ ଅଂଚଳର ବରିଷ୍ଠ ନାଗରିକମାନେ ମତ ରଖିଛନ୍ତି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)
No Result
View All Result