No Result
View All Result
“ଜଟଣୀ ଏକରାଜତମାହାଲ ସ୍ଥିତିବାନ ଜମି କ୍ଷତିଗ୍ରସ୍ତ ଜନମଂଚ” ମଇ ୧୯ ସଚ୍ଚିବାଳୟ ଘେରାଉ କାର୍ଯ୍ୟକ୍ରମକୁ ସାମୟିକ ସ୍ଥଗିତ ରଖିଲେ ସୁରେଶ କୁମାର ରାଉତରାୟ, ବିଧାୟକ, ଜଟଣୀ

ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ମେ , ବୁଧବାର ) ଭୁବନେଶ୍ୱର :- “ଜଟଣୀ ଏକରାଜତମାହାଲ ସ୍ଥିତିବାନ ଜମି କ୍ଷତିଗ୍ରସ୍ତ ଜନମଂଚ” ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ମଇ ୧୯ ସଚ୍ଚିବାଳୟ ଘେରାଉ ପାଇଁ ଯେଉଁ କାର୍ଯ୍ୟକ୍ରମ ସ୍ଥିରିକୃତ କରିଥିଲେ ତାହା ସାମୟିକ ଭାବେ ସ୍ଥଗିତ ରଖଯାଇଛି ବୋଲି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଶ୍ରୀ ରାଉତରାୟ କହିଛନ୍ତି ଯେ ବର୍ତମାନର ଉତ୍କଟ କରୋନା ମହାମାରୀ ପରିସ୍ଥିତି ଓ ଲକଡାଉନକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀଙ୍କ ପରାମର୍ଶ ଓ ଅନୁରୋଧ କ୍ରମେ ଏହି ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସଚ୍ଚିବ, ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର, ଡେଭଲପମେଂଟ କମିଶନର ଶ୍ରୀ ପ୍ରଦୀପ ଜେନା, ରାଜସ୍ୱ ବିଭାଗ ସଚ୍ଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଆଇନ ବିଭାଗ ସଚ୍ଚିବ ପ୍ରମୁଖ ଗତକାଲି ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାଙ୍କ ସହିତ ଜଟଣୀ ଜଗନ୍ନାଥ ଜମି ସତ୍ୱ ପରିବର୍ତନ ସଂପର୍କରେ ସଚ୍ଚିବାଳୟରେ ଆଲୋଚନା କରିଥିଲେ ।
କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ତିନିମାସ ମଧ୍ୟରେ ଜଟଣୀ ଜଗନ୍ନାଥ ଜମି ସମସ୍ୟାର ସମାଧାନ ହେବ ବୋଲି ଉକ୍ତ ଉଚ୍ଚପଦସ୍ଥ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ । ସଚ୍ଚିବାଳୟ ଘେରାଉ କାର୍ଯ୍ୟକ୍ରମକୁ ବନ୍ଦ ରଖିବା ପାଇଁ ମଧ୍ୟ ଶ୍ରୀ ରାଉତରାୟଙ୍କୁ ସେମାନେ ଅନୁରୋଧ କରିଥିଲେ । ଏଣୁ ଏସବୁକୁ ବିଚାରକୁ ନେଇ ଏହି ଘେରାଉ କାର୍ଯ୍ୟକ୍ରମ ସାମୟିକ ଭାବେ ବନ୍ଦ କରାଯାଇଛି । ମାତ୍ର ଯଦି ସରକାର ସମସ୍ୟାର ସମାଧାନ ନକରନ୍ତି ପୁଣି “ଜଟଣୀ ଏକରାଜତମାହାଲ ସ୍ଥିତିବାନ ଜମି କ୍ଷତିଗ୍ରସ୍ତ ଜନମଂଚ” ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦ କରି ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ଜଟଣୀ ନିବାସୀ ନବୀନ ନିବାସ ସମ୍ମୁଖରେ ଗଣଆତ୍ମାହୁତି ଦେବା ପାଇଁ ନିଷ୍ପତି ନେଇଥିଲେ । ମାତ୍ର ସରକାର ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ‘ଜଟଣୀ ସ୍ଥିତିବାନ ଏକରାଜତ ମାହାଲ ନାଗରିକ ଜନମଂଚ’ ପକ୍ଷରୁ ଗଣଆହ୍ମାହୁତି ନିଷ୍ପତି ପ୍ରତ୍ୟାହାର କରି ନିଆଯାଇଥିଲା ।
ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ଏହି ମଂଚ ଗତ ଫେବୃଆରୀ ୧ ତାରିଖରେ ମୁଖ୍ୟ ଶାସନ ସଚ୍ଚିବ, ଡେଭଲପମେଣ୍ଟ କମିଶନର, ରାଜସ୍ୱ ସଚ୍ଚିବ, ଅତିରିକ୍ତ ରାଜସ୍ୱ ସଚ୍ଚିବ, ଆଇନ ସଚ୍ଚିବଙ୍କ ସହିତ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ତ୍ରୁଟି ସମ୍ପର୍କରେ ସମସ୍ତେ ଅବଗତ ହୋଇସାରିଲେଣି । ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚ୍ଚିବଙ୍କ ନିର୍ଦ୍ଦେଶକ୍ରମେ ଏହାର ଅନୁଧ୍ୟାନ କରି କାର୍ଯ୍ୟସଂପନ୍ନ ପାଇଁ ନିର୍ଦ୍ଦିଷ୍ଟ ଭାବେ କିଛି ଉଚ୍ଚପଦସ୍ଥ ଅଫିସରଙ୍କୁ ସଂପୂର୍ଣ୍ଣଭାବେ ଦାୟିତ୍ୱ ଦିଆଯାଇଛି । ସେମାନେ ମଧ୍ୟ ଏ ସଂପର୍କରେ ରିପୋର୍ଟ ଦାଖଲ କରିଛନ୍ତି । ଖୁବଶୀଘ୍ର ଅସଲ ଜମିମାଲିକଙ୍କ ନାମକୁ ଜମିର ମାଲିକାନା ସତ୍ୱ ପରିବର୍ତନ କରାଯିବ ବୋଲି ସଚିବମାନେ ଏହି ମଂଚକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଏଠାରେ ପ୍ରକାଶଥାଉକି ଜଟଣୀ ମ୍ୟୁନିସିପାଲିଟି ଓ ତାର ପାଶ୍ୱର୍ବର୍ତୀ ୧୩ଟି ଗ୍ରାମ ଯଥା ବେରୁଆଁ, ଭଁସର, ବାଇରଙ୍ଗ, ହରିରାଜପୁର, ବୁଢ଼ାପଡ଼ା, ନିରଞ୍ଜନପୁର, କନ୍ତିଆ, ରଥିପୁର, କୁଶମାଟି, ଛଣଘର, ଓଗରସୁଆଁ, କୁଦିଆରି, ରାମଚନ୍ଦ୍ରପୁରର ୧ ଲକ୍ଷ ୭୨ ହଜାର ଲୋକ ତାଙ୍କର ପୈତୃକ ଭୂସଂପତିର ମାଲିକାନା ସତ୍ୱ ଜଗନ୍ନାଥଙ୍କ ନାମରୁ ନିଜ ନାମକୁ ପରିବର୍ତନ ପାଇଁ ୯ ବର୍ଷ ଧରି ସଂଗ୍ରାମ ଜାରି ରଖିଛନ୍ତି ।
ଜଟଣୀବାସୀଙ୍କ ପୈତୃକ ଭୂସଂପତି ସରକାରୀ ତ୍ରୁଟି ପାଇଁ ଭୁଲ୍ ବଶତଃ ଜଣେ ସେଟଲମେଂଟ ଅଫିସରଙ୍କ ଦ୍ୱାରା ୨୦୧୨ ମସିହାରେ ଶ୍ରୀଜଗନ୍ନଥଙ୍କ ନାମରେ ପରିବର୍ତିତ ହୋଇଯିବା ଫଳରେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କର କୌଣସି ଉନ୍ନତିମୂଳକ ଯୋଜନାର ଅର୍ଥ ସ୍କୁଲଘର, ଖେଳପଡିଆ, ଡାକ୍ତରଖାନା, ରାସ୍ତାଘାଟ, ପାଠାଗାର, କମ୍ୟୁନିଟି ସେଂଟର, ଭାଗବତ ଟୁଙ୍ଗି, ମଶାଣି ପ୍ରଭୃତିର ପୁନଃରୁଦ୍ଧାର ଓ ନିର୍ମାଣ କୌଣସି କାର୍ଯ୍ୟରେ ବିନିଯୋଗ ହୋଇପାରୁନାହିଁ । ଉଚ୍ଚଶିକ୍ଷା କ୍ଷେତ୍ରରେ ଏବଂ ବିଭାଘର, ବ୍ରତ ଘର, ଶୁଦ୍ଧିକ୍ରିୟା ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମ ସଂପନ୍ନ କରିବା ପାଇଁ ଆବଶ୍ୟକସ୍ଥଳେ ଏଠିକାର ଲୋକ ନିଜ ଜମିକୁ ବିକ୍ରୟ କରିପାରୁ ନାହାନ୍ତି । ୨୦୧୨ ମସିହା ପୂର୍ବରୁ ଏଠିକାର ଜମିଜମା, ଘରଡିହ ଯେଉଁ ସ୍ଥିତିରେ ଥିଲା ସେହିଭଳି ସ୍ଥିତିକୁ ତୁରନ୍ତ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ନିଷ୍ପତି ନିଅନ୍ତୁ । ଅମଲାତନ୍ତ୍ରିକ ସ୍ତରରେ ହୋଇଥିବା ଭୁଲ୍ର ସଂଶୋଧନ କରନ୍ତୁ । ଜଟଣୀବାସୀଙ୍କର ଦୀର୍ଘ ୯ ବର୍ଷର ସଂଘର୍ଷର ଅନ୍ତ ଘଟୁ ।
ସେଟେଲମେଂଟ ଅଫିସରଙ୍କର ଗୋଟିଏ ଅର୍ଡରରେ ଯେପରି ମାଲିକାନା ସତ୍ୱ ପରିବର୍ତନ ହୋଇଯାଇଥିଲା ସେହିଭଳି ଗୋଟିଏ ଅର୍ଡରରେ ଅସଲ ଜମି ମାଲିକଙ୍କ ପାଖକୁ ତାଙ୍କର ଜମି ଫେରି ଆସୁ । ସରକାର ଯଦି ତିନିମାସ ଭିତରେ ଏହାର ସମାଧାନ ନକରନ୍ତି ପୁଣି ସଚ୍ଚିବାଳୟ ଘେରାଉ କରାଯିବା ପାଇଁ ନିଷ୍ପତି ନିଆଯିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ଦାଶ, କୋଇଲି ସୁବୁଦ୍ଧି, ପ୍ରକାଶ ଜେନା, ସଂଗ୍ରାମ ରାଉତରାୟ, ଜୟକୃଷ୍ଣ ମଲିଆ, ଅଶୋକ ମଙ୍ଗରାଜ, ବିବି ବଡଜେନା, ନୌସରୀ ଅଲ୍ଲୀ, ଦେବରାଜ ବେହେରା, କଳିଙ୍ଗ ଜେନା, ଜ୍ୟୋର୍ତିମୟୀ ଛୋଟରାୟ, କୈବଲ୍ୟ ସାମନ୍ତରାୟ, ସୁଧାଂଶୁ ମୋହନ ପଟ୍ଟନାୟକ, ତପନ ଚକ୍ରବର୍ତୀ, ସୁନିଲ୍ ରାଉତରାୟ, ନୃସିଂହ ସାହୁ, ଅନନ୍ତ ବେହେରା, କଳିଙ୍ଗ ସାହୁ, ଧନେଶ୍ୱର ରାଉତରାୟ, ନିକୁଞ୍ଜ ରାଉତରାୟ, ତ୍ରିଲୋଚନ ପ୍ରଧାନ, ବ୍ରଜମୋହନ ମଙ୍ଗରାଜ ଓ ବାବୁଲି କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result