No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୧ ମେ , ଶନିବାର ) ଭୁବନେଶ୍ୱର :- ” ଘରର ଦାୟିତ୍ୱ ” ଗୋଟିଏ ଗ୍ରାମରେ ଦଣ୍ଡପାଣି ନାମକ ଜଣେ ବ୍ୟକ୍ତି ଥା’ନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ଭଦ୍ରା । ସେମାନଙ୍କର ଚାରି ପୁଅ ଓ ଚାରି ବୋହୁ ଥା’ନ୍ତି କିନ୍ତୁ ଘର ଚଳାଇବାର ସବୁକିଛି ଦାୟିତ୍ୱ ଭଦ୍ରା ତୁଲାଇଥା’ନ୍ତି । କ୍ରମେ ତାଙ୍କର ବୟସ ହୋଇଯିବାରୁ ସେ ଚିନ୍ତା କଲେ ଯେ ଏତେ ବଡ ଘର ଓ ପରିବାରର ଦାୟିତ୍ୱ ତାଙ୍କ ପରେ କିଏ ଚଳାଇବ । ବୋହୁମାନଙ୍କ ମଧ୍ୟରୁ ଏ କାମ ପାଇଁ କାହାର ଯୋଗ୍ୟତା ଅଛି ।
ଭଦ୍ରାଙ୍କର ଏ ଚିନ୍ତା ତାଙ୍କ ସ୍ୱାମୀ ଦଣ୍ଡପାଣି ଠିକ୍ ଜାଣିପାରିଲେ । ସେ ନିଜେ ତାଙ୍କ ମନ ମଧ୍ୟରେ କୌଣସି ଏକ ଉପାୟ ପାଂଚିଲେ । ସେ ଦିନେ ତାଙ୍କ ଚାରିବୋହୁଙ୍କୁ ଡାକି ପ୍ରତ୍ୟେକଙ୍କୁ ମୁଠିଏ ମୁଠିଏ ଧାନ ଦେଇ କହିଲେ, ଯେତେବେଳେ ସେ ଧାନ ମୁଠିକ ମାଗିବେ ସେତେବେଳେ ତାହା ତାଙ୍କୁ ଫେରାଇ ଦେବ ।
ଚାରିବୋହୁ ଧାନ ନେଇ ନିଜ ନିଜ କକ୍ଷକୁ ଚାଲିଗଲେ । ବଡବୋହୁ ଉଜିକା ଭାବିଲା, “ଏ ମୁଠାଏ ଧାନ ନେଇ ମୁଁ ପୁଣି କେଉଁଠି ସାଇତିବି? ଯେତେବେଳେ ଶ୍ୱଶୁର ସେ ଧାନ ମାଗିବେ ମୁଁ ଭଣ୍ଡାର ଘରୁ ଆଣି ଦେଇଦେବି ନାହିଁ..?” ଏତିକି ଭାବି ଧାନ ମୁଠାକ ସେ ସିଧା ଝରକା ବାହାରକୁ ଫୋପାଡି ଦେଲା ।
ଦ୍ୱିତୀୟ ବୋହୁ ଭୋଗବତୀର ଭାବନା ମଧ୍ୟ ଠିକ୍ ବଡବୋହୁ ପରି । ସେ ଭାବିଲା, “ଦେଖ ତ ଆମ ଶ୍ୱଶୁରଙ୍କ ବୁଦ୍ଧି । ଧାନ ମୁଠାଏ ରଖିବାକୁ ଦେଇଛନ୍ତି । ମୁଠା ମୁଠା ଧାନ ଆମେ ତ ବାଣ୍ଟି ଦେଉଛୁ, କୁଆ କୋଇଲି ଖାଇ ଯାଉଛନ୍ତି, ଆଉ ମୁଁ କ’ଣ ଏହାକୁ ସାଇତି ରଖିବି..?” ଏତିକି ଭାବି ଦି’ ଚାରିଟା ଧାନ ସେ ନିଜେ ଚୋବାଇ ଖାଇଦେଲା ଓ ଆଉ ସବୁ ସେ ଚଢେଇମାନଙ୍କୁ ଖୁଆଇଲା ।
ତୃତୀୟ ବୋହୁ ତ ସବୁକଥାରେ ଭାରି ସାବଧାନ୍ । ସେ ଧାନଗୁଡିକ ନେଇ ପାଟକନାରେ ବାନ୍ଧି ଗୋଟିଏ ବାକ୍ସରେ ରଖିଲା ।
ଚତୁର୍ଥ ବୋହୁ ରୋହିଣୀ ସଦା ସର୍ବଦା ଭବିଷ୍ୟତ କଥା ଭାବୁଥାଏ । ସେ ଭାବିଲା ଧାନଗୁଡିକ କ’ଣ ହେବ କାହିଁ ଶ୍ୱଶୁର ତ ତାହା କହିଲେ ନାହିଁ । ତେଣୁ ସେ ତା’ ମା’ ଘରକୁ ପଠାଇ ଦେଇ କହିଲା ଏହାକୁ ଯତ୍ନର ସହିତ ଏକ ସ୍ୱତନ୍ତ୍ର କ୍ଷେତରେ ବୁଣିବ । ସେମାନେ ସେହିଭଳି କଲେ । ବର୍ଷ ଶେଷରେ ବହୁତ ଧାନ ଅମଳ ହେଲା । ପୁଣି ସେଥିରୁ କିଛି ରଖି ସବୁଗୁଡିକ ବୁଣି ଦିଆଗଲା । ବର୍ଷ ଶେଷରେ ଅନେକ ଧାନ ଅମଳ ହେଲା । ଏହିପରି ଭାବେ ପାଞ୍ଚବର୍ଷ ଧରି ଅମଳ ଚାଲିଥାଏ ।
ଦିନେ ଶାଶୁ ଶ୍ୱଶୁରଙ୍କୁ କହିଲେ, “ଦେଖୁଛ ତ ମୁଁ ଆସି ବୁଢୀ ହେଲିଣି । ଆଉ କେତେଦିନ ଘର ଚଳାଇବି? ବ୍ୟବସ୍ଥା କରିବ କହି ପାଞ୍ଚବର୍ଷ ତ କଟିଗଲା କାହିଁ ତୁମେ ତ କୌଣସି ଚିନ୍ତା କରୁନାହଁ ।”
ସେହିଦିନହିଁ ଶ୍ୱଶୁର ତାଙ୍କ ବୋହୁମାନଙ୍କୁ ଡାକି କହିଲେ ଯେ ଯେଉଁ ଧାନ ମୁଠିକ ପାଞ୍ଚବର୍ଷ ପୂର୍ବେ ମୁଁ ଦେଇଥିଲି ସେଗୁଡିକ ଏବେ ମତେ ଫେରସ୍ତ ଦିଅ । ବଡ ବୋହୁ ଓ ଦ୍ୱିତୀୟ ବୋହୁ ଏକଥା ଶୁଣି ଖମାରରୁ ଧାନ ମୁଠାଏ ଲେଖା ଆଣି ଶ୍ୱଶୁରଙ୍କୁ ଦେଲେ । ତାକୁ ଦେଖି ଶ୍ୱଶୁର ଚମକି ଉଠିଲେ ଓ ଧୀର ଭାବରେ ପଚାରିଲେ, “ମୁଁ ଯେଉଁ ଧାନ ତୁମମାନଙ୍କୁ ଦେଇଥିଲି ଇଏ କ’ଣ ସେହି ଧାନ..? ସେ ଧାନର ରୂପରଙ୍ଗ ତ ଭିନ୍ନ ଥିଲା ।”
ଶ୍ୱଶୁରଙ୍କ ଏଭଳି କଥା ଶୁଣି ସେ ଦୁଇବୋହୁଯାକ ଚୁପ୍ ରହିଲେ । କହିବା ପାଇଁ ସେମାନଙ୍କ ପାଖରେ ଆଉ କିଛିବି ନଥିଲା । ଶ୍ୱଶୁର ପଚାରିଲେ, “ସତ କୁହ ସେ ଧାନ ନେଇ ତୁମେ କ’ଣ କଲ..?”
ସେମାନେ ଶେଷକୁ ବାଧ୍ୟ ହୋଇ ସତ କଥା କହିଲେ । ତୃତୀୟ ବୋହୁ ନିଜ ପେଡିରୁ ପାଟକନା ଖଣ୍ଡିକରେ ବନ୍ଧା ହୋଇଥିବା ପୂର୍ବ ଧାନତକ ଆଣି ଦେଲା । ଚତୁର୍ଥ ବୋହୁ ରୋହିଣୀ କହିଲା, “ମୁଁ ସେଗୁଡିକ ମୋ ମା’ ପାଖରେ ନେଇ ରଖିଛି । ସେସବୁ ଆଣିବାକୁ ମୋତେ ଦୁଇଦିନ ଲାଗିବ ସେଥିପାଇଁ ମୋତେ ଦୁଇଦିନ ସମୟ ଦରକାର ।”
ଦୁଇଦିନ ପରେ ରୋହିଣୀର ମା’ ଘରୁ କେତେଗୁଡିଏ ଶଗଡଗାଡି ଭର୍ତ୍ତି ହୋଇ ଧାନ ଆସିଲା । ଧାନ ସବୁ ବସ୍ତାରେ ରଖା ଯାଇଥିଲା । ସେସବୁକୁ ଦେଖି ଶ୍ୱଶୁର ଦଣ୍ଡପାଣି ଭାରି ଆଶ୍ଚର୍ଯ୍ୟ ହେଲେ । ପାଞ୍ଚବର୍ଷ ତଳେ ଦେଇଥିବା ମୁଠାଏ ଧାନର ଆଜି ଏ ପରିଣତି ।
ରୋହିଣୀ ଶାଶୁ ଶ୍ୱଶୁରଙ୍କୁ ବୁଝାଇ ଦେଲା ଯେ କିପରି ତାହାର ନିର୍ଦେଶ ମତେ ଧାନ ରଖା ହୁଏ ପୁଣି ବୁଣା ହୁଏ ଓ ପୁଣି ଅମଳ ହୁଏ । କ୍ରମେ ତାହାର ପରିମାଣ ବଢିବାରୁ ଅଧିକ କ୍ଷେତରେ ବୁଣାହୁଏ ଇତ୍ୟାଦି ।
ଏସବୁ ଦେଖି ଶାଶୁ ଭଦ୍ରା ତାଙ୍କ ପ୍ରଶ୍ନର ସଠିକ୍ ଉତ୍ତର ପାଇଗଲେ । ଶ୍ୱଶୁର କହିଲେ, “ଏବେ ତ ସମସ୍ତେ ନିଃସନ୍ଦେହ ରୂପେ ମାନି ନେବା ଉଚିତ୍ ଯେ ଘରର ଦାୟିତ୍ୱ ସାନବୋହୁ ରୋହିଣୀ ସମ୍ଭାଳିବ ।”
ଭଦ୍ରା ପଚାରିଲେ “ତେବେ ବାକି ତିନିଜଣଙ୍କର କାମ କ’ଣ..?”
ଶ୍ୱଶୁର କହିଲେ “ବାକି ତିନି..? ସେମାନଙ୍କୁ କିଛି ନା କିଛି ଦାୟିତ୍ୱ ଦିଆଯିବ । ବଡ ଉଜିକାକୁ ଯାହା ମୂଲ୍ୟହୀନ ଲାଗେ ସେ ତାକୁ ନେଇ ଫିଙ୍ଗିଦିଏ । ତେଣୁ ଘରକୁ ସଫା ରଖିବା ଓ ପରିଷ୍କାର ରଖିବା ତା’ର କାମ । ଦ୍ୱିତୀୟ ଭୋଗବତୀ ସବୁକିଛି ଚାଖିକରି ପରୀକ୍ଷା କରେ । ତେଣୁ ତାକୁ ରୋଷେଇ ଘରର ଦାୟିତ୍ୱ ଦିଆଯାଉ । ସବୁକିଛିକୁ ସାଇତି ରଖିବା ତୃତୀୟ ରକ୍ଷିକାର କାମ । ତେଣୁ ବ୍ୟବସାୟ ଓ ତାହାର ହିସାବପତ୍ର, ଭଣ୍ଡାର ଘରର ସବୁ ଦାୟିତ୍ୱ ତା’ର । କ’ଣ ଠିକ୍ କହିଲି ନା ନାହିଁ..?”
ସ୍ୱାମୀଙ୍କ କଥା ଶୁଣି ଭଦ୍ରା ହସି ଦେଲେ । ବୋହୁମାନେ ମଧ୍ୟ ନିଜ ନିଜ ଶକ୍ତି ସାମର୍ଥ୍ୟ ଓ ସ୍ୱଭାବ ଅନୁସାରେ କାମ ପାଇଗଲେ । ତେଣୁ ବୁଢାବୁଢୀ ଚିନ୍ତାମୁକ୍ତ ହୋଇ ସବୁ ଦାୟିତ୍ୱ ବୋହୁମାନଙ୍କୁ ସମର୍ପି ଦେଇ ଆନନ୍ଦରେ ରହିଲେ । (ଲାଲା ଅନନ୍ତ କୁମାର ସିଂହ )
No Result
View All Result