No Result
View All Result
ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ,ସୋମବାର ) ଭୁବନେଶ୍ୱର :– ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଆଦାୟ କରାଯାଉଥିବା ବର୍ଦ୍ଧିତ ସଂପତି କର ଆଇନ୍ସିଦ୍ଧ ନୁହେଁ ବୋଲି ଓଡିଶା ଉଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି । ଏହି ବର୍ଦ୍ଧିତ କର ଓଡିଶା ମ୍ୟୁନିସିପାଲ୍ କର୍ପୋରେସନ ଆକ୍ଟ ୨୦୦୩ ର ନିୟମ ବିରୁଦ୍ଧାଚରଣ କରିବା ସହିତ ଧାରା ୬୯୪ (୩) କୁ ଭୁବନେଶ୍ୱର ମହାନଗର ନିଗମ ଜୋର ଜବରଦସ୍ତି ଲାଗୁ କରିପାରିବେ ନାହିଁ । ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶଙ୍କ ପୌରହିତ୍ୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍ଗୋ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ କଂଗ୍ରେସ ଏହି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତୋଳନ କରିବା ସହିତ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ ଜଣାଇଥିଲା ।
ତେଣୁ ଭୁବନେଶ୍ୱର ମହାନଗର ନିଗମ ଯେଉଁ ବର୍ଦ୍ଧିତ ସଂପତି କର ଜନସାଧାରଣଙ୍କ ଠାରୁ ଆଦାୟ କରିଛନ୍ତି ତାହା ଜନସାଧାରଣଙ୍କ ଶୀଘ୍ର ଫେରସ୍ତ କରାଯାଉ । ଭୁବନେଶ୍ୱର ମହାନଗର ନିଗମର କମିଶନର ଏବଂ ଡେପୁଟି କମିଶନର ବିଭିନ୍ନ ଗଣମାଧ୍ୟମରେ ସୂଚନା ଦେଇଥିଲେ ଯେ ଲୋକମାନେ ସ୍ୱତଃପ୍ରବୃତ ଭାବେ ଅନ୍ଲାଇନ୍ ମାଧ୍ୟମରେ ୨୨ କୋଟିରୁ ଅଧିକ ଟଙ୍କା ଆଦାୟ ହୋଇଛି ବୋଲି । ତେଣୁ ଏହାକୁ ଶୀଘ୍ର ଫେରସ୍ତ କରାଯାଉ । ଠିକ୍ ସେହିପରି ଭାବେ ଭୁବନେଶ୍ୱର ମହାନଗର ନିଗମ ଯେଉଁ ୟୁଜର୍ସ ଫି ଆଦାୟ କରୁଛି, ତାହା ମଧ୍ୟ ଆଇନ୍ ସମ୍ମତ ନୁହେଁ । ତେଣୁ କଂଗ୍ରେସ ଦଳ ଭୁବନେଶ୍ୱର ମହାନଗର ନିଗମର ଅଧିକାରୀବୃନ୍ଦଙ୍କୁ ଜଣାଇଦେବା ପାଇଁ ଚାହୁଁଚି ଯଥାଶୀଘ୍ର ଏହି ୟୁଜର୍ସ ଫି ଆଦାୟ ବନ୍ଦ କରନ୍ତୁ ।
ନଚେତ୍ କରୋନା କଟକଣା ହଟିଲା ପରେ ଜିଲ୍ଲା କଂଗ୍ରେସ ଏବଂ ରାଜ୍ୟ କଂଗ୍ରେସର ନେତୃବର୍ଗ ଏଥିପାଇଁ ଦୃଢ଼ ଭାବରେ ଆନ୍ଦୋଳନ କରିବେ । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟ କଂଗ୍ରେସ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ରାଜ୍ୟ କଂଗ୍ରେସର ମୁଖପାତ୍ର ରଜନୀ କୁମାର ମହାନ୍ତି, ଭୁବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାସ, ଜିଲ୍ଲା ଉପସଭାପତି ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ ଏବଂ ରାଜ୍ୟ କଂଗ୍ରେସ ମିଡିଆ ବିଭାଗର ମୁଖ୍ୟ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।
No Result
View All Result