No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ଏପ୍ରିଲ , ଶୁକ୍ରବାର ) ଭୁବନେଶ୍ୱର :- ବିଧାନସଭା ବୈଠକର ସମସ୍ତ ଆଲୋଚନା ବିବରଣୀ ଏବଂ ବିିଭିନ୍ନ କମିଶନର ରିପୋର୍ଟ ଡିଜିଟାଇଜେସନ୍ କରିବାକୁ ହୋଇଥିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ଏ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟପ୍ରଗତି ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗକୁ ୩.୮ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତାବ ପ୍ରଦାନ କରାଯାଇଛି । ତେବେ ବର୍ତ୍ତମାନ ବିଭାଗ ତରଫରୁ ୫୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଉଥିବା ସୂଚନା ମିଳିଛି ।
ବାକି ଅର୍ଥର ବ୍ୟୟ ଅଟକଳ ପ୍ରସ୍ତାବ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ପ୍ରେରଣ କରି ତୁରନ୍ତ ଅନୁମୋଦନ କରାଇବା ପାଇଁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଲୋଚନାର ବିବରଣୀରୁ ପ୍ରକାଶ ଯେ ବିଧାନସଭାରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ପ୍ରାୟ ୧୦ ହଜାର ନଥି ନଷ୍ଟ ହେବା ଅବସ୍ଥାକୁ ଆସିଗଲାଣି ଏବଂ ସେଗୁଡ଼ିକର ପୁନରୁଦ୍ଧାର କରାଯିବା ନିହାତି ଆବଶ୍ୟକ ରହିଛି । ସେହିପରି ରେକର୍ଡ ମାନୁଆଲ ଅନୁଯାୟୀ ବିଧାନସଭା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ଗୁଡ଼ିକର ମଧ୍ୟ ଡିଜିଟାଇଜେସନ୍ କରାଯିବ ।
ଏହା ସହିତ ବିଧାନସଭା ଗ୍ରନ୍ଥାଗାରର ସମସ୍ତ ପୁସ୍ତକଗୁଡ଼ିକ ମଧ୍ୟ ଇ-ମୋଡ୍ରେ ସ୍ଥାନିତ କରାଯିବ । ଫାଇଲ୍ଗୁଡ଼ିକର ସ୍କାନିଂ ପାଇଁ ଓକାକ୍ ମାଧ୍ୟମରେ ଟେଣ୍ଡର ଆହ୍ୱାନ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ବିଧାନସଭା ତଥ୍ୟର ଡିଜିଟାଇଜେସନ୍ ପାଇଁ ପୁନେ ଏବଂ ହାଇଦ୍ରାବାଦ୍ର ଦୁଇଟି ପ୍ରତିଷ୍ଠିତ ଏବଂ ଆଇଟି ସଂସ୍ଥା ସହ ଆଲୋଚନା କରାଯାଇ ଏ ସଂପର୍କିତ ବିସ୍ତୃତ ବିବରଣୀ ପ୍ରଦାନ ପାଇଁ ସଂପୃକ୍ତ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ବୈଠକରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଜାତୀୟ ସୂଚନା ପ୍ରଯୁକ୍ତ ବିଦ୍ୟା ବିଭାଗୀୟ ଅଧିକାରୀ ସରିତା ସାହୁ, ବିଧାନସଭା ଗ୍ରନ୍ଥାଗରର ଉପନିର୍ଦ୍ଦେଶକ ଆରତୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।
No Result
View All Result