No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୯ ଏପ୍ରିଲ ସୋମବାର ) ପାରଳାଖେମୁଣ୍ଡି :- ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେରେଡି ବ୍ୟାରେଜ ନିର୍ମାଣ ସପକ୍ଷରେ ଦେଇଥିବା ଚିଠିକୁ ନେଇ ଗଜପତି ଜିଲ୍ଲାବାସୀଙ୍କ ଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦଳମତ ନିର୍ବିଶେଷରେ ଏହାକୁ ଦୃଢ ବିରୋଧ କରାଯାଉ ବୋଲି ଅନେକ ମତବ୍ୟକ୍ତ କରିଛନ୍ତି । ଏନେଇ ବରିଷ୍ଠ ସମାଜସେବୀ, ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି, ଉତ୍କଳ ହିତୈଷିଣୀ ସମାଜର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ସଭାପତି ଗୌରଚନ୍ଦ୍ର ପଣ୍ଡା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା, ଓଡିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲାର ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା, ବରିଷ୍ଠ ନାଗରିକ ସଚ୍ଚିଦାନନ୍ଦ ସାମଲ, ଭରତଭୂଷଣ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷାବିତ୍ତ ଆଶାଲତା ପାଣିଗ୍ରାହୀ ପ୍ରମୁଖଙ୍କ ସହ ଅନେକ ବ୍ୟକ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠିକୁ ଦୃଢ ବିରୋଧ କରିଛନ୍ତି । ଏମାନେ କହିଛନ୍ତି ଯେ, ବଂଶଧାରା ନଦୀ ମାତ୍ର କିଛି ଅଞ୍ଚଳରେ ଅର୍ଥାତ ୧୫ପ୍ରତିଶତରୁ କମ୍ ଅଞ୍ଚଳରେ ଆନ୍ଧ୍ରରେ ପ୍ରବାହିତ ହେଉଛି । ଓଡିଶାର ରାୟଗଡ ଓ ଗଜପତି ଜିଲ୍ଲାରେ ପ୍ରାୟ ୪୦ଭାଗରୁ ଉର୍ଦ୍ଧ ପ୍ରବାହିତ ହେଉଛି । ମୋଟାମୋଟି ଭାବେ କହିବାକୁ ଗଲେ ଓଡିଶାର ପାଣିପବନରେ ଆନ୍ଧ୍ରକୁ ଶସ୍ୟଶ୍ୟାମଳ କରାଇ ନିଜ ସପକ୍ଷରେ ରାଜନୀତି କରିବାରେ ଲାଗିଛନ୍ତି ।
ବନ୍ୟା ଜଳକୁ ନିୟନ୍ତ୍ରଣ କରିବା ପାଇଁ ନେରେଡି ବ୍ୟାରେଜ ନିର୍ମାଣ କରାଯାଉଛି ବୋଲି ନିର୍ମାଣ ଆରମ୍ଭରେ ଆନ୍ଧ୍ର ସରକାର ଘଷୋଣା କରିଥିଲେ । ହେଲେ ଏହି ବ୍ୟାରେଜକୁ ଏପରି ଭାବେ ନିର୍ମାଣ କରାଯାଇଛି ଯେ, ଏଥିରେ ବଂଶଧାରା ନଦୀର ମୁଖ୍ୟସ୍ରୋତର ସମସ୍ତ ପାଣି ବ୍ୟାରେଜ ମଧ୍ୟକୁ ଚାଲିଯିବ । ଯଦ୍ୱାରା ଓଡିଶାର ରାୟଗଡ ଓ ଗଜପତି ଜିଲ୍ଲାରେ ପାଣିର ଘୋର ସଙ୍କଟ ପରିଲକ୍ଷିତ ହେବା ନିଶ୍ଚିତ । ନଦୀର ଜଳ ଓ ସ୍ରୋତ ଆନ୍ଧ୍ର ବ୍ୟାରେଜକୁ ଚାଲିଯିବା ଯୋଗୁଁ ଓଡିଶାର ଗଜପତି ଓ ରାୟଗଡ ଜିଲ୍ଲାରେ ରହିଥିବା ଜଳଉତ୍ସ ଯଥା, ବୋରୱେଲ, ବିଭିନ୍ନ କୂପ ଆଦିରେ ଜଳ ସମ୍ପୂର୍ଣ୍ଣ ଭାବେ ସୁଖିଯିବ । ବିଶେଷ କରି ବଂଶଧାରା ନଦୀ ଦ୍ୱାରା ଗଜପତି ଓ ରାୟଗଡ ଜିଲ୍ଲାର ଗୁଣୁପୁର ଅଞ୍ଚଳରେ ବିଭିନ୍ନ ଫସଲ ଚାଷ ଉପରେ ସମ୍ପୂର୍ଣ୍ଣ ଭାବେ ଏହାର ପ୍ରଭାବ ପଡିବ । କେବଳ ଏତିକି ନୁହେଁ ଖରା ଦିନରେ ଗଜପତି ଜିଲ୍ଲାର କାଶୀନଗର ବ୍ଲକବାସୀ ଓ ରାୟଗଡ ଜିଲ୍ଲାର ଗୁଣୁପୁରବାସୀଙ୍କ ପାନୀୟ ଜଳରେ ସମ୍ପୂର୍ଣ୍ଣ ସଙ୍କଟ ଦେଖାଯିବ । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଉପରୋକ୍ତ ବ୍ୟକ୍ତି ବିଶେଷଙ୍କ ସହ ଅଞ୍ଚଳବାସୀ ନିବେଦନ କରିଛନ୍ତି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result