No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୯ ଏପ୍ରିଲ ସୋମବାର ) ହିଞ୍ଜିଳିକାଟୁ :- ଗତବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଦୀର୍ଘ ପ୍ରାୟ ୯ମାସ ଧରି ଲକଡ଼ାଉନ, ସଡଟଡ଼ାଉନ, ୧୪୪ ଜନତାକର୍ଫ୍ୟୁ, ସପ୍ତାହନ୍ତ ସଡଟଡ଼ାଉନ ଲାଗି ରହିଥିଲା । ଯେତେ ଦିନ ଦୋକାନ ବଜାର ଖୋଲା ରହୁଥିଲା ତା’ ଠାୁ ଅଧିକ ସମୟ ପାଇଁ ଦୋକାନ ବଜାର ବନ୍ଦ ରହୁଥିଲା । କରୋନାର ପ୍ରକୋପ ଗତ ସେପ୍ଟମ୍ବର ମାସ ଠାରୁ କମିବା ପରେ ଜୀବନଯାତ୍ରା ସହିତ ବେପାର ବଣିଜ କିଛି ମାତ୍ରାରେ ଆସ୍ତେ ଆସ୍ତେ ସ୍ୱଭାବିକ ହେବାରେ ଲାଗିଥିଲା । ଗତବର୍ଷ ମହାମାରୀ କରୋନା ଯୋଗୁଁ ବ୍ୟବସାୟ ସମ୍ପୁର୍ଣ୍ଣ ବନ୍ଦ ହୋଇ ଯାଇଥିବା ବେଳେ ପୂର୍ବରୁ ସଂଚିତ ଅର୍ଥ ସାଙ୍ଗକୁ କିଛି ଧାର ଉଧାର କରି କଷ୍ଟେମଷ୍ଟେ ଚଳି ଆସିଥିଲେ ବ୍ୟବସାୟୀ ପରିବାର । ପୂର୍ବରୁ କରିଥିବା କରଜ ବର୍ତମାନ ସୁଦ୍ଧା ପରିଶୋଧ କରିପାରିନଥିବା ବେଳେ ପୁଣି ଥରେ ଆଉ ଏକ ଦୁର୍ଯୋଗ ଆସି ପଂହଚିଛି । ଚଳିତ ମାର୍ଚ୍ଚ ମାସରେ ପୁଣିଥରେ କରୋନା ଦ୍ୱିତୀୟ ଲହରୀ ଆତଙ୍କ ସୃଷ୍ଟି କରିଛି । ଏହାକୁ ପ୍ରତିହିତ କରିବା ସକାଶେ ସରକାର ଓ ପ୍ରଶାସନ ପକ୍ଷରୁ ଜନ ସଚେତନତା କରାଯାଉଥିଲେ ମଧ୍ୟ କିିଛି ଅମାନିଆ ସଂକ୍ରମଣ ବୃଦ୍ଧିରେ ସହାୟକ ହୋଇଛନ୍ତି । ଏପରିକି ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମହାମାରୀ କରୋନାର ଦ୍ୱିତୀୟ ଲହରୀ କ୍ଷିପ୍ର ଗତିରେ ବ୍ୟାପୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ସମେତ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ କଟକଣାକୁ କଡ଼ାକଡ଼ି ପାଳନ କରିବା ସକାଶେ ଲୋକଙ୍କୁ ଅନୁରୋଧ କରିଛନ୍ତି । ଏପରିକି ଗତ କିଛି ଦିନ ହେଲା ସହରାଂଚଳ ଗୁଡ଼ିକରେ ରାତ୍ର ୯ ଟା ଠାରୁ ପରଦିନ ସକାଳେ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ନାଇଟ କର୍ଫ୍ୟୁ ଘୋଷଣା ପରେ ପୁଣି ଥରେ ଚିନ୍ତାରେ ପଡ଼ି ଯାଇଛନ୍ତି ବ୍ୟବସାୟୀ । ବିଶେଷ କରି ସନ୍ଧ୍ୟା ସମୟରେ ନିଜ ନିଜର ବ୍ୟବସାୟ ଆରମ୍ଭ କରୁଥିବା ଚଟାପଟ୍ ଓ ଫାଷ୍ଟଫୁଡ଼ ବ୍ୟବସାୟୀ ମାନେ ବେଶ ଚିନ୍ତାରେ ପଡ଼ି ଯାଇଛନ୍ତି । ସଂପୃକ୍ତ ବ୍ୟବସାୟୀ ମାନେ ସନ୍ଧ୍ୟା ୬ ଟାରୁ ରାତ୍ର ପ୍ରାୟ ସାଢେ ୧୦ ଟା ପର୍ଯ୍ୟନ୍ତ ବ୍ୟବସାୟ କରି ଯାହା କିଛି ଉପାର୍ଜନ କରଥାନ୍ତି, ସେଥିରେ ସେମାନଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି । ପୂର୍ବ ବଷଁ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଦୀର୍ଘ ପ୍ରାୟ ୯ମାସ ଧରି ବ୍ୟବସାୟ ବନ୍ଦ ରହିଥିଲା । ୯ମାସ ଧରି କଟକଣା ଲାଗି ରହିଥିବା ଯୋଗୁଁ ସେମାନଙ୍କ ଆର୍ଥୀକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିଲା ।
ଧିରେ ଧିରେ ବ୍ୟବସାୟ କିଛିଟା ଜୋର ଧରିବା ବେଳକୁ ପୁଣିଥରେ କରୋନାର ଦ୍ୱିତୀୟ ଲହରୀ ଆତଙ୍କ ସୃଷ୍ଟି କରିଛି । ଯଦ୍ୱାର ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହେବାକୁ ବସିଛି ନାଇଟ୍ କର୍ଫ୍ୟୁ । ବର୍ତମାନ ପରିସ୍ଥିତିରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଥିବା ଯୋଗୁଁ ସନ୍ଧ୍ୟା ୬ଟା କିମ୍ବା ସାଢେ ୬ଟା ନହେଲେ ବ୍ୟବସାୟ ଆରମ୍ଭ ହେଉନି । ମାତ୍ର ୨ଘଂଟା ବ୍ୟବସାୟ ହୋଇଥିବ କି ନାହିଁ ରାତି ପ୍ରାୟ ୮ଟା ଓ ସାଢେ ୮ଟାରେ ପୁଲିସ ଗାଡ଼ି ସାଇରନ ମାରି ଦୋକାନ ବଜାର ବନ୍ଦ କରିବା ପାଇଁ ସର୍ତକ କରାଇ ଫେରିବ । ରାତି ୯ଟା ପୂର୍ବରୁ ଦୋକାନ ବଜାର ବନ୍ଦ ନକଲେ ପୁଲିସ ପ୍ରହାର ଖାଇବା ହିଁ ସାର ହେବ । ପୁଲିସ ଲାଠି ମାଡ଼ ଭୟରେ ରାତି ସାଢେ ୮ଟାରୁ ହିଁ ଦୋକାନ ବନ୍ଦ କରିବାକୁ ପଡ଼ିଥାଏ । ଏଭଳି ସମୟରେ ଯାହା କିଛି ବିକ୍ରି ହୋଇନଥାଏ, ତାହାକୁ ଘରକୁ ଧରି ଫେରିବାକୁ ପଡ଼ିଥାଏ ବିଭିନ୍ନ କିସମର ଠେଲାଗାଡ଼ି ବେପାରୀଙ୍କୁ । ଚାହା ଦୋକାନ ଠାରୁ ଆରମ୍ଭ କରି ଫାଷ୍ଟଫୁଡ଼, ଚଟାପଟ ପାମ୍ପୁଡ଼, ଘୁଗୁନି ଚାଟ୍, ପକୁଡ଼ି ସେଂଟର ସମସ୍ତେ ଏହାକୁ ନେଇ ଚିନ୍ତାରେ । ସନ୍ଧ୍ୟା ସମୟରେ ବହୁ ଯୁବ ସମାଜ ମନଫୂର୍ତି କରିବା ସକାଶେ ବଜାର ବୁଲିବା ସହ ଜିଭର ଲାଳସା ଓ କିଛିଟା ଭୋକ ମେଂଟାିବା ପାଇଁ ଫାଷ୍ଟଫୁଡ଼ ସେଂଟର ମୁହାଁ ହେଉଥିଲେ । ବର୍ତମାନ ପରିସ୍ଥିତିରେ କରୋନା ସଂକ୍ରମଣ ଭୟ ସାଙ୍ଗକୁ ନାଇଟ କର୍ଫ୍ୟୁରେ ପୁଲିସ ଭୟ । ଏଭଳି ପରିସ୍ଥିତିରେ ବହୁ ଠେଲାଗାଡ଼ି ବ୍ୟବସାୟୀ ଆଶାନୁରୁପକ ବ୍ୟବସାୟ ହେଉନଥିବା ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି । ଏ ନେଇ ସେମାନେ ଯାହା କୁହନ୍ତି .. ସୁବାଷ ଚନ୍ଦ୍ର ସାହୁ, ଚାହା ଦୋକାନୀ ପ୍ରାୟତଃ ସବୁ ଦିନେ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଲୋକମାନେ ଚାହା ପିଇବାକୁ ଆସନ୍ତି । ବିଶେଷ କରି ଗ୍ରୀଷ୍ମପ୍ରବାହ ଯୋଗୁଁ ପ୍ରତ୍ୟହ ଭୋର ୩ଟାରୁ ସକାଳ ୯ଟା ଏବଂ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲୋକମାନେ ଚାହା ପିଇବାକୂୁ ଆସିଥାନ୍ତି । କରୋନା ସଂକ୍ରମଣକୁ ପ୍ରତିହିତ କରିବା ସକାଶେ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ନାଇଟ୍ କର୍ଫ୍ୟୁ ଘୋଷଣା ପରେ ଆଶାତୀତ ବ୍ୟବସାୟ ହେଉନାହିଁ । ସୁବାଷ ଗଉଡ଼, ଫାଷ୍ଟଫୁଡ଼ ଦୋକାନୀ : ଲୋକମାନେ ସାଧାରଣତଃ ସନ୍ଧ୍ୟା ସାଢେ ୬ରୁ ଫାଷ୍ଟଫୁଡ଼ ଖାଇବାକୁ ଆସିଥାନ୍ତି ।
ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ବ୍ୟବସାୟ ଜୋର ଧରିଥାଏ । ମହାମାରୀ କରୋନା ସଂକ୍ରମଣ ଯୋଗୁଁ ବହୁ ଲୋକ ଆମିଷ ଖାଇବାକୁ ଆଗ୍ରହ ପ୍ରକାଶ କରୁନଥିବା ବେଳେ ଅନ୍ୟପଟେ ରାତି ସାଢେ ୮ଟାରୁ ପୁଲିସ ପ୍ରଶାସନ ଭୟରେ ଦୋକାନ ବନ୍ଦ କରିବାକୁ ପଡ଼ିଥାଏ । ପୂର୍ବରୁ ଦୈନିକ ୩ ହଜାର ଟଙ୍କା ବ୍ୟବସାୟ ହେଉଥିବା ବେଳେ କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ଦୈନିକ ୭ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ ହେଉଛି । ଘରଭଡ଼ା ସାଙ୍ଗକୁ କର୍ମଚାରୀ ମାନଙ୍କ ଦରମା ଦେବା କଷ୍ଟକର ହୋଇପଡ଼ୁଛି । ତ୍ରିନାଥ ଭୂୟାଁ, ଗୁପଚୁପ ବ୍ୟବସାୟୀ : ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଗ୍ରାହକଙ୍କ ଭିଡ଼ ଜମୁଥିଲା । ଗୁପଚୁପ ଖାଇବା ପାଇଁ ପିଲା ଠାରୁ ଆରମ୍ଭ କରି ବୟସ୍କ, ଯୁବ ସମାଜ ଏପରିକି ଝିଅ, ବୋହୁ ମାନେ ଗୁପଚୁପ ଖାଇବା ପାଇଁ ପ୍ରତ୍ୟହ ଆସିଥାନ୍ତି । ବର୍ତମାନ କରୋନା ଭୟ ଓ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିବାରୁ ବ୍ୟବସାୟ ମାନ୍ଦା ରହିବା ସହ ଖଟପାଣି ଯୋଗୁଁ ଥଣ୍ଡା, କାଶ, ଜ୍ୱରର ଭୟ ରହିଛି, ଏଥଇ ସହ କରୋନା ଭୟ ଯୋଗୁଁ ବ୍ୟବସାୟ ପୂର୍ବଠାରୁ ପ୍ରାୟ ୧୦ଗୁଣା କମିଛି ପ୍ରମୋଦ କୁମାର ସାହୁ, ଚାଟ୍ ବ୍ୟବସାୟୀ : ପୂର୍ବରୁ ପ୍ରାୟ ୯ମାସ ଦୋକ।।ନ ବନ୍ଦ ରହିଥିଲା, ବର୍ତମାନ ନାଇଟ କର୍ଫ୍ୟୁ ଘୋଷଣଶ ପରେ ବ୍ୟବସାୟୀ ବହୁତ କମିଯାଇଛି । ଏଭଳି ସ୍ଥିତିରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଛି । ନାଇଟ କର୍ଫ୍ୟୁରେ ଆମ ଭଳି ବ୍ୟବସାୟୀ ମାନେ ପରିବାର ଚଳାଇବା ମୁସ୍କିଲ ହୋଇପଡ଼ିଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result