No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଏପ୍ରିଲ ଶନିବାର ) ଭୁବନେଶ୍ୱର :- ନାଇଟ୍ କର୍ଫ୍ୟୁ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନାଇଟ୍ କର୍ଫ୍ୟୁ ପାଇଁ ମୋଟ୍ ୧୦ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ତା’ଛଡା ରାଜଧାନୀରେ ମୋଟ୍ ୨୫ ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୁଲିସ ବ୍ଲକିଂକରି ଯାଞ୍ଚ କରିବ । ଜରୁରୀ କାମ ବିନା ଯଦି କୌଣସି ବ୍ୟକ୍ତି ସହରରେ ବୁଲୁଥିବେ, ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଉମା ଶଙ୍କର ଦାଶ ସ୍ପଷ୍ଟ କରିଛନ୍ତି । କରୋନା ସଂକ୍ରମଣ ଚେନ୍ ରୋକିବା ଲାଗି ଗୁରୁବାର ମୁଖ୍ୟ ଶାସନ ସଚିବ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଘୋଷଣା କରିଥିଲେ ।
ଶନିବାର ରାତି ୯ଟାରୁ ରାଜଧାନୀରେ ଏହି ନିୟମ ଲାଗୁ କରାଯିବ । ରାଜଧାନୀର ମାଷ୍ଟର କ୍ୟାଣ୍ଟିନ୍, ଏଜି ଛକ, କଳ୍ପନା, ରାଜମହଲ, ପଟିଆ, ଜୟଦେବ ବିହାର, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ରସୁଲଗଡ, ରବି ଟକିଜ ଆଦି ଗୁରୁତ୍ୱପୂର୍ଣ୍ଣ ୨୫ଟି ସ୍ଥାନରେ ଚେକ୍ ପୋଷ୍ଟ କରଯାଇ ଯାଞ୍ଚ କରାଯିବ । ଏହାସହ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ପାଟ୍ରୋଲିଂ କଡାକଡି କରିବା ପାଇଁ ବିଭିନ୍ନ ଥାନାର ଆଇଆଇସିଙ୍କୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ଅମାନିଆ ନିୟମ ଭାଙ୍ଗି ବାହାରେ ବୁଲାବୁଲି କରନ୍ତି, ତେବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।
ଏହାସହ ମୋଟ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୂତୟନ କରାଯିବା ସହ ବିଭିନ୍ନ ଜୋନର ଏସିପିମାନଙ୍କୁ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ରହିଛି । ରାତିକାଳୀନ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ । ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀ ସେମାନଙ୍କ ଆଇକାର୍ଡ ଦେଖାଇ ଗନ୍ତବ୍ୟ ସ୍ଥଳକୁ ଯାଇ ପାରିବେ । ଏହା ସହ ଜନସାଧାରଣ ସହଯୋଗ କରିବା ପାଇଁ ନିବେଦନ କରିଛି ।
No Result
View All Result