No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର ) ଜୟପୁର :- ଅଧ ପନ୍ତରିଆ ଘରେ ବିତୁଛି ଜୀବନ। କେଉଁଠି ମାଟି ଗଦା ହୋଇଛି ତ ଆଉ କେଉଁଠି ଗୋଡି ବାଲି । ନୂଆ ଯୋଜନା ଆସିବା ପରେ ପୁରୁଣା ଯୋଜନାରେ ଥିବା ହିତାଧିକାରୀଙ୍କୁ ଭୁଲି ଯାଇଛନ୍ତି ସରକାରୀ ବାବୁ । ଆଜି କାଲି କହି ବର୍ଷ ବର୍ଷ ଧରି ଭୁଆଁ ବୁଲାଇ ଚାଲିଛନ୍ତି । ଜୟପୁରର ପୁରୁଣାଗଡର ରମା ଜାନୀ । ୨୦୦୯ରେ ସମନ୍ୱିତ ଗୃହ ବସ୍ତି ଉନ୍ନୟନ ଯୋଜନାରେ ରମାଙ୍କୁ ସାମିଲ କରି ୱାର୍କ ଅର୍ଡର ଦିଆଗଲା । ପ୍ରଥମ କିସ୍ତିରେ ୧୫ ହଜାର ଏବଂ ଦ୍ୱିତୀୟ କିସ୍ତିରେ ୩୦ ହଜାର ଦେଇ କାମ ସାରିଦେଲେ ସରକାର । ତା’ପରେ ଯେତେ ଦୌଡିଲେ ବି ଆଉ ଟଙ୍କା ମିଳୁନି । ତାଙ୍କ ଘର ସେମିତି ଅଧପନ୍ତରିଆ ହୋଇ ପଡି ରହିଛି । ସେହିପରି ସମାନ ସ୍ଥିତି ଇଶ୍ୱରୀ ହରିଜନଙ୍କର । ତାଙ୍କୁ ବି ଦୁଇଟି କିସ୍ତିରେ ୪୫ ହଜାର ଟଙ୍କା ମିଳିଛି ।
ଧାର କରଜ କରି ଇଶ୍ୱରୀ ଘର କାମ ପୁରା କରିଦେଲେ ସିନା ହେଲେ ଏଯାଏଁ ପୁରା ଟଙ୍କା ମିଳୁନି । ଅନ୍ୟପଟେ ଗାଁର ଗୁରୁ ଜାନୀଙ୍କ ଅବସ୍ଥା ବି ସାମନ । ଛୋଟିଆ ଦୋକାନ କରି ପରିବାର ଚଳାଉଥିବା ଗୁରୁଙ୍କୁ ବି ଲକ୍ଷେ ୧୦ ହଜାର ମିଳିବ ବୋଲି କୁହାଯାଇଥିଲା । ହେଲେ ମିଳିଛି ମାତ୍ର ୪୫ ହଜାର । ଏହାରି ଭିତରେ ୧୦ ବର୍ଷ ବିତିଗଲାଣି । କିନ୍ତୁ ଟଙ୍କା ପାଇଁ ମ୍ୟୁନିସପାଲଟି ଅଫିସ ଦୌଡିବା ତାଙ୍କର ବନ୍ଦ ହୋଇନି। ପୁରୁଣା ଯୋଜନା ବନ୍ଦ ହୋଇ ନୂଆ ଯୋଜନା କାର୍ଯ୍ୟକାରୀ ହୋଇସାରିଲେଣି । ହିତାଧିକାରୀ ବି ସାମିଲ ହୋଇସାରିଲେଣି । ହେଲେ ବନ୍ଦ ହୋଇଥିବା ଯୋଜନାର ହିତାଧିକାରୀ ବକେୟା ଟଙ୍କା ପାଇଁ ଆଜି ବି ନୟାନ୍ତ ହେଉଛନ୍ତି । ସରକାରଙ୍କ ପକ୍ଷରୁ ସମନ୍ୱିତ ଗୃହ ଓ ବସ୍ତି ଉନ୍ନୟନ ଯୋଜନାରେ ହିତାଧିକାରୀ ସାମିଲ ହୋଇ ଘର କରିଥିଲେ ବି ୧୦ ବର୍ଷ ହେଲା ବକେୟା ଟଙ୍କା ପାଇ ପାରିନାହାଁନ୍ତି ।
ଆଜି ଦେବୁ କାଲି ଦେବୁ କହି ସରକାରୀ ବାବୁମାନେ ଭୁଆଁ ବୁଲାଇ ଚାଲିଛନ୍ତି । ୨୦୦୯-୧୦ରେ ଆରମ୍ଭ ହୋଇଥିଲା ସମନ୍ୱିତ ଗୃହ ବସ୍ତି ଉନ୍ନୟନ ଯୋଜନା। ୨୦୧୫-୧୬ ଅର୍ଥାତ୍ ୬ବର୍ଷ ମଧ୍ୟରେ ୩୨୩ ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଥିଲେ । ସେଥିରୁ ୩୩ଜଣ ହିତାଧିକାରୀ ଟଙ୍କା ଫେରିପାଇଛନ୍ତି । ୧୫୭ଜଣ ହିତାଧିକାରୀଙ୍କୁ ଘର ସଂପୂର୍ଣ୍ଣ ପାଇଁ ଟଙ୍କା ଦିଆଯାଇଛି । ହେଲେ ବଳକା ୧୩୩ ଜଣଙ୍କୁ ଏଯାଏଁ ଟଙ୍କା ମିଳିନଥିବା ସୂଚନା ରହିଛି। ହିତାଧିକାରୀଙ୍କୁ ତୁରନ୍ତ ବକେୟା ଟଙ୍କା ପ୍ରଦାନ କରିବା ସହ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି କୋରାପୁଟ ଯୁବ ସଂଗଠନ । ନଚେତ ପୌର କାର୍ଯ୍ୟାଳୟ ଆଗରରେ ଅନଶନରେ ବସିବୁ ବୋଲି ସଙ୍ଗଠନ ଧମକ ଦେଇଛି । ସେପଟେ ଉପଜିଲ୍ଲାପାଳ କହିଛନ୍ତି, ଯଦି ହିତାଧିକାରୀମାନେ ସରକାରୀ ନିୟମ ଅନୁଯାୟୀ ସମସ୍ତ କାଗଜପତ୍ର କରିଛନ୍ତି ତା’ହେଲେ ସେମାନଙ୍କୁ ନିଶ୍ଚିତ ବକେୟା ଟଙ୍କା ମିଳିବ । ଗାଁରେ ଏମିତି ଅନେକ ହିତାଧିକାରୀ ଅଛନ୍ତି ଯେଉଁମାନେ ଏବେବି ପୂରା ଟଙ୍କା ପାଇଁ ଅପେକ୍ଷା କରିଛନ୍ତି । ଟଙ୍କା ନମିଳିବାରୁ କିଏ କିଏ ତ କାମ ବି ଆରମ୍ଭ କରିନାହାଁନ୍ତି । ବକେୟା ଟଙ୍କାକୁ ଅନାଇ ରହିଥିବା ହିତାଧିକାରୀଙ୍କୁ ସେମାନଙ୍କ ଟଙ୍କା କେବେ ମିଳିବ, ଏବା ତାକୁ ହିଁ ଅପେକ୍ଷା । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )
No Result
View All Result