ପେଟ୍ରୋଲରୁ ଫେଣ ବାହାରୁଥିବା ଅଭିଯୋଗରେ ସୋନପୁର ପଟାଭାଡ଼ିରେ ଥିବା ଦେବଯାନୀ ପେଟ୍ରୋଲ ପମ୍ପକୁ ସିଲ୍‌ କରିଛି ଯୋଗାଣ ବିଭାଗ

ଓଡ଼ିଶା ତାଜା ନ୍ୟୁଜ (୧୧ ଅପ୍ରେଲ ରବିବାର)  ସୋନପୁର :- ପେଟ୍ରୋଲରୁ ଫେଣ ବାହାରୁଥିବା ଅଭିଯୋଗରେ ସୋନପୁର ପଟାଭାଡ଼ିରେ ଥିବା ଦେବଯାନୀ ପେଟ୍ରୋଲ ପମ୍ପକୁ ସିଲ୍‌ କରିଛି ଯୋଗାଣ ବିଭାଗ । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳର ପ୍ରଦ୍ୟୁମ୍ନ ନାମକ ଜଣେ ଯୁବକ ଏହି ପେଟ୍ରୋଲ୍‌ ପମ୍ପରୁ ତାଙ୍କ ସ୍କୁଟିରେ ପେଟ୍ରୋଲ ପକାଇ କିଛି ବାଟ ଗଲା ପରେ ହଠାତ ସ୍କୁଟି ବନ୍ଦ ହୋଇଯାଇଥିଲା । ପ୍ରଦ୍ୟୁମ୍ନ ସଙ୍ଗେ ସଙ୍ଗେ ପେଟ୍ରୋଲ ପମ୍ପକୁ ଆସି ଘଟଣା ସମ୍ପର୍କରେ କହିବା ସହିତ ଏକ ବୋତଲରେ ପେଟ୍ରୋଲ ମାଗିଥିଲେ । ବୋତଲରେ ପେଟ୍ରୋଲ ଭର୍ତ୍ତି କରିବାରୁ ସେଥିରେ ଫେଣ ବାହାରୁଥିବା ଦେଖିବାକୁ ପାଇଥିଲେ।

ଏହାପରେ ସେ ୧୧୨ ନମ୍ବରକୁ ଫୋନ କରିବା ପରେ ଘଟଣା ସ୍ଥଳରେ ଯୋଗାଣ ବିଭାଗ ସହକାରୀ ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ, ସହକାରୀ ଯୋଗାଣ ଅଧିକାରୀ ପ୍ରଣତି ପୃଷ୍ଟି, ଉଲୁଣ୍ଡା ଯୋଗାଣ ଅଧିକାରୀ ରାଜକିଶୋର ନାୟକ ଓ ପୁଲିସ ପହଞ୍ଚି ପେଟ୍ରୋଲ ପମ୍ପରୁ ନମୁନା ସଂଗ୍ରହ କରିବା ସହ ଉକ୍ତ ପେଟ୍ରୋଲ ପମ୍ପକୁ ସିଲ୍‌ କରିଥିଲେ। ବୈଷୟିକ ଦଳକୁ ଖବର ଦେବା ପରେ ସେମାନେ ପେଟ୍ରୋଲ୍‌ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଉକ୍ତ ପେଟ୍ରୋଲ ପମ୍ପରୁ ୨୫୦ ଲିଟର ପାଣି ବାହାରିଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କେଉଁ ପରସ୍ଥିତିରେ ଉକ୍ତ ପେଟ୍ରୋଲ ପମ୍ପରୁ ଏତେ ପରିମାଣରେ ପାଣି ବାହାରିଛି ତାହା ଯାଞ୍ଚ ପରେ ଜଣାପଡ଼ିବ ବୋଲି ଯୋଗାଣ ବିଭାଗ ସୂଚନା ଦେଇଛି। ଭାରତ ପେଟ୍ରାଲିୟମର ରିଜିଓନାଲ ମ୍ୟାନେଜର କ୍ଲିୟରାନ୍‌ସ ସାର୍ଟିଫିକେଟ ପ୍ରଦାନ କଲାପରେ ତାହା ଜିଲ୍ଲାପାଳଙ୍କ ପାଖକୁ ପଠାଯିବ। ଜିଲ୍ଲାପାଳ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଅନୁମତି ଦେବା ପର୍ଯ୍ୟନ୍ତ ଉକ୍ତ ପେଟ୍ରୋଲ ପମ୍ପ ସିଲ ରହିବ ବୋଲି ସହକାରୀ ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ସୂଚନା ଦେଇଛନ୍ତି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)