ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ବିଧାନସଭା 20.2.2020 :- ବିଧାନସଭାରେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବେକାରୀ ପ୍ରସଙ୍ଗ ଉଠାଇଥିଲେ । ସେ ଅଭିଯୋଗ କରିଥିଲେ ରାଜ୍ୟରେ ୨୨ଲକ୍ଷ ୫୭ ହଜାର ବେକାରଙ୍କ ନାଁ ପଞ୍ଜୀକରଣ ହୋଇଥିଲେ ହେଁ ମାତ୍ର ୨୬ ହଜାରଙ୍କୁ ନିଯୁକ୍ତି ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ୫୫ ହଜାର ୫୫୬ଜଣ ବେକାର ଅଛନ୍ତି । ଏହାଛଡା କେନ୍ଦ୍ର ଦେଉଥିବା ଅର୍ଥର ସୁଧରେ ରାଜ୍ୟ ସରକାର ଯୋଜନା କରୁଛନ୍ତି । ୩୦ଟି ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ କେନ୍ଦ୍ର ସରକାରଙ୍କ ଅର୍ଥ ସୁଧରେ ଚାଲିଛି ବୋଲି ଶ୍ରୀ ନାୟକ କହିଥିଲେ । ଏହା ଉପରେ ଆପତ୍ତି ଉଠାଇ ବିଜେଡି ବିଧାୟକ ପ୍ରଦୀପ ଅମାତ, ଅମର ଶତପଥୀ ଓ ଭୁପିନ୍ଦର ସିଂ କହିଲେ ବିରୋଧୀ ଦଳ ନେତା ଅସତ୍ୟ ତଥ୍ୟ ଦେଇ ଗୃହକୁ ବିଭ୍ରାନ୍ତ କରନ୍ତୁ ନାହିଁ । ଫଳରେ ଏହାକୁ ନେଇ ଗୃହରେ କିଛି ସମୟ ପାଇଁ କଥା କଟାକଟି ହୋଇଥିଲା ଓ ଏହି ପ୍ରସଙ୍ଗରେ ଶାସକ ଓ ବିରୋଧୀ ଦଳର ସଭ୍ୟ ମୁହାଁମୁହିଁ ହୋଇଛନ୍ତି । ବାଚସ୍ପତି ରୁଲିଂ ଦେବା ସହ ବିରୋଧୀ ଦଳ ନେତାଙ୍କୁ ଏ ସମ୍ପର୍କିତ ତଥ୍ୟ ସମ୍ପର୍କିତ ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଦର୍ଶ ବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇ ୪୦୦ କୋଟି ଟଙ୍କା ଏଥିପାଇଁ ବ୍ୟୟ ବରାଦ କରାଯାଇଥିବା ଗୃହକୁ ଜଣାଇଥିଲେ ।