No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ଶନିବାର ) ଭୁବନେଶ୍ୱର :- ସୁଦୃଢ଼ ଯୁବଶକ୍ତି ସମୃଦ୍ଧ ସମାଜର ଏକ ମୁଖ୍ୟ ମାନଦଣ୍ଡ । ଦୃଢ଼ ସଂକଳ୍ପ ଓ ସ୍ୱପ୍ନକୁ ସାକାର କରିବାର ଇଚ୍ଛାକୁ ଆଧାର କରି ରାଜ୍ୟର ପ୍ରଗତିକୁ ଶୀର୍ଷ ସୋପାନରେ ପହଞ୍ଚାଇବାରେ ଯୁବଶକ୍ତି ଏକ ପ୍ରମୁଖ ମାଧ୍ୟମ ହୋଇପାରିବ ବୋଲି ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମତବ୍ୟକ୍ତ କରିଛନ୍ତି । ଆଜି ସ୍ଥାନୀୟ ରାଜ୍ୟ ଅତିଥି ଭବନଠାରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ସହ ନେହେରୁ ଯୁବ କେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶକ ନବୀନ ନାୟକ ଏକ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଥିଲା ।
ଏଥିରେ ରାଜ୍ୟ ଯୁବନୀତିର ସଠିକ ପ୍ରଣୟନ ସହ ନେହେରୁ ଯୁବକେନ୍ଦ୍ର ଅଧୀନରେ ଆସୁଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା । ଏଥି ସହିତ ଆଗାମୀ ଦିନରେ ନିଯୁକ୍ତି, ପ୍ରଶିକ୍ଷଣ, ଆତ୍ମରକ୍ଷା, ଦକ୍ଷତା ବିକାଶ, ଦୁଃସାହସିକ କ୍ରୀଡ଼ା ଏବଂ ଉନ୍ନତ କୌଶଳ ମାଧ୍ୟମରେ କିଭଳି ତୃଣମୂଳ ସ୍ତରରୁ ସମସ୍ତ ଯୁବକଯୁବତୀଙ୍କୁ ରାଜ୍ୟର ବିକାଶଧାରାରେ ସାମିଲ କରାଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ରାଜ୍ୟ ମୁଖ୍ୟାଳୟ ଏବଂ ଜିଲ୍ଲାସ୍ତରରେ ଯୁବଭବନ ପ୍ରତିଷ୍ଠା ସହ ବିଭିନ୍ନ ଯୁବକଲ୍ୟାଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସହଯୋଗରେ କାର୍ଯ୍ୟ କରିବାକୁ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ।
ଆଗାମୀ ଦିନରେ ଜିଲ୍ଲାପାଳ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଏବଂ ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକଙ୍କୁ ନେଇ ଜିଲ୍ଲାସ୍ତରରେ ଯୁବନୀତିର ସଠିକ୍ କାର୍ଯ୍ୟକାରିତା ନେଇ ବୈଠକ ଅନୁଷ୍ଠିତ ହେବ ବୋଲି ଆଲୋଚନା ହୋଇଥିଲା । ବୈଠକରେ କ୍ରୀଡ଼ା ଓ ଯୁବସେବା ବିଭାଗର ଉପଶାସନ ସଚିବ ଶ୍ରୀ ବିଜୟାନନ୍ଦ ନାୟକ, ବିଭାଗୀୟ ଅଧିକାରୀ ଏବଂ ନେହେରୁ ଯୁବ କେନ୍ଦ୍ରର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result