No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରି ୨୦୨୧, ଶୁକ୍ରବାର ) ଭୁବନେଶ୍ୱର :- ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (ଜିସିପିଇ)ର ନୂଆ କ୍ୟାମ୍ପସ୍ ପରିଦର୍ଶନ କରିବା ସହ ବିଭିନ୍ନ ନିର୍ମାଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଜି ମନ୍ତ୍ରୀ ଶ୍ରୀ ବେହେରା ତମାଣ୍ଡୋସ୍ଥିତ ଜିସିପିଇ ମହାବିଦ୍ୟାଳୟର ନୂଆ କ୍ୟାମ୍ପସ୍ ପରିଦର୍ଶନ କରିବା ସହ ଚାଲୁ ରହିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଏବଂ ଶିକ୍ଷାରମ୍ଭ ନେଇ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।
ଏଥି ସହିତ ନିର୍ମାଣାଧୀନ ବାଳକ ଓ ବାଳିକା ହଷ୍ଟେଲ, ଏକାଡେମିକ୍ ବ୍ଲକ୍ ଆଦି ପରିଦର୍ଶନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ଉନ୍ନତିକୁ ସର୍ବଦା ଗୁରୁତ୍ୱ ଦେଉଥିବାବେଳେ ରାଜ୍ୟରେ ଏକ ସ୍ୱତନ୍ତ୍ର ମାନର ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପ୍ରତିଷ୍ଠା ନେଇ କ୍ରୀଡ଼ା ଓ ଯୁବସେବା ବିଭାଗ ଯେଉଁ ଲକ୍ଷ୍ୟ ରଖିଛି ତାହାକୁ ପୂରଣ କରିବା ଦିଗରେ ସମସ୍ତେ ତତ୍ପର ହୋଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କ ପରାମର୍ଶ ଦେଇଥିଲେ ।
ନବନିର୍ମିତ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପ୍ରତିଷ୍ଠା ହେଲେ ଏହା ଶିକ୍ଷାର୍ଥୀମାନଙ୍କୁ ଏକ ବଡ଼ ପ୍ଲାଟଫର୍ମ ଯୋଗାଇବ । ଆଧୁନିକ ଶିକ୍ଷା ଭିତ୍ତିଭୂମି ସହ ଉନ୍ନତ ହଷ୍ଟେଲ, ଖାଦ୍ୟପେୟ ଏବଂ ଖେଳ ପଡ଼ିଆ ଓ ଆବଶ୍ୟକ ସମସ୍ତ କ୍ରୀଡ଼ା ସରଞ୍ଜାମ ଏଥିରେ ମହଜୁଦ ରହିବ । ଏହା ପରବର୍ତ୍ତୀ ସମୟରେ ପିଇଟି ଶିକ୍ଷକ, ଭଲ କୋଚ ସୃଷ୍ଟି ସହ ରାଜ୍ୟର କ୍ରୀଡ଼ା ଇକୋ ସିଷ୍ଟମ୍କୁ ସମୃଦ୍ଧ କରିବାରେ ସହାୟକ ହୋଇପାରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
No Result
View All Result