No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର ) ଚାନ୍ଦବାଲି/ଆରଡ଼ି :- ଗାଁରେ ବସିଥିବା ନଳକୂପରୁ ଆଉ ପାଣି ବାହାରୁ ନାହିଁ ଫଳରେ ଲୋକେ ହତାଶ ହୋଇ ପୂର୍ବପରି ପୋଖରୀ ଓ ନଦୀ ପାଣିକୁ ଭରସା କରୁଛନ୍ତି । ଭଦ୍ରକ ଜିଲା ଧାମନଗର ବ୍ଲକ ପାଳସାହି ଏବଂ ଚାନ୍ଦବାଲି ବ୍ଲକର ସୁନ୍ଦରପୁର ଓ ନାନ୍ଦପୁର ପଞ୍ଚାୟତରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ଖରାଦିନ ଆରମ୍ଭରୁ ପାନୀୟ ଜଳ ସଙ୍କଟ ଜନଜୀବନକୁ ବ୍ୟତିବ୍ୟସ୍ତ କରି ପକାଇଛି । ପାଳସାହି ପଞ୍ଚାୟତର ସାଆଁଳପୁରଠାରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସରିଥିଲେ ମଧ୍ୟ ଉଦ୍ଘାଟନ କରାଯାଉ ନାହିଁ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉ ନ ଥିବାରୁ ପାଣି ପାଇଁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି । ସାଆଁଳପୁର ଓ ଆଖପାଖ ଗାଁରେ ନଳକୂପ ପାଖରେ ଦିନସାରା ଭିଡ଼ ଲାଗୁଛି । ଅଧଘଣ୍ଟାରେ ବାଲ୍ଟି ପୂରୁ ନ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ପାନୀୟ ଜଳ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ସେମାନେ ଲିଖିତ ଭାବେ ବିଡିଓଙ୍କୁ ଜଣାଇଛନ୍ତି ।
ସେହିପରି ଚାନ୍ଦବାଲି ବ୍ଲକର ଓଳଗ ପଞ୍ଚାୟତ ଓଳଗଠାରେ ଏକ ପାନୀୟ ଜଳ ପ୍ରକଳ୍ପ ଥିଲେ ବି ଏହା ଉପରେ ନିର୍ଭର କରୁଥିବା ଷାଠିବାଙ୍କୁଡ଼ା, ଅମୃତମଣି ଓ ସୁନ୍ଦରପୁର ପଞ୍ଚାୟତର କୁଳେଇପଦା ଗାଁକୁ ପାଇପ୍ ଯୋଗେ ପାଣି ଆସୁନାହିଁ । ଏସବୁ ଗାଁରେ ମଧ୍ୟ ନଳକୂପରୁ ପାଣି ବାହାରୁ ନ ଥିବା କୁହାଯାଇଛି । ଏଠାରେ ପାଇପ୍ ଯୋଗେ ଆସୁଥିବା ଜଳକୁ ମୁଷ୍ଟିମେୟ ବ୍ୟକ୍ତିମାନେ ପରିବା ଚାଷରେ ବିନିଯୋଗ କରୁଛନ୍ତି । ଏହାଛଡ଼ା କେତେଜଣ ବ୍ୟକ୍ତି ଏହି ପାଣିକୁ ନିଜ ପୋଖରୀକୁ ଛାଡୁଥିବା ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ ପାନୀୟ ଜଳ ସମସ୍ୟା ଧୀରେ ଧୀରେ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଠିକାଦାର ଜଣଙ୍କ ୭ ବର୍ଷ ହେଲା ମନମୁଖୀ କାର୍ଯ୍ୟ ଚଳାଇଛନ୍ତି । ଏ ପର୍ଯ୍ୟନ୍ତ ସେ ଉକ୍ତ ପ୍ରକଳ୍ପର ସମସ୍ତ କାର୍ଯ୍ୟ ସାରି ପାରି ନ ଥିବାରୁ ଏଭଳି ସମସ୍ୟା ଉପୁଜିଛି । (ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି)
No Result
View All Result