No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ମାର୍ଚ୍ଚ ୨୦୨୧, ବୁଧବାର) ଭୁବନେଶ୍ୱର :- ବିଧାନସଭାରେ ତାତି, ସରକାର-ବିରୋଧୀ ଦୋଷ ଲଦାଲଦି,ପେଟ୍ରୋଲ, ଡିଜେଲ ପରେ ଖାଉଟୀଙ୍କ ଉପରେ ଏବେ ଖାଇବା ତେଲର ମହଙ୍ଗାମାଡ଼ ପଡିଛି। ୬ ମାସ ଭିତରେ ୭୦ ପ୍ରତିଶତ ମହଙ୍ଗା ହେଲାଣି ଖାଇବା ତେଲ। ଏ ପ୍ରସଙ୍ଗ ଏବେ ରୋଷେଇ ଶାଳରୁ ଆସି ପହଞ୍ଚିଛି ବିଧାନସଭାରେ। ଖାଲି ପହଞ୍ଚିନି, ସରଗରମ ହୋଇଛି ଆଲୋଚନା। କଂଗ୍ରେସ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କାଠଗଡ଼ାକୁ ଟାଣିଥିବା ବେଳେ ଦୋଷ ଲଦାଲଦି ହୋଇଛନ୍ତି ବିଜେପି ଓ ବିଜେଡି । ଆଳୁ, ପିଆଜ ଦରବୃଦ୍ଧିରୁ ତ୍ରାହି ମିଳିଛି କି ନାହିଁ କଲବଲ କଲାଣି ଖାଇବା ତେଲଅ ବୋଝ।
୬ ମାସରେ ୬୦ରୁ ୭୦% ମହଙ୍ଗା ହେଲାଣି ରୋଷେଇ ଘରର ଏହି ଅତ୍ୟାବଶ୍ୟକ ସାମଗ୍ରୀ। ଯେଉଁ ରିଫାଇନ ତେଲର ଦାମ ଲିଟର ପିଛା ୯୫ ଟଙ୍କା ଥିଲା ଏବେ ତାହା ୧୬୫ ଟଙ୍କାରେ ପହଞ୍ଚିଛି। ଗରିବଗୁରୁବା ବ୍ୟବହାର କରୁଥିବା ପାମୋଲିନ୍ ତେଲରେ ବି ହାତ ଦେଇ ହେଉନି। ଲିଟର ପିଛା ୮୦ ଟଙ୍କାରୁ ବଢ଼ି ଛୁଇଁଲାଣି ୧୩୦ ଟଙ୍କା। ଆଉ ସୋରିଷ ତେଲ କଥା ବି ନ କହିବା ଭଲ। ସୋରିଷ ତେଲ ଲିଟର ୯୦ ଟଙ୍କା ଥିବା ବେଳେ ଏବେ ୧୫୦ ଏହାକୁ ନେଇ ଚିନ୍ତାରେ ଅଛନ୍ତି ଖାଉଟି ଆଉ ବ୍ୟଥାରେ ଗୃହିଣୀ। ସେମାନଙ୍କ କହିବା କଥା, ଲକ୍ଡାଉନ୍ ଯୋଗୁଁ ଆୟ କମିଥିବା ବେଳେ ସବୁ ଖାଇବା ଜିନିଷର ଦାମ ଆକାଶଛୁଆଁ ହୋଇଛି। ଅତି ଦରକାରୀ ଖାଇବା ତେଲ ଦର କମାଇବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଗୃହିଣୀଙ୍କ ଦାବି।
ଏପଟେ ଖାଇବା ତେଲର ଅତ୍ୟଧିକ ଦରବୃଦ୍ଧିକୁ ନେଇ ବିଧାନସଭାରେ ତାତି ବି ଦେଖିବାକୁ ମିଳିଛି। ମୁଲତବୀ ପ୍ରସ୍ତାବ ଆଣି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କାଠଗଡ଼ାକୁ ଟାଣିଥିଲା କଂଗ୍ରେସ। କେନ୍ଦ୍ର ସରକାର ଉଭୟ ଆମଦାନୀ ଶୁଳ୍କ ଓ ସେସ୍ ବଢ଼ାଇଥିବାରୁ ତେଲ ଦର ଦେଢ଼ଗୁଣା ହୋଇଥିବା ଦଳ କହିଛି। ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉନଥିବା କଂଗ୍ରେସ ଅଭିଯୋଗ କରିଛି । ଅନ୍ୟପଟେ ରାଜ୍ୟରେ ତୈଳବୀଜ ଉତ୍ପାଦନ ପାଇଁ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି ବୋଲି ଜାଣିବାକୁ ଚାହିଁଥିଲା ବିଜେପି। ତେବେ ତେଲ ଦର ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ରର ଦାୟିତ୍ୱ କହି ମୁଣ୍ଡରୁ ପୁରା ଦୋଷ ଖସାଇ ଦେଇଛି ବିଜେଡି । ପେଟ୍ରୋଲ ଡିଜେଲ ହେଉ କି ଖାଇବା ତେଲ ଦରବୃଦ୍ଧିକୁ ନେଇ ତର୍କବିତର୍କ ଓ ଦୋଷ ଲଦାଲଦି ଭିତରେ ମହଙ୍ଗା ମାଡ଼ରେ ପେସି ହେଉଥିବା ସାଧାରଣ ଲୋକଙ୍କୁ କିଭଳି ଆଶ୍ୱସ୍ତୀ ମିଳିବ ସେଥିପ୍ରତି କିନ୍ତୁ କାହାରି ନିଘା ନାହିଁ । (ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି )
No Result
View All Result