ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 14.2.2020 :- ଆଜି ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ବିଧାନସଭାରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ତେବେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ସହିଦ ଓ ଦିବଙ୍ଗତ ନେତାଙ୍କ ବିୟୋଗରେ ଶୋକବ୍ୟକ୍ତ କରାଯାଇ ଥିଲା ।
ଏହାପରେ ବଜେଟ୍ ଅଭିଭାଷଣରେ, ରାଜ୍ୟପାଳ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଉଲ୍ଲେଖ କରିବା ସହିତ ପ୍ରଶାସନରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ଲାଗି ହାତକୁ ନିଆଯାଇଥିବା “ମୋ ସରକାର’ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଶଂସା କରିଥିଲେ । “ମୋ ସରକାର’ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ରାଜ୍ୟପାଳ କହିଥିଲେ ଲୋକଙ୍କ ସୁବିଧା ପାଇଁ “ମୋ ସରକାର’ ଆରମ୍ଭ କରାଯାଇଛି । ସେହିପରି ୫- ଟି ଜରିଆରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରାଯାଇଛି ।
ଏହାଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟ, ଶିକ୍ଷା ଆଦି କ୍ଷେତ୍ରରେ ଅଧିକ ପ୍ରଗତି ହୋଇପାରିଛି । କେବଳ ଏତିକି ନୁହେଁ, ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ଆଉ କହିଛନ୍ତି କି, ଚାଷୀଙ୍କ ଆୟ ଦୁଇ ଗୁଣା ହୋଇଛି । ଛାତ୍ରଛାତ୍ରୀଙ୍କ ପାଇଁ କାଳିଆ ଛାତ୍ର ବୃତ୍ତି ଯୋଜନା ଲାଗୁ ହୋଇଛି । ସେହିଭଳି ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ମୋ ସରକାର ଗୁରୁତ୍ୱ ଦେଉଛନ୍ତି । ଏହାର ଝଲକ ନିକଟରେ ହୋଇଥିବା ଶ୍ରୀମନ୍ଦିରର ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରୁ ଦେଖିବାକୁ ମିଳିଛି ।
ଠିକ୍ ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିର ବିକାଶ ପାଇଁ ପଦକ୍ଷେପ ନେଉଛନ୍ତି ସରକାର । ଅନ୍ୟପଟେ ରାଜ୍ୟରେ ଦାରିଦ୍ର୍ୟ ଦୂର କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଉଠା ଜଳସେଚନ ଜରିଆରେ ଚାଷୀଙ୍କୁ ଜଳଯୋଗାଣ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଇଛିୟ ରାଜ୍ୟର ୧୧ଟି ଜିଲ୍ଲାର ୫୫ ବ୍ଲକରେ “ଓଡ଼ିଶା ମିଲେଟ୍ ମିସନ୍’ ନାମକ ଏକ ଯୋଜନାର ଶୁଭାରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ‘ମୋ ସରକାର’ ଓ ୫-ଟି ବ୍ୟବସ୍ଥାରେ ସାଧାରଣ ଲୋକମାନଙ୍କର ଉପକାର ହେଉଛି । ସରକାରୀ ବିଭାଗଗୁଡିକ ଚଳଚଞ୍ଚଳ ହୋଇଛି ।
ଏହା ମାଧ୍ୟମରେ ଲୋକଙ୍କୁ ସହାୟତା ମିଳୁଛି । ଥାନାରେ ପୋଲିସ୍ ଅଭିଯୋଗକାରୀଙ୍କ ଠାରୁ ଅଭିଯୋଗ ଶୁଣୁଛନ୍ତି । ପ୍ରଗତିର ଧାରାକୁ ଅଧିକ ତ୍ୱରାନ୍ୱିତ କରିବାପାଇଁ ୫-ଟି ଲାଗୁ କରାଯାଇଛି ବୋଲି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରକାଶ କରିଛନ୍ତି । ଶ୍ରୀମତୀ ମଲ୍ଲିକ ଶୁକ୍ରବାର ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଣିଥିଲେ । ଉପମୁଖ୍ୟସଚେତକ ରୋହିତ ପୂଜାରୀ ଏହାକୁ ସମର୍ଥନ କରିଥିଲେ ।
ଶ୍ରୀମତୀ ମଲ୍ଲିକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭଲ ରହିଛି । ରାଜ୍ୟ ସରକାର ବିଭିନ୍ନ ଯୋଜନା କରି ଉଦାହରଣ ସୃଷ୍ଟି କରିଛନ୍ତି । ଗ୍ରାମାଂଚଳରେ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ପାରିଛି । ସବୁ ବର୍ଗର ଲୋକଙ୍କ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆର୍ଥିକ ପରିଚାଳନାରେ ସ୍ୱଚ୍ଛତା ଅଣାଯାଇ ପାରିଛି । କୃଷି ଓ କୃଷକ ଏବଂ ଜଳ ସେଚନ ଉପରେହ ଗୁରୁତ୍ୱ ଦିଆଯାଇଛି ।
ଅନୁସୂଚିତ ଜାତି ଓ ଜନଜାତିଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାପାଇଁ ପ୍ରସ୍ତୁତ ଯୋଜନାଗୁଡିକ ସଫଳତାର ସହ କାର୍ଯ୍ୟକାରୀ କରାଯାଉଛି । ମହିଳାମାନଙ୍କୁ ସଶକ୍ତ କରାଯାଇପାରିଛି । ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ କହିଥିଲେ ।