କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ କୁଣ୍ଡାପିଠା ଗ୍ରାମର ବାଦଲ ପଇଦା (୧୩) – ଯାହାଙ୍କ ହୃଦ୍‌ପ୍ରତିରୋପଣ ସଫଳ ହୋଇଛି

ଓଡ଼ିଶା ତାଜା ନ୍ୟୁଜ (୧୭ ମାର୍ଚ୍ଚ ବୁଧବାର )  କେନ୍ଦୁଝର :- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ କୁଣ୍ଡାପିଠା ଗ୍ରାମର ବାଦଲ ପଇଦା (୧୩) । ଯାହାଙ୍କ ହୃଦ୍‌ପ୍ରତିରୋପଣ ସଫଳ ହୋଇଛି । ସେ ଓଡିଶାର ପ୍ରଥମ ଏବଂ ପୂର୍ବ ଭାରତର ସର୍ବକନିଷ୍ଠ ବାଳକ ଯାହାଙ୍କର ହୃଦ୍‌ ପ୍ରତିରୋପଣ ସଫଳ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ ଜରିଆରେ ସୂଚନା ଦିଆଯାଇଛି । ପଶ୍ଚିମବଙ୍ଗର ହାଓ୍ବଡାସ୍ଥିତ ନାରାୟଣା ସୁପରସ୍ପେଶାଲିଷ୍ଟ ହସ୍ପିଟାଲରେ ବାଦଲଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିଥିଲେ । ଏନେଇ ଜିଲ୍ଲାପାଳ ଆଶିଷ ଠାକରେ ଖୁସି ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରୀୟ ବାଲ୍ୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ତାଙ୍କୁ ଚିକିତ୍ସା ପାଇଁ ପଠାଯାଇଥିଲା । ସୂଚନା ଥାଉଯେ, ବାଦଲଙ୍କ ବାପା ରବୀନ୍ଦ୍ର ପଇଦା ଓ ମା’ ଜୟନ୍ତୀଙ୍କ ଆର୍ଥିକ ସ୍ବଚ୍ଛଳ ନ ଥିବାରୁ ପୁଅର ଚିକିତ୍ସା କରିପାରି ନ ଥିଲେ ।

୨୦୧୮ ନଭେମ୍ବର ୨୮ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହୃଦରୋଗ ଚିହ୍ନଟ ଶିବିର କେନ୍ଦୁଝରରେ ଅନୁଷ୍ଠିତ ହୋଇଥିଲା । ସେଠାକୁ ଆସି ବାଦଲ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ । ଏହା ପରେ ଜିଲ୍ଲା ପ୍ରଶାସନ ସ୍ବାସ୍ଥ୍ୟ ବିଭାଗ ସହାୟତାରେ ୨୦୨୧ ଜାନୁୟାରୀ ୧୮ରେ ସମସ୍ତ ବ୍ୟବସ୍ଥା କରି ହାଓ୍ବଡାସ୍ଥିତ ଉକ୍ତ ହସ୍ପିଟାଲକୁ ପଠାଇଥିଲେ। ସେଠାରେ ରହିବା ପରେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିଲା । ଏବେ ସେ ସୁସ୍ଥ ଅଛନ୍ତି ।