No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୯ ମାର୍ଚ୍ଚ,ମଙ୍ଗଳବାର ) ଭୁବନେଶ୍ୱର :- ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ସଫ୍ଟୱେର ଟେକ୍ନୋଲୋଜି ପାର୍କ୍ସ ଅଫ ଇଣ୍ଡିଆ (ଏସଟିପିଆଇ) ଆଇଟି/ଆଇଟିଇଏସ୍/ଇଏସଡିଏମ୍ ଶିଳ୍ପକୁ ପ୍ରୋତ୍ସାହିତ କରିବା ଏବଂ ଦେଶ ତଥା ରାଜ୍ୟରୁ ସଫ୍ଟୱେର ରପ୍ତାନିରେ ବୃଦ୍ଧିଘଟାଇବା ଉପରେ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ପ୍ରଦାନ କରୁଛି । ସୂଚନା ପ୍ରଯୁକ୍ତି କ୍ଷେତ୍ର ମହିଳା ସଶକ୍ତିକରଣ ପାଇଁ ସର୍ବବୃହତ ସୁଗମକାରୀ ହୋଇପାରିଛି । ଏସଟିପିଆଇ ଭୁବନେଶ୍ୱର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଚଳିତ ମାର୍ଚ୍ଚ ୮ତାରିଖ ଦିନ ପାଳନ କରାଯାଇଛି । ଏହାର ଉଦ୍ଘାଟନୀ ଉତ୍ସବରେ ଏସଟିପିଆଇର ମହାନିର୍ଦ୍ଦେଶକ ଡଃ. ଓମ୍କାର ରାୟ ମୁଖ୍ୟ ଅତିଥି ଏବଂ ମୋ ସ୍କୁଲ ଓଡ଼ିଶାର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍ଚୀ, ପଦ୍ମଶ୍ରୀ ଶାନ୍ତି ଦେବୀ, ଭୁବନେଶ୍ୱରର ଅତିରିକ୍ତ ପୁଲିସ କମିଶନର ଶ୍ରୀମତୀ ରେଖା ଲୋହାନି ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ ।
ମୁଖ୍ୟ ଅତିଥି ଏସଟିପିଆଇର ମହାନିର୍ଦ୍ଦେଶକ ଡଃ. ଓମ୍କାର ରାୟ କହିଥିଲେ ଯେ, ଲିଙ୍ଗଗତ ଅନ୍ତର୍ଭୁକ୍ତତା କ୍ଷେତ୍ରରେ ଭାରତୀୟ ସୂଚନା ପ୍ରଯୁକ୍ତି ଶିଳ୍ପ ଉଚ୍ଚମାନ ସ୍ଥାପନ କରିଛି ଯେଉଁଠାରେ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନିୟୋଜିତ କର୍ମଚାରୀଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୩୫% । ମହିଳାମାନେ ଆମ କାର୍ଯ୍ୟରତ ଲୋକଶକ୍ତିର ଏକ ମୁଖ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଏବଂ କାର୍ଯ୍ୟରତ ଲୋକଶକ୍ତିରେ ସେମାନଙ୍କ ଅଂଶଗ୍ରହଣ ଏହି ଶିଳ୍ପର ନିରବଚ୍ଛିନ୍ନ ଅଭିବୃଦ୍ଧି ଦିଗରେ ଏକ ସହାୟକ ଦିଗ ହୋଇଛି ଏବଂ ଏହା ଆନନ୍ଦର ବିଷୟ । ଶ୍ରୀମତୀ ସୁସ୍ମିତା ବାଗ୍ଚୀ ରାଜ୍ୟ ସରକାରଙ୍କ ପକ୍ଷରୁ ମୋ ସ୍କୁଲ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜରିଆରେ ହାତକୁ ନିଆଯାଉଥିବା ବିଭିନ୍ନ ମହିଳା ସଶକ୍ତିକରଣ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରିଥିଲେ, ଯଦ୍ଦ୍ୱାରା କନ୍ୟା ଶିଶୁମାନଙ୍କୁ ସେମାନଙ୍କ ଅଧିକାର ଏବଂ ସେମାନଙ୍କ ପାଇଁ ରହିଥିବା ସୁବିଧା ସୁଯୋଗ ସମ୍ପର୍କରେ କମ୍ ବୟସରୁ ସଚେତନ କରାଯାଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ । ପଦ୍ମଶ୍ରୀ ଶାନ୍ତି ଦେବୀ ମହିଳାମାନଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ଏବଂ ନିର୍ଯାତନାକୁ ତୀବ୍ର ନିନ୍ଦା କରିବା ସହିତ ମହିଳାମାନଙ୍କ ପ୍ରତି ପୁରୁଷଙ୍କ ମଧ୍ୟରେ ରହିଥିବା ଚିନ୍ତାଧାରାରେ ବ୍ୟାପକ ପରିବର୍ତ୍ତନ ଆଣିବା ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବାକୁ ଚାହିଁଥିଲେ ।
ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ସମ୍ପର୍କ ପାରସ୍ପରିକ ସମ୍ମାନବୋଧ ଏବଂ ବୁଝାମଣା ଉପରେ ଆଧାରିତ ହେବାକୁ ସେ ଗୁରୁତ୍ୱ ଦେଇଥିଲେ । ତାଙ୍କ କଥାର ଯଥାର୍ଥତା ଦର୍ଶାଇବାକୁ ଭାରତୀୟ ପ୍ରାଚୀନ ଶାସ୍ତ୍ର ଓ ପୁରଣାରୁ ଅନେକ ଉଦାହରଣ ଓ ଘଟଣାବଳୀର ଅବତାରଣା କରିଥିଲେ । ଏସଟିପିଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ଶ୍ରୀ ମାନସ ପଣ୍ଡା କହିଥିଲେ ଯେ, ପରିବର୍ତ୍ତିତ ଧାରାରେ ଭାରତୀୟ ମହିଳାମାନଙ୍କର ଭାବମୂର୍ତ୍ତିରେ ପରିବର୍ତ୍ତନ ଘଟିଛି ଏବଂ ଭାରତୀୟ ମହିଳାଙ୍କର ପରବର୍ତ୍ତିତ ଭୂମିକା ଜଣେ ଖାଦ୍ୟ ପ୍ରସ୍ତୁତିକାରୀରୁ ଉପାର୍ଜନକାରୀକୁ ରୂପାନ୍ତରିତ ହୋଇଛି । ଭୁବନେଶ୍ୱରର ଅତିରିକ୍ତ ପୁଲିସ କମିଶନର ଶ୍ରୀମତୀ ରେଖା ଲୋହାନ୍ତି ସମାଜର ପୁରୁଷ କୈନ୍ଦ୍ରିକ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ଉଲ୍ଲେଖ କରିବା ସହିତ ସମତା ଭିତ୍ତିକ ଧାରା ଏବଂ ଜୀବନର ସମସ୍ତ କ୍ଷେତ୍ରରେ ମହିଳାଙ୍କ ପାଇଁ ସମାନ ସୁବିଧା ସୁଯୋଗ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ ମହିଳା ସମ୍ପର୍କିତ ପ୍ରସଙ୍ଗଗୁଡିକର ବିଚାର କରିବାବେଳେ କଦାପି ଦୋହରା ମାପଦଣ୍ଡ ଅନୁସରଣ କରାଯାଇପାରିବ ନାହିଁ ।
ଏହି ଅବସରରେ ନିଜର କଠିନ ପରିଶ୍ରମ ଏବଂ ସଂକଳ୍ପ ପାଇଁ ଜାତୀୟ ସ୍ତରରେ ପୁରସ୍କୃତ ଓଡ଼ିଶାର ମହିଳା ଶ୍ରୀମତୀ ପୁର୍ଣ୍ଣିମା ଗିରି ଏବଂ ବାଳିକା ସୁଶ୍ରୀ କୁମାରୀ ବଦ୍ରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦ୍ଘାଟନି ଅଧିବେଶନ ପରେ ବିଷୟବସ୍ତୁ ଆଧାରିତ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଟିସିଏସ୍ର ସୁଶ୍ରୀ ସରିତା ମିଶ୍ର, ଆଇବିଏମ୍ର ସୁଶ୍ରୀ ପ୍ରତିଭା ମହାପାତ୍ର, ସୁଶ୍ରୀ ସୁମନା କାର୍ଜି ମିଶ୍ର, ସୁଶ୍ରୀ ସୁମନା ମିତ୍ର ଏବଂ ଡଃ. ରୁଚି ମିତ୍ତଲ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ କେତେକ ସଫଳତମ ମହିଳା ଉଦ୍ୟୋଗୀ ଆହ୍ୱାନମୂଳକ ପରିସ୍ଥିତିକୁ ସମ୍ମୁଖୀନ ହେବା ଏବଂ ସଫଳତା ପାଇବା ନେଇ ସେମାନଙ୍କର ଅନୁଭୂତି ବଖାଣିଥିଲେ । ନୃତ୍ୟାଙ୍ଗନାର ସୁଶ୍ରୀ ପୁଷ୍ପିତା ମିଶ୍ର ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ଟେକ୍ ଷ୍ଟାର୍ଟଅପ, ମହିଳା ଉଦ୍ୟୋଗୀ ଏବଂ କାର୍ଯ୍ୟରତ ମହିଳା ବୃତ୍ତିଧାରୀ, ଇଲେକ୍ଟ୍ରୋପ୍ରିନିୟର ପାର୍କ (ଇପି) ଭୁବନେଶ୍ୱରର ମହିଳା ଉଦ୍ୟୋଗୀଙ୍କ ମଧ୍ୟରୁ ଶତାଧିକ ଅଂଶଗ୍ରହଣ କରିଥିଲେ ।
No Result
View All Result