No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) ଭୁବନେଶ୍ୱର :- ଉପଭୋକ୍ତା ମାନେ ଯେପରି ଉନ୍ନତ ମାନର ଦ୍ରବ୍ୟ ଓ ସେବା ପାଇବେ ସେଥିନିମନ୍ତେ ଉତ୍ପାଦିତ ଦ୍ରବ୍ୟ ଓ ସେବା ଯୋଗାଣର ମାନରେ ଉନ୍ନତି ଆଣିବାକୁ ପଡ଼ିବ । ଭାରତୀୟ ମାନକ ବ୍ୟୁରୋର ଦ୍ୱାରା ଧାର୍ଯ୍ୟ ମାନ ଅନୁଯାୟୀ ଉନ୍ନତ ମାନର ଦ୍ରବ୍ୟ ନିର୍ମାତା ମାନେ ଉତ୍ପାଦନ କରିବା ଓ ଗ୍ରାହକ ମାନେ ବ୍ୟବହାର କରିବା ଦିଗରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ସଂପ୍ରତି ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ହେଉଥିବା ପରିପ୍ରେକ୍ଷୀରେ ଉତ୍ପାଦିତ ଦ୍ରବ୍ୟର ଦେଶ ଓ ବିଦେଶରେ ଚାହିଦା ବୃଦ୍ଧି ନିମନ୍ତେ ନିର୍ଦ୍ଧାରିତ ମାନକକୁ କଡ଼ାକଡ଼ି ଭାବରେ ଅନୁପାଳନ କରିବାକୁ ପଡ଼ିବ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଭାରତୀୟ ମାନକ ବ୍ୟୁରୋର ( ବ୍ୟୁରୋର ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ) , ଭୁବନେଶ୍ୱର ଆନୁକୂଲ୍ୟରେ ମାନକୀକରଣ ଏବଂ ଗୁଣବତ୍ତା ପ୍ରଣାଳୀ ସମ୍ବନ୍ଧୀୟ ଦଶମ ରାଜ୍ୟସ୍ତରୀୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ବ୍ୟୁରୋର କାର୍ଯ୍ୟକୁ ରାଜ୍ୟର ଉପଭୋକ୍ତା ମାନଙ୍କ ସ୍ୱାର୍ଥର ସୁରକ୍ଷା ଦୃଷ୍ଟିରୁ କିପରି ଅଧିକ କ୍ରିୟାଶୀଳ କରାଯାଇପାରିବ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।
ଭାରତୀୟ ମାନକ ବ୍ୟୁରୋର ଦ୍ୱାରା ୨୦ ହଜାରରୁ ଅଧିକ ଦ୍ରବ୍ୟ ନିମନ୍ତେ ମାନକ ପ୍ରସ୍ତୁତ କରାଯାଇଥିବା ବେଳେ ବିଦେଶରୁ ଆମଦାନୀ କରାଯାଉଥିବା ଦ୍ରବ୍ୟ ଗୁଡ଼ିକ ଯେପରି ଭାରତୀୟ ମାନକ ବ୍ୟୁରୋର ଦ୍ୱାରା ଧାର୍ଯ୍ୟ ମାନକ ଅନୁଯାୟୀ ହୋଇଥିବ ସେଥି ନିମନ୍ତେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ୨୦୨୧ ଜୁନ ପହିଲାରୁ ହଲ୍ମାର୍କ ସୁନାଗହଣା ବିକି୍ରକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ବିକି୍ର ହେଉଥିବା ପିଇବା ପାଣିର ମାନ ନିର୍ଦ୍ଧାରଣ କରିବା ଜରୁରୀ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏଥି ସହିତ ବିଦେଶକୁ ରପ୍ତାନୀ ହେଉଥିବା, ସରକାରଙ୍କୁ ଯୋଗାଣ ହେଉଥିବା ଦ୍ରବ୍ୟ ଏବଂ ସାଧାରଣ ଖାଉଟି ବ୍ୟବହାର କରୁଥିବା ଦ୍ରବ୍ୟ ଗୋଟିଏ ମାନର ହେବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ । ସଂପ୍ରତି ଉତ୍ପାଦିତ ଦ୍ରବ୍ୟର ମାନ ନିର୍ଦ୍ଧାରଣ ନିମନ୍ତେ ରାଜ୍ୟରେ ଅଧିକ ସଂଖ୍ୟକ ଅତ୍ୟାଧୁନିକ ପରୀକ୍ଷାଗାର ପ୍ରତିଷ୍ଠା କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭାରତୀୟ ମାନକ ବୁ୍ୟରୋର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଦେଶରେ ସଂପ୍ରତି ଖାଉଟି ସୁରକ୍ଷା ଆଇନ ୨୦୧୯ ପ୍ରଣୟନ କରାଯାଇଥିବା ପରିପ୍ରେକ୍ଷୀରେ ନୂତନ ଆଇନକୁ ଦୃଷ୍ଟିରେ ରଖି ଭାରତୀୟ ମାନକ ବ୍ୟୁରୋର ତା ର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ମନ୍ତ୍ରୀ କହିଥିଲେ । ଦ୍ରବ୍ୟର ଗୁଣବତ୍ତା ବଜାୟ ରଖିବା ନିମନ୍ତେ ମାନକ ପରୀକ୍ଷଣ ବାଧ୍ୟତାମୂଳକ କରାଯିବା ସହିତ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ନକଲି ଦ୍ରବ୍ୟ ବିକି୍ର ବିରୋଧରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ଭାରତୀୟ ମାନକ ବ୍ୟୁରୋର , ଭୁବନେଶ୍ୱରର କାର୍ଯ୍ୟକ୍ରମକୁ ଅଧିକ କି୍ରୟାଶୀଳ ଓ ଫଳପ୍ରଦ କରିବା ନିମନ୍ତେ ବାର୍ଷିକ ବୈଠକ ପରିବର୍ତ୍ତେ ତ୍ରୈମାସିକ ବୈଠକ ଆୟୋଜନ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିବାବେଳେ ଯେଉଁ ସଭ୍ୟ ମାନେ କ୍ରମାଗତ ଦୁଇଟି ବୈଠକରେ ଯୋଗ ଦେବେ ନାହିଁ, ସେମାନଙ୍କୁ ପରିବର୍ତ୍ତନ କରାଯାଇ ନୂତନ ସଭ୍ୟଙ୍କୁ ସାମିଲ କରିବା ପାଇଁ କହିଥିଲେ । ଏଥି ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଗୁଡ଼ିକୁ ନେଇ ଏକ ମାନକ ସେଲ ଗଠନ ନିମନ୍ତେ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ । ବୈଠକ ପ୍ରାରମ୍ଭରେ ଭାରତୀୟ ମାନକ ବୁ୍ୟରୋ , ଭୁବନେଶ୍ୱର କାର୍ଯ୍ୟାଳୟର ମୁଖ୍ୟ ତଥା ବୈଜ୍ଞାନିକ ଶ୍ରୀ ଦିବ୍ୟେନ୍ଦୁ ଚକ୍ରବର୍ତ୍ତୀ ଏବଂ ଏ.କେ ପୁରୋହିତ ବିଆଇଏସ୍ର ଲକ୍ଷ୍ୟ ଓ ଭୂମିକା ଏବଂ ବୁ୍ୟରୋ ପକ୍ଷରୁ ରାଜ୍ୟରେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ , ଟିପିସିଓଡିଏଲ୍ , ଭାରତ ସରକାରଙ୍କ ମାର୍କେଟିଂ ଓ ଇନ୍ସପେକ୍ସନ୍ ନିର୍ଦ୍ଦେଶାଳୟ, ଗୃହ ନିର୍ମାଣ ବୋର୍ଡ , ଆଇଏମ୍ଏମ୍ଟି , ସିପେଟ୍ , ସେଲ୍ , ଓଡ଼ିଆ ଯୁବ ଉଦ୍ୟୋଗୀ ସଂଘ , ଓଡ଼ିଶା ଖାଉଟି ସଂଘ , ବିଡିଏ ଓ ଏସିସି ସିମେଣ୍ଟ ଆଦି ସଂସ୍ଥାର କର୍ମକର୍ତ୍ତା ମାନେ ଯୋଗ ଦେଇ ଆଲୋଚନାରେ ସୁଚିନ୍ତିତ ମତାମତ ରଖିଥିଲେ ।
No Result
View All Result