No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ମାର୍ଚ୍ଚ ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ଗଞ୍ଜେଇ ଚୋରାଚାଲାଣ ଏକ ନିତିଦିନିଆ ବ୍ୟବସାୟରେ ପରିଣତ ହୋଇଛି । ପ୍ରାୟ ପ୍ରତି ସପ୍ତାହର ୨ରୁ୩ ଦିନକୁ ଥରେ ରାଜ୍ୟ ବାହାରକୁ ଅନ୍ତଃରାଜ୍ୟ ମାଫିଆଙ୍କ ଦ୍ୱାରା ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ ହୋଇ ଚାଲିଛି । ଗତ ୫ଓ୬ ତାରିଖରେ ଏହି ଜିଲ୍ଲାରୁ ବିହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ଜଣେ ନାବାଳକ, ଜଣେ ମହିଳାଙ୍କ ସମେତ ୪ଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛନ୍ତି । ଘଟଣାରୁ ପ୍ରକାଶ, ଶୁକ୍ରବାର ସନ୍ଧ୍ୟା ସମୟରେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି ପଞ୍ଚାୟତ ଅନ୍ତର୍ଗତ କମଳାପୁର ଚେକ୍ଗେଟ ନିକଟରେ ମୋହନା ଆଇଆଇସି ସୁଜିତ କୁମାର ନାୟକ ଓ କର୍ମଚାରୀମାନେ ମିଳିତ ଭାବେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ମହିନ୍ଦ୍ରା ଗାଡି ନଂ ଓଆର ୦୨ ବିଜେଡ୍ ୬୯୭୭କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବା ବେଳେ ଗାଡି ଭିତରେ ୮ଟି ଜରି ବସ୍ତାରେ ରହିଥିବା ୨୨୫ କିଲୋ ୫ଶହ ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ଯାହାର ଆନୁମାନିକ ବଜାର ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଦାନଙ୍କ ଉପସ୍ଥିତରେ ଗଞ୍ଜେଇ ବସ୍ତା ଗୁଡିକୁ ଓଜନ କରାଯାଇଥିଲା । ଗଞ୍ଜେଇ ମାଫିଆ ଜଣକହେଲେ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ନାରାୟଣପୁର ଶାସନର ମାଧବ ବେହେରା (୩୪)ଙ୍କୁ ଗିରଫ କରିବା ସହ ମହିନ୍ଦ୍ରା ଗାଡିକୁ ଜବତ କରି ଅନୁସନ୍ଧାନ ଜାରି ରହିଥିବାର ଥାନା ସୂତ୍ରରୁ ପ୍ରକାଶ । ସେହିପରି ଆର୍.ଉଦୟଗିରି ଥାନା ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ୧୩୧କେଜି ୭୦୦ ଗ୍ରାମ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡିଥିବାର ଜଣାପଡିଛି ।
ଆର୍.ଉଦୟଗିରି ଥାନା ସୂତ୍ରରୁ ପ୍ରକାଶ ଯେ କାନକଟା ଗ୍ରାମ ରାସ୍ତାରେ ଥିବା କୂଆଁପଡା ବ୍ରିଜ ଅଞ୍ଚଳରେ ଏସ୍.ଆଇ. ମୁକେଶ କୁମାର ଲାକ୍ରାଙ୍କ ନେତୃତ୍ୱରେ ଏସ୍.ଆଇ ହେମନ୍ତ ସେଠୀ, ଏ.ଏସ୍.ଆଇ. ସୁରଥ ଚନ୍ଦ୍ର ଭୂୟାଁ ପ୍ରମୁଖଙ୍କ ସମେତ ଏକ ପୋଲିସ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ଏହି ରାସ୍ତାଦେଇ ଏକ ସ୍କୋର୍ପିଓ ଗାଡି ନଂ ୟୁପି ୬୫ବି ୨୭୭୭କୁ ସନ୍ଦେହରେ ଅଟକାଯାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଗାଡି ମଧ୍ୟରୁ ୧୩୧କେଜି ୭୦୦ଗ୍ରାମ ଓଜନର ଗଞ୍ଜେଇ ୪ଗୋଟି ଜରିବ୍ୟାଗରେ ଦେଖିବାକୁ ପାଇଥିଲେ । ଏହି ଗଞ୍ଜେଇ ବ୍ୟାଗ ଗୁଡିକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯିବା ସହ ସ୍କୋର୍ପିଓ ଗାଡିକୁ ଜବତ କରାଯାଇଛି । ଏହି ୩ଜଣଙ୍କ ମଧ୍ୟରେ ଜଣେ ନାବାଳକ ଏବଂ ଜଣେ ମହିଳା ଛନ୍ତି । ସେମାନେ ସମସ୍ତେ ବିହାର ରାଜ୍ୟର ପାଟଣା ଅଞ୍ଚଳର ବୋଲି ଜଣାପଡିଛି । ଏନେଇ ଆର୍.ଉଦୟଗିରି ଥାନାରେ ୩୫/୨୧ରେ ଏକ ମାମଲା ରୁଜୁ କରାଯାଇ ଥିବା ଏବଂ ଏହାର ତଦନ୍ତଭାର ଖୋଦ୍ ଥାନା ଅଧିକାରୀ ମମତା ନାୟକ କରୁଥିବାର ଜଣାଇଛନ୍ତି । ( ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result