No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଫେବୃଆରି,ରବିବାର) ପାରଳାଖେମୁଣ୍ଡି :- ସମଗ୍ର ଗଜପତି ଜିଲ୍ଲାର ଦୁର୍ଗମାଞ୍ଚଳରେ ଗର୍ଭବତୀ ମହିଳାମାନଙ୍କୁ ସୁଷମ ଖାଦ୍ୟତ ଦୂରର କଥା ସାଧାରଣ ଖାଦ୍ୟ ଦୁଇ ଓଳା ପେଟପୁରା ଖାଇବା ପାଇଁ ମିଳୁ ନାହିଁ । ଖାଦ୍ୟାଭାବ ଯୋଗୁଁ ଦୁର୍ଗମାଞ୍ଚଳ ଗୁଡିକରେ ନବଜାତ ଶିଶୁମୃତ୍ୟୁ ହାର ବଢିବାରେ ଲାଗିଛି । ଏହି ଜିଲ୍ଲାର ମୋଟ ୭ ଗୋଟି ବ୍ଲକ ଯଥା ମୋହନା, ଆର୍.ଉଦୟଗିରି, ନୂଆଗଡ, ରାୟଗଡ, ଗୋଷାଣୀ, ଗୁମ୍ମା ଓ କାଶୀନଗର ଆଦି ଅଞ୍ଚଳର ଅପହଞ୍ଚ ଇଲାକା ତଥା ଦୁର୍ଗମାଞ୍ଚଳରେ ବିଶେଷ କରି ଗର୍ଭବତୀ ମହିଳାଙ୍କୁ ସଚେତନତା ଓ ଡାକ୍ତରଙ୍କ ପରାମର୍ଶର ଅଭାବ ସହ ଲଗାତାର ମରୁଡି ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଖାଦ୍ୟାଭାବ ଏହି ଶିଶୁ ମୃତ୍ୟୁହାରର ମୁଖ୍ୟ କାରଣ ଅଟେ । ଲୋକଙ୍କ ବିକାଶ ପାଇଁ ସରକାରଙ୍କ ତରଫରୁ ସ୍ୱାସ୍ଥ୍ୟକେନ୍ଦ୍ର ଓ ଶିକ୍ଷାନୁଷ୍ଠାନମାନ ଖୋଲାଯାଇଛି । ହେଲେ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବା ବେଳେ ଶିକ୍ଷାନୁଷ୍ଠାନରେ ଶିକ୍ଷକ ନାହାଁନ୍ତି । ବିଶେଷକରି ଏହି ଅଞ୍ଚଳ ଗୁଡିକରେ ସ୍ୱାସ୍ଥ୍ୟସେବାରେ ଏକ ପ୍ରକାର ଠପ୍ ହୋଇଯାଇଛି । ଆଉ ଏହାର ଶିକାର ହେଉଛନ୍ତି ଗର୍ଭବତୀ ଓ ନବଜାତ ଶିଶୁ । ଗୋଟିଏ ପରେ ଗୋଟିଏ ନବଜାତ ଆଖି ବୁଜୁଛନ୍ତି ।
ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ଆର୍.ଉଦୟଗିରିର ଗୁଣ୍ଡ୍ରିସାହିରେ । ଗୁଣ୍ଡ୍ରିସାହିର ସଦାନନ୍ଦ ଦଳେଇଙ୍କ ପତ୍ନୀ ସୁରତି ଦଳେଇ ଗତ ୧୩ ତାରିଖରେ ଏକ ସନ୍ତାନ ଜନ୍ମ ଦେଇଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ, ଜନ୍ମ ହେବାର ଠିକ୍ ୫ ଦିନ ପରେ ଅର୍ଥାତ୍ ୧୮ ତାରିଖ ଦିନ ଶିଶୁଟି ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଥିଲା । କେବଳ ସେତିକି ନୁହେଁ, ୨ମାସ ତଳେ ଗୁଣ୍ଡ୍ରିସାହି ଠାରୁ କେବଳ ୨୦୦ ମିଟର ଦୂରରେ ଥିବା ଆଖଡାସାହିର ବାବୁଲା ନାୟକଙ୍କ ପତ୍ନୀ ମଞ୍ଜୁ ନାୟକ ନବଜାତ ଶିଶୁକୁ ରାତିରେ ଜନ୍ମ ଦେଇଥିଲେ । ହେଲେ ଚିକିତ୍ସା ଅଭାବରୁ ସେହି ଦିନ ଭୋର ସମୟରେ ଆଖି ବୁଜିଥିଲା । ଏହି ଦୁଇଟି ଉଦାହରଣ ନୁହେଁ, ଏପରି ଅନେକ ଘଟଣା ସ୍ଥାନୀୟ ଅଞ୍ଚଳରେ ଘଟି ଚାଲିଛି । ଶିଶୁ, ଗର୍ଭବତୀ ଓ ପ୍ରସୂତି ମା ମାନେ ସରକାରୀ ସୁଷମ ଖାଦ୍ୟ ପାଉନଥିବା ଅଭିଯୋଗ ହୋଇଛି । ବଣ ଜଙ୍ଗଲରୁ ସଂଗୃହୀତ ଖାଦ୍ୟ କିମ୍ବା ନିଜଦ୍ୱାରା ପ୍ରସ୍ତୁତ ବିଭିନ୍ନ ଜଙ୍ଗଲଜାତ ଖାଦ୍ୟ ଏମାନଙ୍କ ପାଇଁ ସୁଷମ ଖାଦ୍ୟ ପାଲଟିଛି । ଜାଡା, ଜାଡାପାଣି, ଦଲିଖତ, ଆଖଡାସାହି ଓ ଗୁଣ୍ଡ୍ରିସାହି ଆଦି ଦୁର୍ଗମାଞ୍ଚଳରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇ ପଡିଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସର୍ବ ସାଧାରଣରେ ଦାବି ହୋଇଛି । (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result