No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଫେବ୍ରୁଆରି,ବୁଧବାର ) ବ୍ରହ୍ମପୁର :- ମା’ ବୁଢୀ ଠାକୁରାଣୀଙ୍କ ଏହି ଦ୍ବିବାର୍ଷିକ ଯାତ୍ରା ସହରବାସୀଙ୍କ ଭାବାବେଗ ସହିତ ଜଡ଼ିତ। ଏଥିଯୋଗୁ ଯାତ୍ରା ପୂର୍ବରୁ ଏହାକୁ ନେଇ ନାନା ଆଲୋଚନା ହୋଇଥାଏ। କୋଭିଡ଼ ମହାମାରୀ ଯୋଗୁ ଚଳିତ ବର୍ଷର ଠାକୁରାଣୀଯାତ୍ରାକୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ବିଏମସି ପକ୍ଷରୁ ଠାକୁରାଣୀ ଯାତ୍ରାକୁ ସବୁଜ ସଂକେତ ଦିଆଯାଇଛି। ଗୋସାଇଁନୂଆଗାଁର ମା’ କାଳୁଆଯାତ୍ରା କଟକଣା ମଧ୍ୟରେ ସମ୍ପନ୍ନ ହୋଇଥିଲା। ତେଣୁ ଏବେ କୋଭିଡ଼ ପ୍ରକୋପ ହ୍ରାସ ପାଇଥିବାରୁ ଠାକୁରାଣୀ ଯାତ୍ରାକୁ ନେଇ କୌଣସି ଅସୁବିଧା ନାହିଁ ବୋଲି ସାଧାରଣରେ ଆଲୋଚନା ଚାଲିଛି। କିଛି ଦିନ ତଳେ ଠାକୁରାଣୀ ଯାତ୍ରା ଆୟୋଜକ ପି.ଦୁର୍ଗାପ୍ରସାଦ ଦେଶୀବେହେରା ବିଏମସି କମିଶନରଙ୍କ ସହିତ ଏ ସମ୍ପର୍କରେ ଅଣଆନୁଷ୍ଠାନିକ ଆଲୋଚନା କରିଥିବା ଜଣାପଡିଛି ।
ସାଧାରଣତଃ ଠାକୁରାଣୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ନିମନ୍ତେ ଶୁଭ ଦିନ ଧାର୍ଯ୍ୟ ହୋଇଥାଏ। ଶୁଭଖୁଣ୍ଟି ସ୍ଥାପନ ଦିନ ହିଁ ଠାକୁରାଣୀ ଯାତ୍ରାର ତାରିଖ ଘୋଷଣା କରାଯାଇଥାଏ। ତେଣୁ ଠାକୁରାଣୀ ଯାତ୍ରା ପାଇଁ ଶୁଭଖୁଣ୍ଟି ଆସିବା ତାରିଖକୁ ସମସ୍ତେ ଅପେକ୍ଷା କରିଥାନ୍ତି। ଶୁଭଖୁଣ୍ଟି ଆସିବା ପୂର୍ବରୁ ଦେଶୀବେହେରାଙ୍କ ଘର ସମ୍ମୁଖରେ ବୈଠକ ବସି ତାରିଖ ଉପରେ ଆଲୋଚନା ହୋଇଥାଏ। ଦେଶୀବେହେରାଙ୍କ ପକ୍ଷରୁ ଏହି ବିଷୟ ନେଇ ବିଏମସି କମିଶନରଙ୍କୁ ଅବଗତ କରାଯାଇଛି। ଦେଶୀବେହେରା ଦୁର୍ଗାପ୍ରସାଦଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଶିବରାତ୍ରୀ ପରେ କୌଣସି ଏକ ଶୁଭ ଦିନ ଚୂଡ଼ାନ୍ତ ହୋଇ ଶୁଭଖଣ୍ଟି ଅଣାଯିବାକୁ ଦିନ ଧାର୍ଯ୍ୟ କରାଯିବ ଏବଂ ସେହିଦିନ ହିଁ ଠାକୁରାଣୀ ଯାତ୍ରା ତାରିଖ େଘାଷଣା କରାଯିବ। ତେଣୁ ଶିବରାତ୍ରୀ ସରିବା ପରେ ଯାତ୍ରା ପାଇଁ ଶୁଭଖୁଣ୍ଟି ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ଶୁଭଖୁଣ୍ଟି ତାରିଖ ସମ୍ପର୍କରେ ସମସ୍ତଙ୍କୁ ସୂଚନା ଦିଅଯିବ ବୋଲି ଦେଶୀବେହେରା କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଯାତ୍ରା ଶୁଭଖୁଣ୍ଟି ସ୍ଥାପନ ପୂର୍ବରୁ ଯାତ୍ରା ତାରିଖ ଓ କେତେ ଦିନ ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହେବ ତାହା ଘୋଷଣା କରାଯାଇଥାଏ ।
ଏପରିକି ମା’ଙ୍କୁ ମନ୍ଦିରରୁ କେଉଁ ଦିନ କେତେ ସମୟରେ ଅଣାଯିବ ଏବଂ କେବେ ମା’ ଯାତ୍ରା ସାରି ବାପଘରୁ ଫେରିବେ ତାହା ଗଣନା କରାଯାଇ ଶୁଭ ତିଥି ଅନୁସାରେ ଚୂଡ଼ାନ୍ତ ହୋଇଥାଏ। କେଉଁ ବର୍ଷ ୨୮ ଦିନ ଏବଂ କେଉଁ ବର୍ଷ ୨୯ ଦିନ ଯାତ୍ରା ଆୟୋଜନ ହୋଇଥାଏ । ୨୦୧୯ରେ ୩୧ଦିିନ ପାଇଁ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥଲା । ତେଣୁ ଚଳିତ ବର୍ଷ ମଧ୍ୟ ତିଥି ଅନୁସାରେ ଯାତ୍ରା ଦିବସ ଚୂଡାନ୍ତ କରାଯିବ ବୋଲି ଦେଶୀବେହେରାଙ୍କ ସୂତ୍ରରୁ ଜଣାପଡିଛି। ମାର୍ଚ ୧୧ ତାରିଖରେ ଶିବରାତ୍ରୀ ପଡୁଥିବାରୁ ଏହା ପରେ ହିଁ ଶୁଭଖୁଣ୍ଟି ତାରିଖ ଚୂଡ଼ାନ୍ତ ହେବ। ଶୁଭଖୁଣ୍ଟି ଆସିବାର କିଛି ଦିନ ପରେ ଯାତ୍ରା ତାରିଖ ଧାର୍ଯ୍ୟ ହେବାକୁ ଥିବାରୁ ମାର୍ଚ୍ଚ ଶେଷ ସପ୍ତାହ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ଯାତ୍ରା ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ସବୁ ବିଷୟ ତିଥି ନକ୍ଷତ୍ର ଅନୁସାରେ ଚୂଡ଼ାନ୍ତ ହେବ। ୁଉଲ୍ଲେଖଯୋଗ୍ୟ, ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପାଇଁ ସହର ଉତ୍ସବ ମୁଖର ହୋଇଉଠିଥାଏ। ଯାତ୍ରା ଅବସରରେ ବିଭିନ୍ନ ସାହିରେ ରଥ ଓ କଳାକୁଞ୍ଜ ବାହାରିଥାଏ। ମାନସିକଧାରୀଙ୍କ ବେଶ ମଧ୍ୟ ଯାତ୍ରାର ଏକ ପ୍ରମୁଖ ଆକର୍ଷଣ ହୋଇଥାଏ। ମା’ ବୁଢୀ ଠାକୁରାଣୀ ବିଭିନ୍ନ ସାହି ପରିକ୍ରମା କରି ଜନସାଧାରଣଙ୍କୁ ଦର୍ଶନ ଦେବା ଭୋଗ ଗ୍ରହଣ କରିଥାନ୍ତି। ରଥ ଓ କଳାକୁଞ୍ଜ ବାହାରିବା ପରେ ଯାତ୍ରା ଅଧିକ ଆକର୍ଷଣୀୟ ହୋଇପଡିବା ସହିତ ଜନସମାଗମ ବୃଦ୍ଧି ପାଇଥାଏ । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result