ଭୁବନେଶ୍ୱର (ଓଡିଶା ତାଜା ନିଉଜ ) ଭୁବନେଶ୍ୱର 4.2.2020 :- କୃଷି ବିଭାଗରେ ଆଉ କେଲେଙ୍କାରୀ ଚାଲିବ ନାହିଁ । ୫ଟି ଆଧାରରେ ବିଭାଗର ସମସ୍ତ କାର୍ଯ୍ୟକୁ ସ୍ଵଚ୍ଛତା ଭିତ୍ତିରେ କରିବା ନିମନ୍ତେ ପ୍ରୟାସ କରିଛନ୍ତି କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁ । ଏହି କ୍ରମରେ ଦୀର୍ଘଦିନ ଧରି ଡେପୁଟେସନରେ ଆସି ଭବନେଶ୍ୱରରେ ଆସ୍ଥାନ ଜମାଇଥିବା ୨୧ ଜଣ କୃଷି ଅଧିକାରୀଙ୍କୁ ମୂଳ ନିଯୁକ୍ତି ସ୍ଥାନକୁ ଫେରାଇଦେଇଛନ୍ତି । ଏନେଇ ଆଜି କୃଷି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମ ପ୍ରକାଶ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ବିଭିନ୍ନ ସ୍ଥାନରେ ନିଯୁକ୍ତ ହୋଇଥିବା ସହକାରୀ କୃଷି ଅଧିକାରୀମାନେ ଡେପୁଟେସନରେ ଆସି ଆଉ ସେଠାକୁ ଫେରିବାର ନାଁ ଧରୁନଥିଲେ। ରାଜଧାନୀରେ ଭୁବନେଶ୍ଵରରେ ରହିବା ପାଇଁ ବିଭିନ୍ନ ମଧ୍ୟମ ଆପଣଉଥିଲେ । ଏଥିରେ ସଫଳ ମଧ୍ୟ ହୋଇଥିଲେ । କିନ୍ତୁ ଇତି ମଧ୍ୟରେ ଏହି ସହକାରୀ କୃଷି ଅଧିକାରୀମାନଙ୍କର ପଦୋନ୍ନତି ହୋଇଛି । ପଦୋନ୍ନତି ପାଇଲାପରେ ବି କିଛି ଅଧିକାରୀ ନିର୍ଦ୍ଦେଶାଳୟରେ ରହିବାପାଇଁ ଉଦ୍ୟମ ଚଳାଇଥିଲେ ।
ହେଲେ ଏ କଥା କୃଷିମନ୍ତ୍ରୀ ଡକ୍ଟର ସାହୁଙ୍କ ନଜରକୁ ଏହା ଆସିବାପରେ ତୁରନ୍ତ ସେଇ ଅଧିକାରୀମାନଙ୍କୁ ସେମାନଙ୍କ ମୂଳ ନିଯୁକ୍ତି ଜିଲ୍ଲା ସମେତ ଅନ୍ୟ ସ୍ଥାନକୁ ପଠାଇବାପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଭାଗରେ ମୋ ସରକାର ଓ ୫-ଟି ଲାଗୁପରେ ଡେପୁଟେସନରେ ଆସି ବିଭାଗ ଓ ନିର୍ଦ୍ଦେଶାଳୟରେ ରହିବା ପ୍ରଥାକୁ ଏକ ପ୍ରକାର ଉଚ୍ଛେଦ କରାଯାଇଛି । ମନ୍ତ୍ରୀଙ୍କ ଆଭିମୁଖ୍ୟ ଦେଖି କର୍ତ୍ତୃପକ୍ଷ ୨୧ଜଣ ସହକାରୀ କୃଷି ଅଧିକାରୀଙ୍କୁ ପଦୋନ୍ନତି ସହିତ ଅନ୍ୟ ସ୍ଥାନକୁ ପଠାଇ ଦେଇଛନ୍ତି । ଏହି ଅଧିକାରୀମାନଙ୍କର ଫୁଲବାଣୀ, ସୁବର୍ଣ୍ଣପୁର, ନୟାଗଡ, ଢେଙ୍କାନାଳ, ପୁରୀ, ବରଗଡ, କେନ୍ଦ୍ରାପଡା, ଗଞ୍ଜାମ ଆଦି ଜିଲ୍ଲାକୁ ବଦଳି ହୋଇଥିବା ବେଳେ ଦୁଇଜଣ ଅଧିକାରୀଙ୍କୁ ରାଜଧାନୀରେ ଥିବା ବିଭାଗର ଅନ୍ୟ ଦପ୍ତରକୁ ପଠାଇ ଦିଆଯାଇଛି ।