No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଫେବୃଆରୀ ଶୁକ୍ରବାର ) ଦୁବାଇ :- ୟୁନାଇଟେଡ୍ ଆରବ ଏମିରେଟ୍ସର ଓଡ଼ିଶା ସମାଜ ଏବଂ ଦୁବାଇସ୍ଥିତ ଭାରତୀୟ କନ୍ସୁଲେଟ୍ର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ଜଣାଯାଇଛି । ଓଡ଼ିଶା ସମାଜର କର୍ମକର୍ତ୍ତା, ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ସ୍ଥାନୀୟ ଲତିଫା ହସ୍ପିଟାଲଠାରେ ଆୟୋଜିତ ଏହି ଶିବିରରେ ଖୁବ୍ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ବେଶ୍ ଉଦ୍ଦୀପନାର ସହିତ ଅଂଶଗ୍ରହଣ କରିଥିବା ଦେଖାଯାଇଥିଲା ।

ପ୍ରବାସୀ ଓଡ଼ିଆମାନେ ସେମାନଙ୍କର ପରିବାରବର୍ଗଙ୍କ ସହିତ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରୁଥିବାର ଦୃଶ୍ୟ ବେଶ୍ ଅନନ୍ୟ ଥିଲା । ଏହି ଶିବିରକୁ ସଂପ୍ରଦାୟ ବ୍ୟାପାର ଓ ଭିସା ଦାୟିତ୍ୱରେ ଥିବା କନ୍ସଲ୍ ଉତ୍ତମ ଚାନ୍ଦ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଶ୍ରୀ ଚାନ୍ଦ ତାଙ୍କର ଉଦ୍ଘାଟନୀ ଭାଷଣରେ ୟୁ.ଏ.ଇ ଓଡ଼ିଶା ସମାଜର ଏହି ମାନବସେବା ପ୍ରୟାସକୁ ଭବ୍ୟ ସ୍ୱାଗତ ଜଣାଇବା ସାଙ୍ଗକୁ ଏହାର ଭୂରୀଭୂରୀ ପ୍ରଶଂସା କରିଥିଲେ ।

ରକ୍ତଦାନକୁ ଏକ ମହତ ଦାନ ବୋଲି ଦର୍ଶାଇ ଶ୍ରୀ ଚାନ୍ଦ, ଯେଉଁମାନେ ରକ୍ତଦାନ କରିଛନ୍ତି, ସେମାନେ ଆମର ସମାଜ ପାଇଁ ଆଦର୍ଶ ଓ ପ୍ରେରଣାର ଉତ୍ସ ବୋଲି ଉଲ୍ଲେଖ କରିଥିଲେ । ପ୍ରତ୍ୟେକ ରକ୍ତଦାନକାରୀମାନଙ୍କୁ ପୂର୍ବରୁ ଆବଶ୍ୟକୀୟ ସୁସ୍ଥତା ମାନଦଣ୍ଡ ନେଇ ଡାକ୍ତରୀ ପରୀକ୍ଷା ନୀରିକ୍ଷା କରାଯାଇଥିଲା । ଲତିଫା ହସ୍ପିଟାଲର ରକ୍ତଦାନ ସ୍ଥଳରେ କୋଭିଡ୍ କଟକଣାକୁ ଶକ୍ତ ଭାବେ ପାଳନ କରାଯାଇଥିଲା ।

ସମଗ୍ର ଆୟୋଜନକୁ ସୁପରିଚାଳନା କରିବାରେ ୟୁ.ଏ.ଇ ଓଡ଼ିଶା ସମାଜର ସଭାପତି ଅମୀୟ ମିଶ୍ର ଓ ସାଧାରଣ ସମ୍ପାଦକ ପ୍ରୀତିଶ ଦାଶ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ଅବସରରେ ଶ୍ରୀ ମିଶ୍ର ରକ୍ତଦାନ କରିଥିବାବେଳେ ଶ୍ରୀ ଦାଶ ପ୍ଲେଟ୍ଲେଟ୍ ଦାନ କରିଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ ।

No Result
View All Result