ଭୁବନେଶ୍ୱର (ଓଡିଶା ତାଜା ନିଉଜ ) ଭୁବନେଶ୍ୱର 3.2.2020 :- ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେଇ ଆଜି ଭୁବନେଶ୍ୱର ମହାନଗର ନିଗମ ତରଫରୁ ଆରମ୍ଭ ହୋଇଛି ଏକ ନୂତନ ପଦକ୍ଷେପ । ଆଜି ଅପରାହ୍ନରେ ରାଜ୍ୟ ପୌର ପ୍ରଶାସକ ତଥା ବି.ଏମ୍.ସି.ର ପ୍ରଶାସକ ସଂଗ୍ରାମ୍ଜିତ୍ ନାୟକ ୬୦ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୬୭ ଟି ୱାର୍ଡ଼ ଅଫିସରଙ୍କୁ ଦେଇଛନ୍ତି ପଏଂଟ୍ ଅଫ୍ ସେଲ୍ (ପି.ଓ.ଏସ୍ ମେସିନ୍) ।
ମହାନଗର ନିଗମାଂଚଳରେ ନୂତନ ଧାରାରେ ହୋଲ୍ଡିଂ ଟ୍ୟାକ୍ସ ଏବଂ ଟ୍ରେଡ଼୍ ଲାଇସେନ୍ସ ଇତ୍ୟାଦିର ଦେୟ ଆଦାୟ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ତେଣୁ ବିଗତ ଦିନରେ ସେମାନଙ୍କୁ ଏହି ସମ୍ବନ୍ଧୀୟ ତାଲିମ ମଧ୍ୟ ଦିଆଯାଇଅଛି । ରାଜ୍ୟ ସରକାରଙ୍କର ଯୋଜନା କ୍ରମେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗରେ ମହିଳାଙ୍କୁ ବିଭିନ୍ନ ସ୍ତରରେ ଏବଂ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଇ କିପରି ସେମାନଙ୍କର ଅନ୍ତର୍ଭୁକ୍ତୀକରଣ, ସଶକ୍ତୀକରଣ ଏବଂ ଆର୍ଥିକ ମାନଦଣ୍ଡକୁ ଉନ୍ନତ କରିହେବ ସେଥିପାଇଁ ବିଭାଗୀୟ କର୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଉଛନ୍ତି ।
ଏହାର ଏକ ନିଦର୍ଶନ ସ୍ୱରୁପ ଭୁବନେଶ୍ୱର ମହାନଗର ନିଗମ ରାଜ୍ୟରେ ପ୍ରଥମ କରି ମହିଳା ମାନଙ୍କୁ ନେଇ ଯେଉଁ ହୋଲ୍ଡି ଟ୍ୟାକ୍ସ ଆଦାୟ କରିବାର ରଣନୀତି ଆଦରିଛନ୍ତି ତାହା ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ବି.ଏମ୍.ସିର ପ୍ରଶାସକ ସଂଗ୍ରାମ୍ଜିତ୍ ନାୟକ । ଏହି ଅବସରରେ ଅବସ୍ଥିତ ଥିବା ସମସ୍ତ ଟ୍ୟାକ୍ସ କଲେକ୍ଟର, ୱାର୍ଡ଼ ଅଫିସର ଏବଂ ସମ୍ପୃକ୍ତ ଅଧିକାରୀଙ୍କୁ ଅନୁରୋଧ ପୂର୍ବକ ଜଣାଇଥିଲେ କି, ଟ୍ୟାକ୍ସ ଆଦାୟ କରିବାରେ କୌଣସି ପ୍ରକାର ଅବହେଳାକୁ କର୍ତୃପକ୍ଷ ଶୁଣିବେ ନାହିଁ । ତେଣୁ ୱାର୍ଡ଼ ଅଫିସରଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା କି, ଟ୍ୟାକ୍ସ ଆଦାୟରେ କୌଣସି ସାଲିସ ନାହିଁ, ଏହା ନିଶ୍ଚିତ ଭାବେ ଆଦାୟ ହେବ ଏବଂ ଏହାକୁ ଆଦାୟ କରିବାର ଦାୟିତ୍ୱ ନିର୍ଦ୍ଧିଷ୍ଟ କର୍ମଚାରୀ ଏବଂ ଅଧିକାରୀଙ୍କ ଉପରେ ନ୍ୟସ୍ତ ରହିଛି । ଯଦି ଏହା ନହୁଏ ତେବେ ଭୁବନେଶ୍ୱର ମହାନଗର ନିଗମାଂଚଳରେ କୌଣସି ପ୍ରକାରର ବିକାଶମୂଳକ କାର୍ଯ୍ୟ ହେବା ଅସମ୍ଭବ ହୋଇପଡ଼ିବ । ଏହି ଆଦାୟ ଜନିତ କାର୍ଯ୍ୟକୁ ନେଇ ସମ୍ପୃକ୍ତ କର୍ମଚାରୀମାନଙ୍କର ନିୟମିତ ସମୀକ୍ଷା ହେବ ଏବଂ ଉତମ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ପ୍ରୋତ୍ସାହନ ଦିଆଯିବା ସହିତ ଠିକ୍ରେ କାର୍ଯ୍ୟ କରୁନଥିବା କର୍ମଚାରୀଙ୍କ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ତେଣୁ ସମସ୍ତେ ଟ୍ୟାକ୍ସ ଆଦାୟ ଗୁରୁତ୍ୱ ଦେବାକୁ ସଭାରେ କୁହାଯାଇଥିଲା । ଏସ୍.ଏଚ୍. ଜି ମାନଙ୍କୁ ସମ୍ବୋଧନ କରି ପ୍ରଶାସକ ସଂଗ୍ରାମ୍ଜିତ୍ ନାୟକ କହିଲେ ଯେ, ପ୍ରତ୍ୟେକ ଏସ୍.ଏଚ୍.ଜି ସୂର୍ଯ୍ୟଙ୍କ ଭଳି ପ୍ରଖର ହୋଇ କର ଆଦାୟ କରିବେ ଏବଂ ବର୍ଷା ଭଳି ହୋଇ ସମସ୍ତଙ୍କୁ ସେବା ଦେବେ । ଚାଣକ୍ୟ ଅର୍ଥନୀତିକୁ ଉଦାହରଣ ରଖି ସେ ଏହା କହିଥିଲେ । ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ୍ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ଼େପୁଟି କମିଶନର (ରାଜସ୍ୱ) ଖାଦ୍ୟ ସଂଯୋଜନାର ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାନଗର ନିଗମର ତିନୋଟି ଜୋନ୍ର ଜୋନାଲ୍ ଡ଼େପୁଟି କମିଶନର ଯଥା:-ପ୍ରମୋଦ କୁମାର ପୃଷ୍ଟି (ନର୍ଥ ଜୋନ୍), ରବିନ୍ଦ୍ର କୁମାର ଜେଠୀ (ଦକ୍ଷିଣ-ପଶ୍ଚିମ ଜୋନ୍) ଏବଂ ରୂପକ କୁମାର ପଟ୍ଟନାୟକ, ଜଏଂଟ୍ କମିଶନର ଇତ୍ୟାଦି ଉପସ୍ଥିତ ଥିଲେ ।