ଭୁବନେଶ୍ୱର (ଓଡିଶା ତାଜା ନିଉଜ ) ଭୁବନେଶ୍ୱର 1.2.2020 :- ରାଜ୍ୟରେ ସମ୍ଭାବ୍ୟ କରୋନା ଭୁତାଣୁ ଆକ୍ରାନ୍ତର ମୁକାବିଲା ପାଇଁ ବ୍ୟାପକ ପ୍ରଶାସନିକ ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କରାଯାଇଛି । ଶନିବାର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏ ବିଷୟରେ ଜିଲ୍ଲାପାଳ ଓ ଜିଲ୍ଲା ଚିକିତ୍ସା ଅଧିକାରୀମାନଙ୍କ ସହ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ସିଧାସଳଖ ଆଲୋଚନା କରିଥିଲେ ।
ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷା କରି ଲୋକମାନଙ୍କ ମନରୁ ଅଯଥା ଭୟ ଦୂର କରିବା ସହ ପ୍ରତିରୋଧକ ବ୍ୟବସ୍ଥା ବିଷୟରେ ସଘନ ସଚେତନତା ସୃଷ୍ଟି କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ତ୍ରିପାଠୀ କହିଥିଲେ ଯେ ଚଳିତ ବର୍ଷ ଚାଇନାର ଏକ ନିର୍ଦ୍ଦିଷ୍ଟ ଅଂଚଳ ହୁବାଇ ଦେଖାଯାଇଥିବା ନଭେଲ୍ କରୋନା ଭୁତାଣୁକୁ ଉପଯୁକ୍ତ ପ୍ରତିରୋଧକ ସତର୍କତା ମାଧ୍ୟମରେ ରୋକାଯାଇ ପାରିବ । ରାଜ୍ୟର ଆଗୁଆ ପ୍ରସ୍ତୁତି ବିଷୟରେ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ଧଳ କହିଥିଲେ ଯେ ପ୍ରଥମରୁ କରୋନା ଆକ୍ରାନ୍ତର ଚିହ୍ନଟ, ପରିଚାଳନା ଏବଂ ଦୃଢ଼ ପ୍ରତିରୋଧାତ୍ମକ ବ୍ୟବସ୍ଥା ମାଧ୍ୟମରେ ଏହି ରୋଗର ନିରାକରଣ କରାଯାଇପାରିବ । ସେହି ଅନୁସାରେ ରାଜ୍ୟର ମେଡିକାଲ କଲେଜ ମାନଙ୍କରେ ରୋଗ ଚିହ୍ନଟ ଏବଂ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ନିର୍ଦ୍ଦେଶାଳୟରେ ୨୪ ଘଂଟିଆ ନିୟବଣ କକ୍ଷ ପ୍ରତିଷ୍ଠା କରାଯାଇଛି । ଏହାକୁ ୦୬୭୪- ୨୩୯୦୪୬୬ ଏବଂ ମୋବାଇଲ୍ ନମ୍ବର ୯୪୩୯୯୯୪୮୫୭ ନମ୍ବର ସହ ସଂଯୋଗ କରାଯାଇଛି । ଜନସାଧାରଣ ଏହି ନମ୍ବରରେ ଯୋଗାଯୋଗ କରି ସବିଶେଷ ସୂଚନା ପାଇପାରିବେ । ଜିଲ୍ଲା ଡାକ୍ତରଖାନା ଏବଂ ମେଡିକଲ୍ କଲେଜ ଓ ଡ଼ାକ୍ତରଖାନାର ସୁପରିଟେଣ୍ଡଂଟ୍ ମାନଙ୍କୁ ସଚେତନ କରାଯାଇଛି ଏବଂ ସମସ୍ତ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନମାନଙ୍କୁ କରୋନା ଆକ୍ରାନ୍ତ ରୋଗୀର ଚିହ୍ନଟ ଓ ଚିକିତ୍ସା ବିଷୟରେ ଆଦର୍ଶ ଅନୁପାଳନ ନିର୍ଦ୍ଦେଶିକା ପଠାଯାଇଛି ।
ତାଲିମ ପ୍ରାପ୍ତ ର୍ୟାପିଡ୍ ରେସ୍ନ୍ସ୍ ଟିମ୍ ଙ୍କୁ ପ୍ରସ୍ତୁତ ରଖାଯାଇଛି । ପୁନେର ଜାତୀୟ ଭୁତାଣୁ ଗବେଷଣା ପ୍ରତିଷ୍ଠାନ (ଏନ୍.ଆଇ.ଭି.) ଏବଂ ଭୁବନେଶ୍ୱରର ଆର୍.ଏମ୍.ଆର୍.ସି.କୁ ନଭେଲ୍ କରୋନା ପରୀକ୍ଷାର ନୋଡାଲ୍ ସେଂଟର ଭାବେ ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ଧଳ, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ, ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡଙ୍ଗୀ, ଡିଏମ୍ଇଟି ପ୍ରଫେସର ଡା. ସିବିକେ ମହାନ୍ତି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ଅଜିତ୍ କୁମାର ମହାନ୍ତି ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।