No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର ) କଟକ :- ରାଜ୍ୟ ସରକାର ଉପସ୍ଥାନ କମ ଆଳରେ କଟକ ଜିଲ୍ଲା ବାରଙ୍ଗ ବ୍ଲକର ଆମ୍ବବୋରେଇ ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ ଏବଂ ତ୍ରିଶୁଳିଆ ପ୍ରାଥମିକ ବିଦ୍ୟାଳୟ ବନ୍ଦ ପାଇଁ ନେଇଥିବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ସହ , ବିଦ୍ୟାଳୟର ଉପଯୁକ୍ତ ସୁରକ୍ଷା ଦାବିରେ ବିଇଓ ଅଫିସ ଆଗରେ ଏଆଇଡିଏସଓ ତଥା ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଛାତ୍ର ଓ ଅଭିଭାବକ ମାନଙ୍କର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ବିକ୍ଷୋଭ ସ୍ଥଳରୁ ଏଆଇଡିଏସଓ ତଥା ତ୍ରିଶୁଳିଆ ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ସ୍ମାରକ ପତ୍ର ଏବିଇଓ ସରୋଜିନୀ ସାହୁଙ୍କୁ ପ୍ରଦାନ କରାଯାଇଥିଲା ।
ଏଆଇଡିଏସଓ ବାରଙ୍ଗ ଆଂଚଳିକ କମିଟିର ସମ୍ପାଦିକା ଭାଗ୍ୟଶ୍ରୀ ପ୍ରଧାନ, ସହ-ସମ୍ପାଦକ ରାଜେଶ ରାଉତ,ପବିତ୍ର ଦାସ,ବେଣୁଧର ପରିଡ଼ା, ଧୃବ ଚରଣ ଦାସ , ନିରୁପମା ଭୋଇ, ସୁପ୍ରିୟା ବେରା, ଖେଳ ନାଇକ, ରେଣୁବାଳା ଭୋଇ, ବାସନ୍ତୀ ରାଉତ, ଶଙ୍କୁନ୍ତଳା ମୁଦୁଲି, ମିତା ସିଂହ, ଡଲିଆ ସିଂହ, ଦୁଃଖୀ ପରିଡା, କୁମୁଦିନୀ ବାହାଲିଆ, ଭାସି ରାଉତ ପ୍ରମୂଖ ଯୋଗ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ସରକାରୀ ଅବହେଳା ଯୋଗୁଁ ସରକାରୀ ସ୍କୁଲ ମାନଙ୍କରେ ଉପସ୍ଥାନ କମିଛି । ଦୀର୍ଘ ବର୍ଷ ଧରି ସ୍କୁଲ ମାନଙ୍କରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡିବା, ଅଳ୍ପ ସଂଖ୍ୟକ ହେଲେ ମଧ୍ୟ ଯେତିକି ବି ଶିକ୍ଷକ ଅଛନ୍ତି ସେମାନଙ୍କୁ ବର୍ଷସାରା ଶିକ୍ଷା ବର୍ହିଭୁତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା, ଗୁଣାତ୍ମକ ଶିକ୍ଷାଭିତ୍ତିକ ପାଠ୍ୟ ଖସଡାର ଅଭାବ, ପାସ-ଫେଲ୍ ବ୍ୟବସ୍ଥା ଉଚ୍ଛେଦ, ଆବଶ୍ୟକ ଭିତ୍ତିଭୂମିର ଅଭାବ ଇତ୍ୟାଦି ଫଳରେ ସରକାରୀ ସ୍କୁଲ ଶିକ୍ଷା ଅତି ଦୃତ ବିପର୍ଯ୍ୟସ୍ତ ହେବାକୁ ଲାଗିଛି ।
କୋମଳମତି ଛାତ୍ରଛାତ୍ରୀ ମାନେ ନିରାପଦରେ ନିଜ ଗାଁ ସ୍କୁଲରେ ପଢିବା ଲକ୍ଷ୍ୟ ରେ ପ୍ରତିଷ୍ଠିତ ସ୍କୁଲରେ ଉପସ୍ଥାନ ହାର ବଢାଇବା ପାଇଁ ପ୍ରକୃତ ପଦକ୍ଷେପ ଗ୍ରହଣ ନକରି ତାକୁ ବନ୍ଦ କରିଦେବା “ମୁଣ୍ଡ ବିନ୍ଧିଲେ ମୁଣ୍ଡ କାଟିଦେବା” ନ୍ୟାୟ ସହ ସମାନ । ଗୋଟିଏ ଦିଗରେ ସରକାରୀ ସ୍କୁଲ ବନ୍ଦ କରିବା ଅନ୍ୟ ଦିଗରେ ଘରୋଇ ସ୍କୁଲକୁ ପ୍ରୋତ୍ସାହନ ଦେବା ବିଷୟଟି ଆମର ଶିକ୍ଷା ବ୍ୟବସ୍ଥାକୁ ସ୍ପଷ୍ଟଭାବେ ‘ଥିଲାବାଲାଙ୍କ ପାଇଁ’ ଓ ‘ନଥିଲା ବାଲାଙ୍କ ପାଇଁ’ ଏହିପରି ଦୁଇଭାଗରେ ବିଭକ୍ତ କରିଦେଇଛି । ସରକାରଙ୍କ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ଫଳରେ ଗରିବ ଘରର ପିଲାମାନଙ୍କ ପାଇଁ ପଢିବାର ଯେତିକି ବି ସୁଯୋଗ ଥିଲା, ତାହା ମଧ୍ୟ ସଂପୂର୍ଣ୍ଣଭାବେ ବନ୍ଦ ହୋଇଯିବ ।
ତେଣୁ ସରକାର ତୁରନ୍ତ ସ୍କୁଲ ବନ୍ଦ କରିବା ନିଷ୍ପତ୍ତିରୁ ବିରତ ହେବା ସହ ସ୍କୁଲ ଗୁଡିକର ସୁରକ୍ଷା ପାଇଁ ଉପଯୁକ୍ତ ସରକାରୀ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି । ଏଠାରେ ସୂଚନାଯୋଗ୍ୟ ବାରଙ୍ଗ ବ୍ଲକରେ ସରକାରୀ ବିଦ୍ୟାଳୟ ବନ୍ଦ ପାଇଁ ନିଆଯାଇଥିବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଧାରାବାହିକ ଭାବେ ଏଆଇଡିଏସଓ ଏବଂ ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଆନ୍ଦୋଳନ ଚାଲିଛି । ସରକାର ନିଜର ଶିକ୍ଷା ବିରୋଧି ନିଷ୍ପତ୍ତିରୁ ନ ଓହରିଲେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ ହେବ ବୋଲି ଛାତ୍ରନେତା ମାନେ ଚେତାବନୀ ଦେଇଛନ୍ତି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result